ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ସରକାରୀ ବସଷ୍ଟାଣ୍ଡର ପୂର୍ବ ପାର୍ଶ୍ୱରେ ସୁରକ୍ଷା ପ୍ରାଚିର ନିର୍ମାଣକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଅବସାନ ଘଟାଇବାକୁ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ନିର୍ମିତ ଦୁଇମହଲା କୋଠାକୁ ଭଙ୍ଗାଯାଇଛି। ମଠଖଜୁରିଆ ରାସ୍ତା ସଙ୍କୋଚିତ ହେଉଥିବା ଦାବି କରି ଗ୍ରାମବାସୀମାନେ ପ୍ରାଚିର ନିର୍ମାଣକୁ ବିରୋଧ କରୁଥିବା ବେଳେ, ରାସ୍ତା ଉପରେ ମାଡ଼ି ରହିଥିବା ଏହି ନିର୍ମାଣକୁ ଚିହ୍ନଟ କରି ପ୍ରଶାସନ ଗୁରୁବାର ସକାଳେ ଡବଲ୍ ବୁଲଡୋଜର ଲଗାଇ ଭଙ୍ଗିଦେଇଥିଲା। ପ୍ରଶାସନ ସୂଚନା ଅନୁସାରେ, ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚିର ନିର୍ମାଣ ସମୟରେ ମଠଖଜୁରିଆକୁ ଯାଇଥିବା ପୁରୁଣା ରାସ୍ତା ବସଷ୍ଟାଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା। ଫଳରେ ପୂର୍ବ ପାର୍ଶ୍ୱରେ ନୂତନ ରାସ୍ତା ନିର୍ମାଣ ପାଇଁ ସ୍ଥାନ ସଙ୍କୁଚିତ ହୋଇଥିଲା। ଏହା ପରେ ଓଡ଼ଗାଁ ତହସିଲ ପ୍ରଶାସନ ସମ୍ପୂର୍ଣ୍ଣ ଅଞ୍ଚଳର ମାପଚୁପ କରିଥିଲା। ଗତ ୮ ତାରିଖରେ ବିବାଦୀୟ ସ୍ଥାନର ମାପଚୁପ ପରେ ରୁକୁଣା ମଣ୍ଡଳଙ୍କ ଘରର ଅର୍ଦ୍ଧାଧିକ ଭାଗ ସରକାରୀ ଜମି ଉପରେ ଥିବା ଜଣାପଡ଼ିଥିଲା।
ଏହାପରେ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇ ଗୁରୁବାର ଦିନ ବୁଲଡୋଜର ମାଧ୍ୟମରେ ଘରଟିକୁ ଭଙ୍ଗାଯାଇଥିଲା। ଏହି କାର୍ଯ୍ୟ ବେଳେ ଓଡ଼ଗାଁ ତହସିଲଦାର ଡ଼. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ଓ ପବିତ୍ର ମୋହନ ସେଠୀ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ରାଜସ୍ୱ ସୁପରଭାଇଜର ସୁବାସ ଚନ୍ଦ୍ର ମିଶ୍ରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଅନ୍ୟପଟେ, ସ୍ୱର୍ଗତ ପ୍ରଫୁଲ୍ଲ ମଣ୍ଡଳଙ୍କ ସ୍ତ୍ରୀ ରୁକୁଣା ମଣ୍ଡଳ ଅଭିଯୋଗ କରି କହିଛନ୍ତି ଯେ, ଗୃହ ନିର୍ମାଣ ସମୟରେ ଅମିନଙ୍କ ଦ୍ୱାରା ଦିଆଯାଇଥିବା ଚିହ୍ନଟ ଅନୁଯାୟୀ ଘର ତିଆରି କରାଯାଇଥିଲା। ହେଲେ ଆମର ପ୍ରକୃତ ଘରଡ଼ିହ ଚିହ୍ନଟ ନକରି ପ୍ରଶାସନ ଘର ଭାଙ୍ଗିଦେଇଛି। ଘରର ମହିଳାମାନଙ୍କ ଶୌଚକାର୍ଯ୍ୟ ଓ ଥଇଥାନ ପାଇଁ ସମୟ ମଧ୍ୟ ଦିଆଯାଇନଥିବା ବେଳେ ତାଙ୍କ ଅଭିଯୋଗକୁ କୌଣସି ଅଧିକାରୀ ଗୁରୁତ୍ୱ ଦେଇନଥିବା ମଧ୍ୟ ସେ ଦାବି କରିଛନ୍ତି। ତେବେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗ୍ରାମବାସୀଙ୍କ ଗମନାଗମନ ସୁବିଧା ଓ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ବେଆଇନ ନିର୍ମାଣକୁ ହଟାଯାଇଛି। ବସଷ୍ଟାଣ୍ଡ ସୁରକ୍ଷା ପ୍ରାଚିର ସହ ଗ୍ରାମବାସୀଙ୍କ ସୁବିଧା ପାଇଁ ଏକାସାଙ୍ଗେ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ପ୍ରାଚିର ନିର୍ମାଣ କାର୍ଯ୍ୟ ବନ୍ଦ ରହିବାରୁ ଓଡ଼ିଶା ରାଜ୍ୟ ପରିବହନ ନିଗମର ଆର୍ଥିକ ପରାମର୍ଶଦାତାଙ୍କ ନେତୃତ୍ୱରେ ଏକ ଦଳ ଓଡ଼ଗାଁ ଆସି ଏନ୍ଏସି ଅଧିକାରୀ ଓ ତହସିଲ ପ୍ରଶାସନ ସହ ଆଲୋଚନା କରି ବିବାଦର ସମାଧାନ ପାଇଁ ସହଯୋଗ ଲୋଡିଥିଲେ। ତାହାପରେ ବିବାଦୀୟ ସ୍ଥାନର ମାପଚୁପ ଓ ପରବର୍ତ୍ତୀ ପଦକ୍ଷେପ ନିଆଯାଇଥିଲା।
ରାଜ୍ୟ
ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚିର ନିର୍ମାଣ ବିବାଦ; ବେଆଇନ ଜମିରେ ନିର୍ମିତ ଦୁଇମହଲା କୋଠା ଭଙ୍ଗିଲା ପ୍ରଶାସନ
- Hits: 103







