ହେଡଲାଇନସ୍:

ନୟାଗଡ଼ରେ AI କର୍ମଶାଳା: ପ୍ରଶାସନିକ କାର୍ଯ୍ୟରେ ଆଧୁନିକତାର ନୂଆ ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୦।୩(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ସହ ଜନସାଧାରଣଙ୍କୁ ସ୍ୱଚ୍ଛ ଓ ତ୍ୱରିତ ସେବା ଯୋଗାଇବା ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଦିନିକିଆ କୃତ୍ରିମ ବୁଦ୍ଧିମତ୍ତା (AI) ଉପଯୋଗ କର୍ମଶାଳା ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଧୁନିକ ଯୁଗରେ ଟେକ୍ନୋଲୋଜିର ସଠିକ୍ ବ୍ୟବହାର ମାଧ୍ୟମରେ କିପରି ସରକାରୀ କାର୍ଯ୍ୟକୁ ଅଧିକ ସରଳ, ଦ୍ରୁତ ଓ ପ୍ରଭାବଶାଳୀ କରାଯାଇପାରିବ, ସେଥିପାଇଁ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଏହି କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ବିଜୟାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଶାଖାର ପ୍ରାୟ ୫୦ରୁ ଅଧିକ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ। ରିସୋର୍ସ ପର୍ସନ ଭାବେ ଶୁଭମ ଚୌଧୁରୀ ଓ ରାକେଶ କୁମାର ପରିଡ଼ା ଯୋଗଦେଇ ପ୍ରଶାସନିକ କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ AI ଟୁଲ୍ସ ଓ ସଫ୍ଟୱେର୍‌ର ପ୍ରାୟୋଗିକ ବ୍ୟବହାର ସମ୍ପର୍କରେ ବିସ୍ତୃତ ଅବଗତି କରାଇଥିଲେ। ଡାଟା ମ୍ୟାନେଜମେଣ୍ଟ ଠାରୁ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ AI ର ଭୂମିକା ବିଷୟରେ ସେମାନେ ଆଲୋକପାତ କରିଥିଲେ।
ଓକାକ୍ (OCAC) ସୌଜନ୍ୟରେ ଓକେସିଏଲ (OKCL) ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ନୟାଗଡ଼ ଜିଲ୍ଲା ସଂଯୋଜକ ପ୍ରତାପ କୁମାର ମହାନ୍ତି ପରିଚାଳନାଗତ ସହଯୋଗ ଯୋଗାଇଥିଲେ। କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମାପନ ହେବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ରହିଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମତପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ପ୍ରଶାସନିକ କ୍ଷେତ୍ରରେ AI ର ବ୍ୟବହାର ଅପରିହାର୍ଯ୍ୟ ହେବ। ଏହା ଦ୍ୱାରା କେବଳ ସମୟ ବଞ୍ଚିବ ନୁହେଁ, ବରଂ ଜନସାଧାରଣଙ୍କ ସମସ୍ୟା ସମାଧାନରେ ଦ୍ରୁତତା ଓ ପାରଦର୍ଶିତା ଆସି ଏକ ନୂତନ ପରିବର୍ତ୍ତନ ଆଣିପାରିବ।

0
0
0
s2sdefault