ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ମରାକୁଟା ପଞ୍ଚାୟତସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନା ସମ୍ମୁଖରେ ବୁଧବାର ହଜାର ହଜାର ଗ୍ରାମବାସୀ ଓ ପୁରୁଣା କର୍ମଚାରୀଙ୍କ ଧାରଣା ଜାରୀ ରହିଛି। ଜମେରା, ମରାକୁଟା, ଏଚ୍. କଣ୍ଟାପାଲି ଗ୍ରାମ ପଞ୍ଚାୟତ ସହ ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳର ଲୋକମାନେ ସକାଳୁ କମ୍ପାନୀ ସମ୍ମୁଖରେ ବସି ପ୍ରତିବାଦ କରୁଛନ୍ତି।
ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ପାଇଁ ଆସିନଥିବାରୁ ଆନ୍ଦୋଳନ ଉଗ୍ର ରୂପ ନେଇଥିବା ଦେଖାଯାଇଛି।
ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁସାରେ, ଓଡ଼ିଶା ମେଟାଲିକ୍ସ କମ୍ପାନୀ ବିନା ଅନୁମତିରେ ଇବ୍ ନଦୀରୁ ଜଳ ଉଠାଣ କରୁଥିବା ବେଳେ ୧୦ ଏକରରୁ ଅଧିକ ଜଙ୍ଗଲ ଜମିକୁ ଦଖଳରେ ରଖି ବ୍ୟବହାର କରୁଛି। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ୁଥିବା ଏବଂ କମ୍ପାନୀ ପକ୍ଷରୁ ଅଞ୍ଚଳର ଉନ୍ନତିମୂଳକ କାମ ମଧ୍ୟ ହେଉନଥିବା ଅଭିଯୋଗ ହୋଇଛି।
ଏହାସହ ପୁରୁଣା କର୍ମଚାରୀଙ୍କୁ ପୁନର୍ନିଯୁକ୍ତି ନଦେଇ ବାହାର ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ନେଇ ମଧ୍ୟ ଅସନ୍ତୋଷ ବଢ଼ିଛି। ସ୍ଥାନୀୟ ଲୋକ ଓ ପୁରୁଣା କର୍ମଚାରୀ ସଂଘ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବା କୁହାଯାଇଛି।
ଧାରଣାସ୍ଥଳରେ ଉପସ୍ଥିତ ଜନପ୍ରତିନିଧି ଓ ସାଧାରଣ ଲୋକମାନେ କହିଛନ୍ତି ଯେ, ସମସ୍ୟାର ସ୍ଥାୟୀ ସମାଧାନ ନହେଉଅ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ। କମ୍ପାନୀର ଉପସଭାପତି ଅଜିତ ସିଂଙ୍କ ସହ ଆଲୋଚନା ପାଇଁ ସେମାନେ ପ୍ରସ୍ତୁତ ଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ଆଲୋଚନାରେ ଅନାଗ୍ରହ ଦେଖାଯାଉଥିବା ଅଭିଯୋଗ କରାଯାଇଛି।
ଏପରିକି କମ୍ପାନୀ ବାରମ୍ବାର ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ କାହିଁକି କଠୋର ପଦକ୍ଷେପ ନେଉନାହିଁ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି।
ଏନେଇ ଓଡ଼ିଶା ମେଟାଲିକ୍ସର ବରିଷ୍ଠ ଅଧିକାରୀ ଅଜିତ ସିଂ କହିଛନ୍ତି, “ଜିଲ୍ଲା ପ୍ରଶାସନ ଯେଉଁ ନିଷ୍ପତ୍ତି ନେବ, କମ୍ପାନୀ ତାହାକୁ ପାଳନ କରିବ।” ଅନ୍ୟପଟେ ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର ଏ ବିଷୟରେ ମତାମତ ଦେବାକୁ ମନା କରିଥିଲେ।







