ଲୋକଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ- ଧର୍ମେନ୍ଦ୍ର ପ୍ରଧାନ
• ଏହି ପ୍ରକଳ୍ପ ପାଇଁ ୮ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
• ଭୀମମଣ୍ଡଳୀରେ ପ୍ରବେଶ ପଥ, ବ୍ରିଜ୍, ଭ୍ୟୁ ପଏଣ୍ଟ ଏବଂ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ହେବ
• ପ୍ରାୟ ୧୦,୦୦୦ ବର୍ଷର ପୁରୁଣା ‘ରକ୍ ଆର୍ଟ’ର ସଂରକ୍ଷଣ ସହ ଏଏସଆଇ ମାନ୍ୟତା ପାଇଁ ହେଉଛି ପ୍ରୟାସ
• ଫେବୃଆରୀ ୨୫, ୨୦୨୫ରେ ପରିଦର୍ଶନ କରିବା ଅବସରରେ ଭୀମମଣ୍ଡଳୀର ବିକାଶ ପାଇଁ ଦେଇଥିଲେ ପ୍ରତିଶ୍ରୁତି
ରେଢାଖୋଲ/ସମ୍ବଲପୁର, ମଇ ୧୦ - କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ "ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍"ର ଭୂମିପୂଜନ କରିଛନ୍ତି । ଏହି ଐତିହାସିକ ଐତିହ୍ୟ ସ୍ଥଳୀ ଭୀମମଣ୍ଡଳୀର ଗୌରବମୟ ଇତିହାସକୁ ଲୋକଲୋଚନକୁ ଆଣିବା ସହ ଏହା ସମ୍ବଲପୁରର ପର୍ଯ୍ୟଟନକୁ ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭୀମମଣ୍ଡଳୀ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ଓଡ଼ିଶାର ଗୌରବମୟ ଇତିହାସ ଓ ପୁରାତନ ସଭ୍ୟତାର ଏକ ଜ୍ୱଳନ୍ତ ପ୍ରମାଣ । ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ଅନୁସାରେ, ଭୀମମଣ୍ଡଳୀର ଗୁମ୍ଫା କାନ୍ଥରେ ଥିବା ‘ରକ୍ ଆର୍ଟ’ ଗୁଡ଼ିକ ପ୍ରାୟ ୧୦,୦୦୦ ବର୍ଷରୁ ଅଧିକ ପୁରୁଣା । ଏହି ସ୍ଥଳୀରେ ପ୍ରସ୍ତର ଯୁଗର ଅନେକ ପ୍ରାଚୀନ ଉପକରଣ ମଧ୍ୟ ମିଳିଛି । ଏହି ଦୁର୍ଲଭ ସ୍ଥଳୀକୁ ଆନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା ଆନୁଷ୍ଠାନିକ ମାନ୍ୟତା ପ୍ରଦାନ ପାଇଁ ଉଦ୍ୟମ ଜାରି ରହିଛି ।
ଐତିହାସିକ ଦୃଷ୍ଟିକୋଣ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପୌରାଣିକ ସମ୍ପର୍କ ପାଇଁ ଭୀମମଣ୍ଡଳୀ ସବୁବେଳେ ସ୍ୱତନ୍ତ୍ର । ଏହି ପରିପ୍ରେକ୍ଷୀରେ ଏହାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ପ୍ରାୟ ୮ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅନୁମୋଦନ କରିଛନ୍ତି, ଯାହାର କାମ ଆଜିର ଠାରୁ ଆରମ୍ଭ ହୋଇଛି । ଖୁବ ଶୀଘ୍ର ଏଠାରେ ପ୍ରବେଶ ପଥ, ବ୍ରିଜ୍, ଭ୍ୟୁ ପଏଣ୍ଟ, ସୌର ଶକ୍ତି ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଏବଂ ବିଶ୍ରାମ ଗୃହ ଆଦି ନିର୍ମାଣ କରାଯିବ । ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ପ୍ରକଳ୍ପ ଅନେକ ନୂଆ ସୁଯୋଗ ସୃଷ୍ଟି କରିବ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାରଙ୍କ 'ହୋମ୍ ଷ୍ଟେ' ନୀତି ମାଧ୍ୟମରେ ସ୍ଥାନୀୟ ଗ୍ରାମବାସୀଙ୍କୁ ରୋଜଗାରକ୍ଷମ କରାଯିବା ସହ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ପାରମ୍ପରିକ ଗ୍ରାମ୍ୟ ଜୀବନର ଅନୁଭୂତି ପ୍ରଦାନ କରିବା ପାଇଁ ଯୋଜନା ରହିଛି । ଆଗାମୀ ଦିନରେ ଏହି ଅଞ୍ଚଳର ସାଂସ୍କୃତିକ ଅର୍ଥନୀତିକୁ ସମୃଦ୍ଧ କରିବା ଦିଗରେ ଭୀମମଣ୍ଡଳୀ ବିଶେଷ ଭାବରେ ସହାୟକ ହେବ । ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୫, ୨୦୨୫ରେ ଏହି ସ୍ଥାନ ପରିଦର୍ଶନ କରିବା ଅବସରରେ ଶ୍ରୀ ପ୍ରଧାନ ଏହାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ ପତ୍ର ଲେଖି ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ଏକ ‘ପର୍ଯ୍ୟଟନ ସର୍କିଟ୍’ ଭାବେ ଘୋଷଣା କରିବାକୁ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୋଧ କରିଥିଲେ ।







