ହେଡଲାଇନସ୍:

ଦୁର୍ବୃତ୍ତଙ୍କ ଆତଙ୍କ, ପୋଲିସର ନିରବତା! ୪ ଦିନ ପରେ ମଧ୍ୟ ଫେରାର ଆସାମୀ,ନ୍ୟାୟ ଅପେକ୍ଷାରେ ପୀଡିତ ଓ ଗ୍ରାମବାସୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରାପଡା:୨୫/୦୨(ପ୍ରଫୁଲ୍ଲ କୁମାର ମଲ୍ଲ) ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଡେରାବିଶ ଅଞ୍ଚଳରେ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଦୁର୍ବୃତ୍ତଙ୍କ ଆତଙ୍କ ସହ ପୋଲିସର ନିସ୍କ୍ରିୟତା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଦୀର୍ଘ ଦିନର ଜମି ବିବାଦ ନେଇ ରବିବାର ଦିନ କିଛି ଦୁର୍ବୃତ୍ତ ମିଶି ଏକ ଯୁବକଙ୍କୁ ଧାରୁଆ ଅସ୍ତ୍ର ଓ ଲାଠିରେ ନିର୍ମମ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ, ପରେ ଜିଲ୍ଲା ଓ କଟକ ଚିକିତ୍ସାଳୟକୁ ନେଇଯାଇଥିବା ପରେ ବର୍ତ୍ତମାନ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। କିନ୍ତୁ ଚିକିତ୍ସାରେ ଭାରି ଖର୍ଚ୍ଚ ହେଉଥିବାରୁ ପରିବାର ଆର୍ଥିକ ସଙ୍କଟରେ ପଡ଼ିଥିବା ବେଳେ ଅର୍ଥାଭାବ ଚିକିତ୍ସାରେ ବଡ଼ ବାଧା ସାଜିଛି।ପରିବାର ପକ୍ଷରୁ ସରକାରୀ ସହାୟତା ଦାବି ହେଉଛି। ଘଟଣା ପରେ ପରିବାର ଡେରାବିଶ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସର କାର୍ଯ୍ୟକଳାପ ଉପରେ ଏବେ ପ୍ରଶ୍ନ ଉଠିଛି। ଚାରି ଦିନ ବିତି ଯାଇଥିବା ସତ୍ତ୍ୱେ କେବଳ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି, ଅନ୍ୟ ଦୁଇ ଆସାମୀ ଖୁଲମଖୁଲା ଘୁରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ପୋଲିସର କାର୍ଯ୍ୟପ୍ରଣାଳୀ ଉପରେ ଗୁରୁତର ସନ୍ଦେହ ସୃଷ୍ଟି କରିଛି।
ଅଞ୍ଚଳରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି — କୌଣସି ପ୍ରଭାବଶାଳୀ ମହଳର ଚାପରେ ମାମଲାକୁ ଧୀରେ ଚଲା ଯାଉଛି କି? ଯଦିଓ ଏନେଇ ପୋଲିସ ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ମିଳୁନାହିଁ, କିନ୍ତୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି।ଘଟଣା ପରେ ଗ୍ରାମରେ ଭୟ ଓ ଆତଙ୍କର ପରିବେଶ ଦେଖା ଦେଇଛି। ଦୁର୍ବୃତ୍ତମାନେ ମୁକ୍ତ ଘୁରୁଥିବାରୁ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପରିସ୍ଥିତି ଦୃଷ୍ଟିରେ ପୋଲିସ ପହରା ବଢ଼ାଇଥିବା କୁହା ଯାଉଥିଲେ ମଧ୍ୟ ଲୋକମାନେ ଏହାକୁ ଦେଖାଦେଖି କାର୍ଯ୍ୟ ବୋଲି ଅଭିଯୋଗ କରୁଛନ୍ତି।
ସ୍ଥାନୀୟ ଲୋକଙ୍କ ମତ, ଦୀର୍ଘଦିନ ଧରି ଚାଲୁଥିବା ଜମି ବିବାଦ ନେଇ ପୂର୍ବରୁ ମଧ୍ୟ ଅନେକଥର ଟଣାଟଣି ହୋଇଥିଲା।ଯଦି ସଠିକ ସମୟରେ ପ୍ରଶାସନ ହସ୍ତକ୍ଷେପ କରିଥାନ୍ତା ହେଲେ ଏପରି ମରଣାନ୍ତକ ଆକ୍ରମଣ ହୋଇନଥାନ୍ତା ବୋଲି ମତ ପ୍ରକାଶ ପାଇଛି। ଏବେ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଗିରଫ କରି କଡ଼ା କାର୍ଯ୍ୟନୁଷ୍ଠାନ ଓ ପୀଡ଼ିତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ପୋଲିସ ଆଗାମୀ ଦିନରେ କେତେ ଦ୍ରୁତ ପଦକ୍ଷେପ ନେବ ତାହାକୁ ନେଇ ସମସ୍ତଙ୍କ ଦୃଷ୍ଟି ରହିଛି।

0
0
0
s2sdefault