ବିଜେପୁର :-ରାଜ୍ୟରେ ପ୍ରଶାସନିକ ପୁନର୍ଗଠନ ନେଇ ଚର୍ଚ୍ଚା ଚାଲିଥିବାବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ କହିଛନ୍ତି ଯେ ସରକାରଙ୍କ ନିକଟକୁ ୬୬ଟି ନୂତନ ସବ୍-ଡିଭିଜନ ଗଠନ ପାଇଁ ପ୍ରସ୍ତାବ ଆସିଛି। ଏହି ପରିପ୍ରେକ୍ଷିତରେ ବିଜେପୁର ଅଞ୍ଚଳକୁ ସ୍ୱତନ୍ତ୍ର ସବ୍-ଡିଭିଜନ ମାନ୍ୟତା ଦେବା ଦାବୀ ଜୋରଦାର ହୋଇଛି।ଆଜି ଶନିବାର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅପରାହ୍ନ ୪ଟାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ନବ କୁମାର ସାହୁଙ୍କ ସଭାପତିତ୍ୱରେ ହୋଇଥିବା ଏହି ସମାବେଶରେ ସହ ଶହ ଅଞ୍ଚଳବାସୀ ଯୋଗଦେଇଥିଲେ। ସଭା ପରିବେଶ ଏକତା, ଉତ୍ସାହ ଓ ଦୃଢ଼ ସଂକଳ୍ପରେ ଗୁଞ୍ଜରିତ ହୋଇଉଠିଥିଲା।
ସଭାର ମୂଳ ଉଦ୍ଦେଶ୍ୟ ଥିଲା—ଯଦି ପଦ୍ମପୁର କୁ ଜିଲ୍ଲା ମାନ୍ୟତା ମିଳେ, ତେବେ ପ୍ରସ୍ତାବିତ ନୂତନ ଜିଲ୍ଲାରେ ବିଜେପୁରକୁ ଅନ୍ତର୍ଭୁକ୍ତ ନକରି ସ୍ୱତନ୍ତ୍ର ଭାବେ ସବ୍-ଡିଭିଜନ ଘୋଷଣା କରାଯାଉ। ବକ୍ତାମାନେ କହିଥିଲେ ଯେ ବିଜେପୁର ଭୌଗୋଳିକ ଭାବେ ବିସ୍ତୃତ ଓ ଜନସଂଖ୍ୟାରେ ସମୃଦ୍ଧ। କୃଷି, ବାଣିଜ୍ୟ ଓ ସାମାଜିକ ଗଠନରେ ଏହା ସ୍ୱୟଂସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରଶାସନିକ ମାନ୍ୟତାରେ ପଛକୁ ପଡ଼ି ରହିଛି।ସଭାପତି ନବ କୁମାର ସାହୁ ନିଜ ଅଭିଭାଷଣରେ କହିଥିଲେ ଯେ ସବ୍-ଡିଭିଜନ ମାନ୍ୟତା ମିଳିଲେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ, ଉପ-ନ୍ୟାୟାଳୟ, ତହସିଲ ଓ ବିଭିନ୍ନ ଶାସକୀୟ ବିଭାଗ ସ୍ଥାପିତ ହେବ। ଏହା ଫଳରେ ସାଧାରଣ ଲୋକମାନେ ପ୍ରଶାସନିକ ସେବା ପାଇଁ ଦୂରସ୍ଥ ସ୍ଥାନକୁ ଯିବାର ଅସୁବିଧାରୁ ମୁକ୍ତ ହେବେ। ବିଶେଷ କରି ଚାଷୀ, ଛାତ୍ରଛାତ୍ରୀ ଓ ଆର୍ଥିକ ଭାବେ ପଛୁଆ ଶ୍ରେଣୀ ପାଇଁ ଏହା ଉପକାରୀ ହେବ।ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ ବିଜେପୁର ଅଞ୍ଚଳ ଧାନ, ଡାଲି ଓ ବିଭିନ୍ନ କୃଷିପଣ୍ୟ ଉତ୍ପାଦନରେ ରାଜ୍ୟରେ ଗୁରୁତ୍ୱ ରଖେ। ତଥାପି ପ୍ରଶାସନିକ କାମ ପାଇଁ ଲୋକମାନେ ବରଗଡ଼ କିମ୍ବା ଅନ୍ୟ ସ୍ଥାନକୁ ଯିବାବାକୁ ବାଧ୍ୟ। ସବ୍-ଡିଭିଜନ ମାନ୍ୟତା ମିଳିଲେ ସମୟ, ଧନ ଓ ଶ୍ରମର ଅପଚୟ କମିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ସଭାର ଶେଷରେ ଏକ ସମୂହ ଦାବୀପତ୍ର ପ୍ରସ୍ତୁତ କରାଯାଇ ମୋହନ ଚରଣ ମାଝୀଙ୍କୁ ପ୍ରେରଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟାଙ୍କୁ ମଧ୍ୟ ଦାବୀପତ୍ର ହସ୍ତାନ୍ତର କରାଯାଇଥିଲା
।ଅଞ୍ଚଳବାସୀ ମାନେ ସ୍ପଷ୍ଟ କରିଥିଲେ ଯେ ଏହି ଦାବୀ କୌଣସି ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ; ବରଂ ସମଗ୍ର ଅଞ୍ଚଳର ଦୀର୍ଘକାଳୀନ ଉନ୍ନତି ପାଇଁ। ଯଦି ଦାବୀ ପୂରଣ ନହୁଏ, ତେବେ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସୂଚନା ଦେଇଛନ୍ତି।ସମଗ୍ର ସଭାଟି ଶୃଙ୍ଖଳାବଦ୍ଧ ଭାବେ ସମାପ୍ତ ହୋଇଥିବାବେଳେ ବିଜେପୁରର ପ୍ରଶାସନିକ ଭବିଷ୍ୟତ ନେଇ ନୂତନ ଆଶାର ସୃଷ୍ଟି ହୋଇଛି। ଏବେ ସମସ୍ତଙ୍କ ଦୃଷ୍ଟି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।








