-
ସାମୁହିକ ବିବାହ ଉତ୍ସବରେ ପଡିଲା ୩୮ଜଣ ନବଦମ୍ପତିଙ୍କ ହାତ ଗଣ୍ଠି:
-
ସରକାରଙ୍କୁ ଧନ୍ୟବାଦ ଦେଲେ ପରିବାରବର୍ଗ
କେନ୍ଦୁଝର, ୧୩/୦୫/୨୦୨୬: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା "ଇଣ୍ଡିଆନ ବାଏ ବାର୍ଥ", କେନ୍ଦୁଝରର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଆଜି କେନ୍ଦୁଝର ଶଙ୍କରପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅତି ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାର ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବ ଦମ୍ପତି ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏ, ଜିଲ୍ଲାପାଳ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଡାକ୍ତର ପ୍ରିୟଙ୍କା ମାରାଣ୍ଡି ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।
ସମାଜର ଅନଗ୍ରସର ବର୍ଗର ଲୋକଙ୍କର ବିବାହ ସମ୍ବନ୍ଧୀୟ ଆର୍ଥିକ ବୋଝ ହ୍ରାସ କରିବା ସହିତ ମହିଳାଙ୍କ ସ୍ୱାଭିମାନ ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଏହି ଯୋଜନା ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ଏହା ବିଧବା ପୁନର୍ବିବାହକୁ ପ୍ରୋତ୍ସାହନ ଦେବା ସହିତ ଯୌତୁକ ପ୍ରଥା ନିରାକରଣ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉଭା ହୋଇଛି।
ଏହି ଯୋଜନା ଅନୁସାରେ ଝିଅଙ୍କ ବୟସ ୧୮ ରୁ ୩୫ ବର୍ଷ ଓ ପୁଅଙ୍କ ବୟସ ୨୧ ରୁ ୩୫ ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ ୩୮ ଜଣ ବର–କନ୍ୟା ଯୋଡ଼ି ଆଜିର କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ବର ଓ କନ୍ୟାଙ୍କ ସଜବାଜ ପାଇଁ ଅଲଗା କକ୍ଷ ବ୍ୟବସ୍ଥା କରାଯାଇଥିଲା।
ଏହି ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫,୦୦୦ ଟଙ୍କା ଜମା କରାଯିବା ସହିତ ମୋଟ ୬୦,୦୦୦ ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି।
ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସମାଜିକ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ମତ ପ୍ରକାଶ କରିବା ସହ ନବଦମ୍ପତି ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସବିତା ଦାଶ ଇଣ୍ଡିଆନ ବାଏ ବାର୍ଥର ପ୍ରତିଷ୍ଠାତା ସୁନୀଲ କୁମାର ବେହେରା, ସହ ପ୍ରତିଷ୍ଠାତା ଇଂ ସତ୍ୟରଞ୍ଜନ ସାହୁ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ। ପରିଶେଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସମସ୍ତ ନବଦମ୍ପତିଙ୍କ ସହ ଏକ ସାମୁହିକ ଫୋଟୋ ଉତ୍ତୋଳନ କରି ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଥିଲେ।







