ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବ୍ଳକ ସ୍ତରୀୟ ବୈଠକ ଗୁରୁବାର ସ୍ଥାନୀୟ ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ବିଡିଓ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଓଡ଼ଗାଁ ଏନ୍ଏସି ଅଧିକାରୀ, ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ, ବ୍ଳକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଆଦର୍ଶ ଥାନା ଆଇଆଇସିଙ୍କ ସହିତ ସମନ୍ୱିତ ଶିଶୁ ବିକାଶ, ଶିକ୍ଷା, କୃଷି, ଉଦ୍ୟାନ ଓ ଶ୍ରମ ବିଭାଗ, ଓଡ଼ଗାଁ ଓ ପଞ୍ଚରିଡା ବନାଞ୍ଚଳ, ଅଗ୍ନିଶମ ଏବଂ ପ୍ରାଣୀ ଚିକିତ୍ସା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ବିଦ୍ୟୁତ୍ ବିଭାଗ, ସହକାରୀ ମୃତ୍ତିକା ସଂରକ୍ଷଣ ଓ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ସମସ୍ତ ବିଭାଗ ମଧ୍ୟରେ ଦ୍ରୁତ ସମନ୍ୱୟ ଓ ସୂଚନା ଆଦାନ-ପ୍ରଦାନ ପାଇଁ ଏକ ହ୍ଵାଟସଆପ ଗ୍ରୁପ୍ ଗଠନ କରାଯାଇଥିଲା। ଯେକୌଣସି ବିଭାଗୀୟ ସମସ୍ୟା ଉପସ୍ଥିତ ହେଲେ ଏହି ମାଧ୍ୟମରେ ସୂଚନା ପ୍ରଦାନ କରି ତୁରନ୍ତ ସମାଧାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାସହ ବ୍ଳକର କୌଣସି ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ ପୂର୍ବରୁ ଯଦି ଜମିର ମାପଚୁପ ଆବଶ୍ୟକ ହୁଏ, ତେବେ ସମ୍ପୃକ୍ତ ସୂଚନା ହ୍ଵାଟସଆପ ଗ୍ରୁପ୍ରେ ପ୍ରଦାନ କରାଗଲେ ରାଜସ୍ୱ ବିଭାଗ ପକ୍ଷରୁ ତୁରନ୍ତ ସହଯୋଗ କରାଯିବ । ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଉନ୍ନୟନ କାର୍ଯ୍ୟକୁ ଆହୁରି ସକ୍ରିୟ କରିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା।
ରାଜ୍ୟ
ବ୍ଳକ ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
- Hits: 115







