“ଆଗେ ରାସ୍ତା ଦିଅ, ପରେ ପ୍ରାଚିର କର” ବୋଲି ଗ୍ରାମବାସୀଙ୍କ ଦାବି
ଓଡ଼ଗାଁ,୧୪।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଓଡ଼ିଶା ପରିବହନ ନିଗମ ଦ୍ୱାରା ନିର୍ମାଣଧୀନ ବସଷ୍ଟାଣ୍ଡର ପୂର୍ବ ପାର୍ଶ୍ୱରେ ପ୍ରାଚିର ନିର୍ମାଣକୁ ନେଇ ତିନୋଟି ମୈ।ଜର ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଶନିବାର ସନ୍ଧ୍ୟାରେ ପୋଲିସ ହାଉସିଙ୍ଗ କର୍ପୋରେସନର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଶୁଭେନ୍ଦୁ କୁମାର ମହାନ୍ତି ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ପରିଦର୍ଶନ ପାଇଁ ଆସିଥିବା ବେଳେ ଏନ୍ଏସି ଅନ୍ତର୍ଭୁକ୍ତ ଖଜୁରିଆ, ମଠଖଜୁରିଆ ଓ କୁମ୍ଭିଆପଲ୍ଲୀ ଗ୍ରାମର ପ୍ରାୟ ଶତାଧିକ ଲୋକ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। ଗ୍ରାମବାସୀମାନେ କହିଥିଲେ ଯେ, ବସଷ୍ଟାଣ୍ଡ ନିର୍ମାଣକୁ ସେମାନେ ସମର୍ଥନ କରୁଛନ୍ତି, କିନ୍ତୁ ପ୍ରାଚିର ନିର୍ମାଣ ପୂର୍ବରୁ ସେହି ଅଞ୍ଚଳରେ ଓସାରିଆ ରାସ୍ତା ବ୍ୟବସ୍ଥା କରାଯିବା ଆବଶ୍ୟକ। ନଚେତ ପ୍ରାଚିର ନିର୍ମାଣ ସମୟରେ ସେମାନେ ବାଧା ସୃଷ୍ଟି କରିବାକୁ ବାଧ୍ୟ ହେବେ ବୋଲି ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଜଣାଇଥିଲେ। ସେମାନଙ୍କ କହିବା ଅନୁସାରେ, ପ୍ରତିଦିନ ପ୍ରଭାତରେ ଏହି ତିନି ମୌଜାର ଚାଷୀମାନେ ଫସଲ ଅମଳ କରି ଏହି ରାସ୍ତାଦେଇ ଓଡ଼ଗାଁ ବଜାରକୁ ଯାଆନ୍ତି। ତଥା ନିକଟସ୍ଥ ଏକ ଘରୋଇ କଲେଜକୁ ପ୍ରତିଦିନ ପ୍ରାୟ ୫୦୦ରୁ ୬୦୦ ଛାତ୍ରଛାତ୍ରୀ ଏହି ରାସ୍ତା ବ୍ୟବହାର କରି ଆସୁଥିବାରୁ ଏଠାରେ ଚଉଡ଼ା ରାସ୍ତା ନିର୍ମାଣ ହେବା ଅତ୍ୟାବଶ୍ୟକ। ଏହା ପରେ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଗ୍ରାମବାସୀଙ୍କୁ ଏହି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ତହସିଲଦାର, ଏନ୍ଏସି କର୍ତ୍ତୃପକ୍ଷ ଓ ଓଡ଼ିଶା ସଡ଼କ ପରିବହନ ନିଗମକୁ ଲିଖିତ ଭାବେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ।








