୪୨୮ ମାମଲାରୁ ୧୨୫ ଫଇସଲା, ୭.୪୪ ଲକ୍ଷ ଟଙ୍କା ଅସୁଲ,
ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ତାଲୁକ ଆଇନ ସେବା କମିଟି ଦ୍ୱାରା ଶନିବାର ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ମୋଟ ୪୨୮ଟି ବିଭିନ୍ନ ପ୍ରକାରର ମାମଲା ଉପସ୍ଥାପିତ ହୋଇଥିବାବେଳେ ୧୨୫ଟି ମାମଲାର ଫଇସଲା ହୋଇ ୭ ଲକ୍ଷ ୪୪ ହଜାର ଟଙ୍କା ଅସୁଲ କରାଯାଇଛି। ମୋଟର ଯାନ ଦୁର୍ଘଟଣା ସମ୍ବନ୍ଧୀୟ ୭ଟି ମାମଲାରୁ ୨ଟି ମାମଲାର ସମାଧାନ ହୋଇ ୫ ଲକ୍ଷ ୮୦ ହଜାର ଟଙ୍କା ଅସୁଲ ହୋଇଛି। ସେହିପରି ୨୭୩ଟି ବ୍ୟାଙ୍କ ଋଣ ସମ୍ବନ୍ଧୀୟ ମାମଲାରୁ ୧୭ଟି ମାମଲାର ଫଇସଲା ହୋଇ ଋଣ ଖିଲାପକାରୀଙ୍କ ଠାରୁ ୧ ଲକ୍ଷ ୬୪ ହଜାର ଟଙ୍କା ଅସୁଲ କରାଯାଇଛି କ୍ରିମିନାଲ କମ୍ପାଉଣ୍ଡେବୁଲ ୭ଟି ମାମଲାରୁ ୧ଟି ମାମଲାର ଫଇସଲା ହୋଇଥିବା ବେଳେ ଏନ୍ଆଇ ଆକ୍ଟ ସମ୍ବନ୍ଧୀୟ ୨ଟି ମାମଲାରୁ କୌଣସି ମାମଲାର ସମାଧାନ ହୋଇନାହିଁ। ଅନ୍ୟପଟେ ୭୧ଟି ସିଭିଲ ମାମଲାରୁ ୬୬ଟି ମାମଲା ଏବଂ ୬୮ଟି ବିଭିନ୍ନ ଅପରାଧିକ ମାମଲାରୁ ୩୯ଟି ମାମଲାର ଫଇସଲା ହୋଇଥିବା ଜଣାପଡ଼ିଛି। ଓଡ଼ଗାଁ ଅଦାଲତର ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ଜନ୍ମେଜୟ ଦାସ, ଦେୱାନୀ କନିଷ୍ଠ ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ ଓ ଗ୍ରାମ ନ୍ୟାୟାଳୟର ନ୍ୟାୟାଧିକାରୀ ସୌମ୍ୟାଶ୍ରୀ ମହାପାତ୍ର ମାମଲାଗୁଡ଼ିକର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାର ଆସୋସିଏସନର ସଭାପତି ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ସାହୁ, ସରକାରୀ ଓକିଲ ମନୋଜ କୁମାର ପଟ୍ଟନାୟକ, ଚିତ୍ତରଞ୍ଜନ ଦାଶ, ବରିଷ୍ଠ ଅଧିବକ୍ତା ଇନ୍ଦୁଭୂଷଣ ମିଶ୍ର ଓ ଅଧିବକ୍ତା ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସହିତ ଅନ୍ୟାନ୍ୟ ଓକିଲମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଶ୍ରଦ୍ଧାଞ୍ଜଳି ରଥ କରିଥିଲେ।








