ହେଡଲାଇନସ୍:

ଭେଡେନ ନଦୀରେ ବ୍ୟାରେଜ ଦାବୀ ନେଇ କୋଲାବିରା ତହସିଲ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ସୋମବାର: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ପଞ୍ଚାୟତର ଚାଷୀମାନେ ଭେଡେନ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବୀରେ ସୋମବାର କୋଲାବିରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ।

ଚାଷୀ ସଂଘର କହିବା ଅନୁଯାୟୀ, ୨୦୧୭ ମସିହାରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଏହା ମାଧ୍ୟମରେ ପ୍ରାୟ ୨ ହଜାର ଏକର ଜମିକୁ ଜଳସେଚନ ଯୋଗାଇବା ଲକ୍ଷ୍ୟ ରହିଥିଲା। କିନ୍ତୁ ଯୋଜନାର ତ୍ରୁଟି ଓ ଉଚ୍ଚ ସ୍ଥାନରେ ପ୍ରକଳ୍ପ ସ୍ଥାପନ କରାଯାଇଥିବାରୁ ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ଚାଷୀମାନେ ଜଳସେଚନ ସୁବିଧା ପାଉନାହାନ୍ତି। ଏହା ଫଳରେ ପ୍ରକଳ୍ପଟି ପ୍ରାୟ ଅକାର୍ଯ୍ୟକାରୀ ହୋଇପଡ଼ିଛି।

ଚାଷୀମାନଙ୍କ ଅଭିଯୋଗ, ପ୍ରକଳ୍ପରେ କାମ କରୁଥିବା କର୍ମଚାରୀମାନେ ବିନା କାମରେ ଦରମା ପାଉଥିବାବେଳେ ସରକାରଙ୍କ ଅପରିମିତ ଅର୍ଥ ବ୍ୟୟ ହେଉଛି। ଯଦି ଏହି ସ୍ଥାନରେ ବ୍ୟାରେଜ ନିର୍ମାଣ କରାଯାଏ, ତେବେ ଅଞ୍ଚଳର ଚାଷୀମାନଙ୍କ ଜଳସେଚନ ସମସ୍ୟା ସମାଧାନ ହେବ ବୋଲି ସେମାନେ କହିଛନ୍ତି।

ବହୁବର୍ଷ ଧରି ଏହି ଦାବୀ ଉଠିଆସୁଥିବା ସତ୍ତ୍ୱେ ପୂର୍ବତନ ଓ ବର୍ତ୍ତମାନ ସରକାର ପକ୍ଷରୁ କେବଳ ପ୍ରତିଶ୍ରୁତି ମିଳିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାରେ ଅସନ୍ତୁଷ୍ଟ ହୋଇ ସେମାନେ ଧାରଣା ଦେଇଥିଲେ।

ଚାଷୀମାନେ ସତର୍କ କରିଛନ୍ତି ଯେ, ଆସନ୍ତା ୩ ତାରିଖ ମଧ୍ୟରେ ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ନହେଲେ ସେମାନେ ରାଜପଥ ଅବରୋଧ କରି ଆନ୍ଦୋଳନକୁ ତୀବ୍ର କରିବେ।

କୃଷକ ସଂଘର ସଭାପତି ଚେତାନନ୍ଦ ପଟେଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣା କାର୍ଯ୍ୟକ୍ରମରେ ତୁଳାରାମ ସେନାପତି, ତୁଲେଶ୍ୱର ପଟେଲ, ଗୌତମ ନାଏକ, ଗୁରୁଚରଣ ସାହୁ, ହେମନ୍ତ ସାହୁ ସହ ବହୁ ସଂଖ୍ୟକ ଚାଷୀ ଯୋଗଦେଇଥିଲେ।

0
0
0
s2sdefault