ପୋଲିସ ହସ୍ତକ୍ଷେପରେ ଥାନାକୁ ନେଇ ତଦନ୍ତ
ଓଡ଼ଗାଁ, ୨୦।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଧୀନସ୍ଥ ଭୀମସେନ କୃଷି ବିଦ୍ୟାପୀଠ, ବାଉଁଶଗାଡ଼ିଆରେ ଜଣେ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗ ଆସିବା ପରେ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଅଭିଯୁକ୍ତ ଶିକ୍ଷକ ସୋମନାଥ ଚୌଧୁରୀଙ୍କୁ ଗ୍ରାମବାସୀ ଓ ପରିବାରଲୋକେ ବିଦ୍ୟାଳୟରେ ପଚରାଉଚରା କରିଥିବା ବେଳେ ପରିସ୍ଥିତି ତିବ୍ର ହୋଇଥିଲା।
୧୧୨ ଯୋଗେ ଅଭିଯୋଗ ପରେ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ନିଜ ହେପାଜତକୁ ନେଇ ଥାନାକୁ ଆଣିଥିଲେ । ପରେ ଥାନାରେ ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକମାନେ ଓ ଅଭିଯୋଗକାରୀ ମାନଙ୍କ ପକ୍ଷରୁ ଲୋକମାନେ ଉପସ୍ଥିତ ହୋଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଅଭିଯୋଗକାରୀମାନେ ଆଗାମୀ ଦିନରେ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟକୁ ଆସିବାକୁ ବିରୋଧ କରିଥିଲେ । ଏଥିରେ ଶିକ୍ଷକ ସମ୍ମତି ଜଣାଇବା ପରେ ଘଟଣାଟି ସ୍ଥାନୀୟ ସ୍ତରରେ ମିମାଂସା ହୋଇଥିବା କୁହାଯାଉଛି। ତେବେ ଏହି ଅଶ୍ଳୀଳ ମେସେଜ ଅଭିଯୋଗକୁ ନେଇ ଥାନାରେ ପୂର୍ବରୁ କୌଣସି ଲିଖିତ ଅଭିଯୋଗ ହୋଇନଥିବାରୁ ପୋଲିସ ଶିକ୍ଷକଙ୍କୁ ଛାଡ଼ିଦେଇଥିଲେ। ଏହି ଘଟଣା ସମ୍ପର୍କରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ମଧ୍ୟ ସୂଚନା ମିଳିଥିବା ଜଣାପଡ଼ିଛି। ବିଭାଗୀୟ କର୍ତ୍ତୃପକ୍ଷ କେଉଁ ପଦକ୍ଷେପ ଗ୍ରହଣ କରିବେ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି। ଅପରପକ୍ଷରେ, ଶୁକ୍ରବାର ଓଡ଼ଗାଁ ଥାନାରେ ଏହି ଘଟଣାକୁ ନେଇ ୮୪/୨୦୨୬ ନମ୍ବରରେ ଏକ ମାମଲା ରୁଜୁ ହୋଇଥିବା ଖବର ମିଳିଛି। ଏତେ ଗୁରୁତର ଅଭିଯୋଗ ହଠାତ୍ କିପରି ମିମାଂସା ହେଲା, ତାହାକୁ ନେଇ ସାଧାରଣ ମଧ୍ୟରେ ପ୍ରଶ୍ନ ହୋଇଛି।








