ହେଡଲାଇନସ୍:

ପ୍ରଦୂଷଣ ନିୟନ୍ତ୍ରଣ ତଥା ବାଲ୍ୟ ବିବାହ ନିରାକରଣକୁ ନେଇ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ଏହି ଶିଶୁ କିପରି ଉତ୍ତମ ନାଗରିକ ହୋଇ ବାଲ୍ୟ ବିବାହ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ତଥା ପରିବେଶ ସୁରକ୍ଷା କରିପାରିବେ ଏହି କଥାକୁ ଚିନ୍ତା କରି ତଥା ଛାତ୍ରମାନଙ୍କୁ ଭବିଷ୍ୟତରେ ଆଦର୍ଶ ନାଗରିକ କରିବା ଉଦ୍ଦେଶ୍ୟ ନେଇ ଆଜି ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ରେଜିଷ୍ଟ୍ରାର ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ବେହେରା ବାଳକମାନଙ୍କୁ ଭବିଷ୍ୟତରେ ସୁନାଗରିକ ହୋଇ କିପରି ନାଁ କମାଇବେ ସେ ନେଇ ସଚେତନ କରିବା ସହ ଆଗକୁ ଆସୁଥିବା ଗ୍ରୀଷ୍ମଋତୁ ପୂର୍ବରୁ ବ୍ୟାପକ ବୃକ୍ଷରୋପଣ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପ୍ରଦୂଷଣ ରୋକିବା ତଥା ଡି.ସି.ପି.ଓ. ଅରୁଣ କୁମାର ତ୍ରିପାଠୀ ବାଲ୍ୟ ବିବାହ ରୋକିବା ନେଇ ରହିଥିବା ବିଭିନ୍ନ ଆଇନ ଉପରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଗୌରହରି କରସୁଧା ପଟ୍ଟନାୟକ ଛାତ୍ରମାନଙ୍କୁ ଜୀବନର ଲକ୍ଷ୍ୟ ଉପରେ ଉଦବୋଧନ ଦେଇଥିଲେ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ଓ ଜେଏମ୍ଏଫସି କୋର୍ଟର ଏ.ପି.ପି. ଏଡ଼ଲା ଶିବ କୁମାର ନିଜର ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ।
ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ. ଗିରିଧାରୀ ରାଓ ଓ ଗୋଷାଣୀ ବ୍ଲକ ଶିକ୍ଷା ଅଧିକାରୀ ସୋମେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ହୋଇ ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ। ସର୍ବଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ଦାସ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଛି।

0
0
0
s2sdefault