ମାଗଣାରେ ମିଳିବ ୧୦୮ ପ୍ରକାର ଡିଜିଟାଲ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା
ଝାରସୁଗୁଡ଼ା, ବୁଧବାର : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶ୍ଚିମ ଓଡ଼ିଶାର ପ୍ରଥମ ‘ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ’ ବୁଧବାର ଉଦଘାଟିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହି ଅତ୍ୟାଧୁନିକ ମେସିନର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଅଞ୍ଚଳର ସାଧାରଣ ଲୋକମାନେ ଏବେ ମାଗଣାରେ ୧୦୮ ପ୍ରକାର ଡିଜିଟାଲ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ପାଇପାରିବେ। ଏହି ସେବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଆବଶ୍ୟକ ଅର୍ଥ ବ୍ୟୟ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ସେ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଥିଲେ।
ବେଦମତର ସିଇଓ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ, ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି ସ୍ୱାସ୍ଥ୍ୟ ଏଟିଏମ ସ୍ଥାପିତ ହୋଇଛି। ଏହା ମାଧ୍ୟମରେ ବିପି, ସୁଗର, ଲିପିଡ୍ ପ୍ରୋଫାଇଲ୍, ଇସିଜି, ଚର୍ମ ରୋଗ ଓ କର୍କଟ ରୋଗ ସହିତ ୧୦୮ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି ଭିଡିଓ କଲ୍ ମାଧ୍ୟମରେ ଡାକ୍ତରଙ୍କ ସହ ପରାମର୍ଶ ସୁବିଧା ମଧ୍ୟ ରୋଗୀମାନେ ପାଇପାରିବେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିଏମଓ ଡା. ସତ୍ୟଶେଖର ସେଠୀ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁନିଲ ପଣ୍ଡା, କୋଲାବିରା ସିଏଚସି ଅଧୀକ୍ଷକ ଡା. ଘନଶ୍ୟାମ ସୋରେନ, ଡା. ସିଶୋଦ ବୁଡ଼ା, ବିଧାୟକ ପ୍ରତିନିଧି ରାଜେଶ ଦାଶ ଓ ସମାଜସେବୀ ଅରୁଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ବିଏଚଏଓ ସନାତନ ବାଗ ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।







