ମହିଳା ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧନା ଓ ବଡ଼ ଖାନା କାର୍ଯ୍ୟକ୍ରମ
ଓଡ଼ଗାଁ, ୧୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଅବସରରେ ସ୍ଥାନୀୟ ବ୍ଲକ୍ ରୋଡ଼ କଲ୍ୟାଣୀ ମଣ୍ଡପରେ ମହିଳା ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧନା ଓ ବଡ଼ ଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ନିହାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ ଓ ଓଡ଼ଗାଁ ଏନ୍ଏସିର ମୁଖ୍ୟ ପ୍ରଶାସକ କର୍ଣ୍ଣଦେବ ସମାଦାର, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ତହସିଲଦାର ଡା. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ଓ ପବିତ୍ର କୁମାର ସେଠୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନିଲାଞ୍ଜନ ଦାସ ଓ ଡାକ୍ତର ସମ୍ବିତ୍ ଉପସ୍ଥିତ ଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡ଼ଗାଁର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ କେବଳ ନୟାଗଡ଼ ନୁହେଁ, ସାରା ଓଡ଼ିଶା ପାଇଁ ଏକ ଉଦାହରଣ। ମହିଳାମାନେ ସମାଜର ମୂଳ ଭିତ୍ତି ଏବଂ ସହରକୁ ସ୍ୱଚ୍ଛ ରଖିବାରେ ସେମାନଙ୍କ ଅବଦାନ ଅସମାନ୍ୟ। “ମହିଳାଙ୍କ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ, ତେଣୁ ପ୍ରତିଦିନ ମହିଳା ଦିବସ” ବୋଲି ଅଭିମତ ପ୍ରକାଶ ପାଇଥିଲା।
ଏହି ଅବସରରେ ସଫେଇ କାର୍ଯ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ୪୦ ଜଣ ମହିଳାଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ସେଥିରେ ସଫେଇ କର୍ମୀ, ଏମଆରଏଫ୍ ଫାସିଲିଟେଟର, ଏନସିସି ଫାସିଲିଟେଟର, ମା’ ସନ୍ତୋଷୀ ମହିଳା ଗ୍ରୁପ, ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜରମାନେ ଅନ୍ତର୍ଭୁକ୍ତ ଥିଲେ।
କାର୍ଯ୍ୟକ୍ରମକୁ ଭାବଗ୍ରାହୀ ମହାପାତ୍ର ସଂଯୋଜନା କରିଥିବା ବେଳେ ଇଂ. ସତ୍ୟ ନାରାୟଣ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।








