୧୦,୮୩୪ ମାମଲାର ଫଇସଲା, ୩୩ କୋଟିରୁ ଅଧିକ ଟଙ୍କାରେ ସମାଧାନ
ବଲାଙ୍ଗିର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ତା.୧୪/୦୩ : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସହିତ ଜିଲ୍ଲାର ସମସ୍ତ ତାଲୁକ ସ୍ତରର କୋର୍ଟ ଓ ତୁଷୁରା କୋର୍ଟରେ ଚଳିତ ବର୍ଷ ୨୦୨୬ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ଏହି ଲୋକ ଅଦାଲତ ଭାରପ୍ରାପ୍ତ ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ମଳୟ ରଞ୍ଜନ ଦାଶ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀଦୀପ୍ ମିଶ୍ରଙ୍କ ଉପସ୍ଥିତିରେ ପରିଚାଳିତ ହୋଇଥିଲା।
ଏଥିରେ ପିଏଲଏ (ପିଏଉଏସ) ର ଚେୟାରମ୍ୟାନ ଶ୍ରୀ ବିମଲ କୁମାର ଚାନ୍ଦ, ଅତିରିକ୍ତ ଜିଲ୍ଲା ଜଜ୍ (ଦ୍ୱିତୀୟ) ଶ୍ରୀମତୀ ଅଞ୍ଜଳି ପାଢ଼ୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶଙ୍ଖ ଚକ୍ରବର୍ତୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର, ସିଭିଲ୍ ଜଜ୍ (ବରିଷ୍ଠ) ବୈଶାଳୀ ନାୟକ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ) ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ଏସ୍ଡିଜେଏମ୍ ଦୀପାରାଣୀ ଜେନା, ସିଭିଲ୍ ଜଜ୍ (କନିଷ୍ଠ) ସାସ୍ୱତୀ ମହାପାତ୍ର, ଜେଏମଏଫସି ଦୀପାଳି ଦାସ ଓ ଅର୍ଘ୍ୟରୂପା ମିଶ୍ର ସହ ଜିଲ୍ଲା ବାରର ଅଧିକାଂଶ ଅଧିବକ୍ତା ଉପସ୍ଥିତ ଥିଲେ। ଏହାସହ ଜିଲ୍ଲାର ବିଭିନ୍ନ ରାଜସ୍ୱ ବିଭାଗ, ଜାତୀୟକରଣ ବ୍ୟାଙ୍କ, ଜଳ, ବିଦ୍ୟୁତ ଓ BSNL ବିଭାଗର କର୍ମଚାରୀମାନେ ମଧ୍ୟ ଯୋଗଦେଇଥିଲେ।
ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ସଚେତନତା ବୃଦ୍ଧି ପାଇଁ ମଧ୍ୟସ୍ଥତା ଅଭିଯାନର ଶିବିର ମଧ୍ୟ ଖୋଲାଯାଇଥିଲା।
ଏହି ଲୋକ ଅଦାଲତରେ ୧୫ଟି ଦେୱାନୀ ମାମଲା ୫,୬୩,୮୬୧ ଟଙ୍କାରେ ସମାଧାନ ହୋଇଥିବା ବେଳେ ୮ଟି ବ୍ୟାଙ୍କ ମାମଲା ୩୦,୧୪,୬୧୨.୦୭ ଟଙ୍କାରେ ସମାଧାନ ହୋଇଥିଲା। ସେପରି ୧୪ଟି ମଟର ଦୁର୍ଘଟଣା ମାମଲାରେ ୪୭,୦୬,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ହୋଇଥିଲା। ୩୮୬ଟି ଫୌଜଦାରୀ ମାମଲା ୩୭,୭୨,୫୮୫ ଟଙ୍କାରେ ସମାଧାନ ହୋଇଥିଲା ଓ ପାରିବାରିକ ମିଳାମିଶାରେ ୪ଟି ମାମଲାର ନିଷ୍ପତ୍ତି ହୋଇଥିଲା।
ଏହାସହ ୮୮୮୭ଟି ରାଜସ୍ୱ ମାମଲାର ବିଚାର କରାଯାଇ ୧୮,୭୮,୭୦୦ ଟଙ୍କା ଆଦାୟ କରାଯାଇଥିଲା। ୧୫୨୦ଟି ପ୍ରାକ୍-ମକଦ୍ଦମା ମାମଲାର ସମାଧାନ ହୋଇ ୧୯,୩୦,୬୬,୭୬୬ ଟଙ୍କାରେ ସେଟଲମେଣ୍ଟ ହୋଇଥିଲା। ସମୁଦାୟରେ ମୋଟ ୧୦,୮୩୪ଟି ମାମଲାର ଫଇସଲା ହୋଇ ୩୩,୨୪,୨୪,୩୪.୦୭ ଟଙ୍କାରେ ସମାଧାନ ହୋଇଥିବା ଜଣାପଡ଼ିଛି। ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଭାରପ୍ରାପ୍ତ ସଚିବ ଶ୍ରୀଦୀପ୍ ମିଶ୍ର ପରିଚାଳନା କରିଥିବାବେଳେ ଆଇନ ଶୃଙ୍ଖଳା ରକ୍ଷାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ ପ୍ରଦାନ କରିଥିଲା।








