ହେଡଲାଇନସ୍:

ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ: ୨୪ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତ ଗିରଫ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବେଆଇନ ମାଙ୍କଡ଼ା ପଥର ଖଣି ମାଫିଆଙ୍କ ସମ୍ପୃକ୍ତି ସୂଚନା


ଓଡ଼ଗାଁ, ୧୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚିତ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ବେଆଇନ ମାଙ୍କଡ଼ା ପଥର ଖଣି ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ, ଘଟଣାର ୨୪ ଘଣ୍ଟା ନପୁରୁଣୁ ଓଡ଼ଗାଁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ନୟାଗଡ଼ରେ ଆୟୋଜିତ ପ୍ରେସମିଟରେ କଟକ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟଜିତ ନାୟକ ଓ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍‌. ସୁଶ୍ରୀ ସୂଚନା ଦେଇଛନ୍ତି। ପୋଲିସ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଦଳ, ସମନ୍ୱୟ ଦଳ ଓ ଗିରଫ ଦଳ ଗଠନ କରାଯାଇଥିଲା। ପୋଲିସର ତ୍ୱରିତ ତଦନ୍ତ ଫଳରେ ଓଡ଼ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ, ରୋହିବା ଧୋବା ସାହିର ମହନ୍ତ ନାୟକ, ରୋହିବା ବାଲିସାହିର ମାନସ ବେହେରା ଏବଂ କୋମଣ୍ଡ ମକରପଦାର ଶ୍ରୀଧର ଭଟ୍ଟଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ପୋଲିସ ଅଭିଯୁକ୍ତମାନଙ୍କୁ ସାଙ୍ଗରେ ନେଇ ଭାପୁର ଅଞ୍ଚଳକୁ ଯାଇଥିବା ବେଳେ, ଅଭିମାନପୁର ନିକଟରୁ ଅଜିତଙ୍କୁ ଆକ୍ରମଣ କରିବାରେ ବ୍ୟବହୃତ ତଲୱାର ଜବତ କରାଯାଇଛି। ପୋଲିସ ସୂଚନାନୁସାରେ, ଆସନ୍ତାକାଲି ଘଟଣାସ୍ଥଳରେ ସିନ୍‌ ରିକ୍ରିଏସନ କରାଯିବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ।
ସଙ୍ଗିନ ଘଟଣାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଉତ୍ତେଜନା ସମ୍ଭାବନା ନେଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟାରେ ପୋଲିସ ଫୋର୍ସକୁ ସଜାଗ ରଖାଯାଇଛି। ସୂଚନାଯୋଗ୍ୟ ଯେ, ଗତ ରବିବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ଅଜିତ ଓ ତାଙ୍କ ସାଥୀ ଦୁଇଟି ୪୦୭ ମିନି ଟ୍ରକରେ ବେଆଇନ ମାଙ୍କଡ଼ା ପଥର ଚୋରାଚାଲାଣ ହେଉଥିବା ନେଇ ଓଡ଼ଗାଁ ପୋଲିସକୁ ସୂଚନା ଦେଇଥିଲେ। ସେମାନେ ଟ୍ରକ ନିକଟରେ ଜଗି ରହିଥିବା ବେଳେ ଗାଡ଼ି ମାଲିକ ସେଠାରେ ପହଞ୍ଚି ଆଲୋଚନା କରୁଥିଲେ। ଏହି ସମୟରେ ଏକ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ ଘଟଣାସ୍ଥଳରେ ପହଞ୍ଚିଥିଲା।
ଗାଡ଼ିରୁ ଓହ୍ଲାଇଥିବା ଅଭିଯୁକ୍ତମାନେ ଅଜିତ ଓ ତାଙ୍କ ସାଥୀଙ୍କ ସହିତ ଯୁକ୍ତିତର୍କ କରିବା ପରେ ଧାରୁଆ ଅସ୍ତ୍ରରେ ଅଜିତଙ୍କୁ ଆକ୍ରମଣ କରିଥିଲେ। ଅଜିତ ପ୍ରତିରୋଧ କରିପାରିନଥିବାରୁ ତଳେ ପଡ଼ିଯାଇଥିଲେ। ପରେ ଦୁବୃର୍ତ୍ତମାନେ ତାଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ। ପରିସ୍ଥିତି ଦେଖି ସାଥୀ ସନ୍ତୋଷ ସେଠାରୁ ପଳାଇ ଯାଇଥିବା ବେଳେ ଅଭିଯୁକ୍ତ ମାନେ ଘଟଣା ଘଟାଇବା ପରେ ସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲେ।

0
0
0
s2sdefault