ହେଡଲାଇନସ୍:

ଲୋକ ଅଧିକାର ଯାତ୍ରା କେନ୍ଦୁଝରରେ ପହଞ୍ଚିଲା, ନଗରଭବନରେ ଜଳ,ଜଙ୍ଗଲ,ଜମି ସୁରକ୍ଷା ଲାଗି ଆଲୋଚନାଚକ୍ର ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୨୮/୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଟିକରପଡା,କାଦଗଡ଼,ମହାଦେ ଈଯୋଡ଼ା, ଧାତିକା ଆଦି ଅଂଚଳର ତିନି ଫସଲି ଉର୍ବର ଜମିରେ ଏସାର ମିନମେଣ୍ଟ କମ୍ପାନୀର ପ୍ରସ୍ତାବିତ ବେନିଫିକେସନ ପ୍ଲାଣ୍ଟକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରୁଛନ୍ତି। ତେଣୁ ପ୍ରଥମ ଜନଶୁଣାଣୀ ଏଠାରେ ବିଫଳ ହୋଇଥିବା ବେଳେ କମ୍ପାନୀ ଦଲାଲଙ୍କ ମାଧ୍ୟମରେ ନକଲି ଲୋକଙ୍କୁ ପୁରାଇ ଦ୍ୱିତୀୟ ଜନଶୁଣାଣୀ କରିଥିବାର ଗୁରୁତର ଅଭିଯୋଗ ହୋଇଥିଲା। ଆଜି ତେଣୁ କେନ୍ଦୁଝର ସହର ନଗରଭବନ ଠାରେ ଏହି ସମସ୍ୟା ନେଇ ଏକ ପ୍ରେସମିଟ ସହ ଆଲୋଚନାଚକ୍ର କରିବାକୁ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ୱରେ ଲୋକ ଅଧିକାର ଯାତ୍ରା ମୟୁରଭଞ୍ଜରୁ କେନ୍ଦୁଝର ପହଞ୍ଚି ଥିଲା। ଲୋକଶକ୍ତି ଅଭିଯାନ ଏହି କାର୍ଯ୍ୟକ୍ରମ ରାଜ୍ୟ ସାରା କରି ଲୋକଙ୍କୁ ଜଳ,ଜଙ୍ଗଲ ଓ ଜମି ଅଧିକାର ସୁରକ୍ଷା ଲାଗି ସଚେତନ କରୁଥିବା ଜଣାଯାଇଛି। ନଗରଭବନରେ ସ୍ଥାନୀୟ ଏସାର ମିନମେଣ୍ଟ ବିରୋଧୀ ମଞ୍ଚର ସଭାପତି ମଧୁସୂଦନ ସାହୁଙ୍କ ନେତୃତ୍ୱରେ ଆଜି ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ବାହାରୁ ଆସିଥିବା ଅତିଥିଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ। ଲୋକଙ୍କ ଅଧିକାର, ନ୍ୟାର୍ଯ୍ୟ ହକ, ଜଳ ଜଙ୍ଗଲ ଜମି ସୁରକ୍ଷା ଲାଗି ସମସ୍ତେ ଏକମତ ହୋଇଥିଲେ। ପାଟଣାରେ ପ୍ରଶାସନ ପୋଲିସ ଲଗେଇ ଜନଶୁଣାଣୀ ସହ ଏସାର କମ୍ପାନୀ ଭଡାଟିଆ ଦଲାଲଙ୍କୁ ଆଣି ଜବରଦସ୍ତି ପ୍ଲାଣ୍ଟ କରିବାକୁ ଯେଉଁ ମସୁଧା କରୁଛନ୍ତି ତାହାର ସମସ୍ତେ ନିନ୍ଦା କରିଥିଲେ। ଲୋକଙ୍କ ସହ ଆଲୋଚନା କରି ଖଣି ଅଂଚଳରେ ପଡିରହିଥିବା ଅବ୍ୟବହୃତ ଜମିରେ ଶିଳ୍ପ କରିବାକୁ ସମସ୍ତେ ମତ ଦେଇ ଚାଷ ଜମି ନଛାଡିବାକୁ ସଂକଳ୍ପ ନେଇଥିଲେ। ସରକାର ଲୋକଙ୍କ ସହ ଆଲୋଚନା କରନ୍ତୁ ପରିବେଶ ସୁରକ୍ଷା ଲାଗି ବିଭିନ୍ନ ସ୍ତରରେ ଆଲୋଚନାଚକ୍ର ହେଉବୋଲି ଆଲୋଚନା ହୋଇଥିଲା। ଏଠାରେ ଆଜି ବିଭିନ୍ନବର୍ଗର ଲୋକେ ଆସି ଲୋକ ଅଧିକାର ଯାତ୍ରାକୁ ଆର୍ଥିକ ସହାୟତା ପ୍ରଦାନ କରି ସମର୍ଥନ କରିଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନ ନ୍ୟାୟ ଯାତ୍ରା ଜାତୀୟ ଓ ଆନ୍ତର୍ଜାତିକ ସ୍ତରକୁ ଯାଇ ସମସ୍ତଙ୍କ ସମର୍ଥନ ନିଶ୍ଚିତ ପାଇବ ବୋଲି ଦୃଢୋକ୍ତି ପ୍ରକାଶ ପାଇଥିଲା। ଆଜି ସଫଳତାର ସହ ସଭା ଓ ଆଲୋଚନାଚକ୍ର କରି ବକ୍ତା ମାନେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରିଥିଲେ। ସଭାସାରି ଯୋଡ଼ା ଦେଇ କୋଇଡ଼ା ଯାଏ ଆଜି ଏହି ଯାତ୍ରା ଯାଉଥିବା ଜଣାଯାଇଛି।ଆଜି କାର୍ଯ୍ୟକ୍ରମରେ ପରିବେଶ ରକ୍ଷକ ଜନ ଆନ୍ଦୋଳନକାରୀ ପ୍ରଫୁଲ୍ଲ ସାମନ୍ତରା,ଅଧ୍ୟକ୍ଷ,ଲୋକଶକ୍ତି ଅଭିଯାନ,ଓଡ଼ିଶା, ନରେନ୍ଦ୍ର ମହାନ୍ତି,ରାଜ୍ୟ ଆବାହକ,ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍.), ଡଃ ବିଶ୍ୱଜିତ-ଗାନ୍ଧୀ, ଶାନ୍ତି ପ୍ରତିଷ୍ଠାନ ତଥା ସର୍ବୋଦୟ ନେତା,ସାମାଜିକ କର୍ମୀ,କଲ୍ୟାଣ ଆନନ୍ଦ, ସାମ୍ୟବାଦୀ ନେତା ବାସୁଦେବ ଦାସ,
ରାଜକିଶୋର ସୁନାନୀ, ସାଂସ୍କୃତିକ କର୍ମୀ, ଲକ୍ଷ୍ମଣ ନାୟକ, ମା' ମାଟି ମାଳି ସୁରକ୍ଷା ମଞ୍ଚ(ରାୟଗଡ଼ା ଓ କଳାହାଣ୍ଡି), ସୁଶାନ୍ତ ମହାନ୍ତି (ସାମାଜିକ କର୍ମୀ), ସର୍ବେଶ୍ୱର ସାହୁ (ଗବେଷକ), ରାଜୀବ ସିଂ ପାଲ୍ (ସାମାଜିକ କର୍ମୀ), ସୁକାନ୍ତ ପ୍ରଧାନ ତତସହିତ ଆୟୋଜକ ଏସାର ମିନମେଣ୍ଟ ବିରୋଧୀ ମଞ୍ଚର ସଭାପତି ଶ୍ରୀଯୁକ୍ତ ମଧୁସୂଦନ ସାହୁ, ସଂଯୋଜକ ମନୋଜ କୁମାର ସାହୁ ଓ ସନ୍ତୋଷ କୁମାର ବେହେରା, ବିକାଶ ସାହୁ, ରମେଶ ମୁର୍ମୁ, ପରମେଶ୍ବର ମାଝି ଏବଂ ଏହି ଅଞ୍ଚଳର ମାନ୍ୟଗଣ୍ୟ ବୁଦ୍ଧିଜୀବୀ ତଥା ଏସାର ମିନମେଣ୍ଟ ବିରୋଧୀ ମଞ୍ଚର ସମସ୍ତ ନାରୀ ଶକ୍ତି ତଥା ଟିକରପଡା, କାଦଗଡ଼, ଧାତିକା, ମୋହଦେଈଯୋଡା,ବରଦାପାଳ , ରଥମାରା, କୁଡ଼ିଆଘରା, ଗୋପିନାଥପୁର, ସିଲିସୁଆଁର ସାଧାରଣ ଲୋକେ ଉପସ୍ଥିତ ଥାଇ ମାନବିକ ଅଧିକାର ତଥା ନିଜ ଅଞ୍ଚଳର ଜଳ, ଜଙ୍ଗଲ,ଜମି, ଜୀବିକା ଏବଂ ବୈତରଣୀ ନଦୀର ସୁରକ୍ଷା ସମ୍ବନ୍ଧୀୟ ଅନେକ ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିଲେ। ଉକ୍ତ ଲଢେଇ ଶେଷ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବଳବତ୍ତର ରଖିବାକୁ ଆଜି ମିଳିତ ନିଷ୍ପତ୍ତି ନେଇ 'ଇନକ୍ଵିଲାବ ଜିନ୍ଦାବାଦ' ନାରା ସହ ସଭା ସାଙ୍ଗ କରାଯାଇଥିଲା।

0
0
0
s2sdefault