ଓଡ଼ଗାଁ,୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଏକାଦଶାହ ଅବସରରେ ଓଡ଼ଗାଁ କଲ୍ୟାଣ ମଣ୍ଡପରେ କମ୍ରେଡ ବିଶ୍ୱନାଥ ମହାପାତ୍ରଙ୍କ ସଭାପତିତ୍ୱରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବନ୍ଧୁ–ପରିଜନ, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ତାଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଗାନ୍ଧିବାଦୀ ଚିନ୍ତାଧାରାର ପ୍ରେରକ ପୂର୍ଣ୍ଣଚନ୍ଦ୍ର ଦାସ ଶେଷ ଜୀବନ ପର୍ଯ୍ୟନ୍ତ ଖଦଡ଼ ବସ୍ତ୍ର ପରିଧାନ କରି ସ୍ୱଦେଶୀ ଆନ୍ଦୋଳନକୁ ଅଗ୍ରସର କରୁଥିଲେ। ତାଙ୍କ ପ୍ରୟାସରେ ବୋଲଗଡ଼ସ୍ଥିତ ଉତ୍କଳମଣି ଖଦି ଗ୍ରାମୋଦ୍ୟୋଗ ସଂଘର ସହଯୋଗରେ ଓଡ଼ଗାଁରେ ଖଦି ଉତ୍ପାଦନ କେନ୍ଦ୍ର ଖୋଲାଯାଇଥିଲା। ଢିଙ୍କି ସୋସାଇଟି ଗଠନ କରି ଗ୍ରାମାଞ୍ଚଳରେ ଢିଙ୍କି କୁଟା ଚାଉଳ ବ୍ୟବହାର ଓ ପରିବେଶ ସଫା ସୁଥା ପାଇଁ ସେ ସଚେତନତା ସୃଷ୍ଟି କରୁଥିଲେ। ସରଳ ଜୀବନ ଓ ଉତ୍ତମ ବ୍ୟବହାର ପାଇଁ ସେ ସମସ୍ତଙ୍କ ହୃଦୟରେ ସ୍ଥାନ ଦଖଲ କରିଥିଲେ। ସଭାରେ ବ୍ଳକ୍ ରାସ୍ତାକୁ “ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ମାର୍ଗ” ନାମକରଣ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇବା ଓ ପ୍ରତିବର୍ଷ ଜଣେ ସମାଜସେବୀଙ୍କୁ “ପୂର୍ଣ୍ଣଚନ୍ଦ୍ର ସ୍ମୃତି ସମ୍ମାନ” ପ୍ରଦାନ କରିବା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଡ଼. ବେଣୁଧର ଦାସ ସହିତ ଅନେକ ବ୍ୟକ୍ତି ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମଟିକୁ ପୂଣ୍ୟାଦର୍ଶନ ସାହୁ ସଂଯୋଜନା କରିଥିଲେ।
ରାଜ୍ୟ
ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଶ୍ରଦ୍ଧାଞ୍ଜଳି
- Hits: 40








