ଜଗତସିଂହପୁର,ତା-୨୪. ୦୨. ୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜାତୀୟ ଆଇନ ସେବା ପ୍ରାଧିକରଣର "ଆସା" ଯୋଜନା ଅନୁଯାୟୀ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଏକ ସଚ଼େତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସଚିବ ବିଡିଡି ଚ଼ନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଷ୍ଣୁପ୍ରିୟା ସେଠୀ, ଉପ ଆରକ୍ଷୀ ଅଧିକ୍ଷକ ସରୋଜିନୀ ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚ଼ରଣ ରାଉତ, ଆଇସିଡିଏସ୍ ସୁପରଭାଇଜର,ଚାଇଲ୍ଡଲାଇନ୍ର କର୍ମକର୍ତ୍ତା, ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ । ସଚ଼ିବ ବିଡିଡି ଚ଼ନ୍ଦନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ୧୮ ବର୍ଷରୁ କମ୍ କନ୍ୟା ସନ୍ତାନମାନ ଓ ୨୧ ବର୍ଷରୁ ପୁତ୍ର ସନ୍ତାନଙ୍କୁ ବିବାହ କରାଇବା ଏକ ଦଣ୍ଡନୀୟ ଅପରାଧ । ବାଲ୍ୟବିବାହ ନିଷେଧ ଆଇନ ୨୦୦୭ ଅନୁଯାଇ ବାଲ୍ୟ ବିବାହରେ ଜଡିତ ଥିବା ବ୍ୟକ୍ତିଙ୍କୁ ୨ ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ୍ୟ ଟଙ୍କା ଜୋରିମାନାର ବ୍ୟବସ୍ଥା ମଧ୍ୟ ଅଛି। ଏହି ଆଇନ ସମସ୍ତ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଲାଗୁ। ବାଲ୍ୟ ବିବାହକୁ ରୋକିବାକୁ ଶିକ୍ଷକ, ଆଶା ଓ ଅଙ୍ଗନୱାଡି କର୍ମୀ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ତୃଣମୂଳ ସ୍ତରରେ ବାଲ୍ୟ ବିବାହକୁ ଚ଼ିହ୍ନଟ କରି ବାଲ୍ୟବିବାହ ନିଷେଧ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କରି ନିଷେଧ କରିପାରିବେ I ଯେକୌଣସି ସମସ୍ଯାର ତ୍ଵରିତ ସମାଧାନ ନିମନ୍ତେ ଜାତୀୟ ଆଇନ ସେବା ପ୍ରାଧୀକରଣ ହେଲ୍ପଲାଇନ ନମ୍ବର ୧୫୧୦୦ରେ ଯୋଗାଯୋଗ କରିବାକୁ ସଚିବ ସଚେତନ କରାଇଥିଲେ I ସେହିପରି ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ସେଠୀ କହିଥିଲେ ଯେ ପ୍ରତ୍ୟେକ ବ୍ଳକରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ କ୍ଷମତା ଦିଆଯାଇଛି।ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନିଜ ଅଞ୍ଚଳରେ ଘଟୁଥିବା ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଲ୍ୟବିବାହ ନିଷେଧ ଅଧିକାରୀ ସୂଚ଼ନା ପାଇଲା ପରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ପୋଲିସକୁ ନେଇ ଏକ ଟିମ୍ ଗଠନ କରି ବାଲ୍ୟ ବିବାହକୁ ନିଷେଧ କରିଥାନ୍ତି। ସେହିପରି ଉପଆରକ୍ଷୀ ଅଧିକ୍ଷକ ଶ୍ରୀମତି ସିଂ କହିଥିଲେ ଯେ ବାଲ୍ୟ ବିବାହ ରୋକିବା ପାଇଁ ସ୍ଵତନ୍ତ୍ର କିଶୋର ପୁଲିସ ୟୁନିଟ୍ କାମ କରିଥାନ୍ତି ଏବଂ ତଥ୍ୟ ପ୍ରଦାନ କରିଥିବା ବ୍ୟକ୍ତିର ପରିଚୟ ଗୋପନ ରହେ I ଅନ୍ୟତମ ବକ୍ତା ଭାବେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାଉତ ବାଲ୍ୟ ବିବାହ ନିଷେଧ କରିବାରେ ଗାଁ କଲ୍ୟାଣ ସମିତିର ଭୂମିକା ବିଷୟରେ ମଧ୍ୟ ଆଲୋଚନା କରିବା ସହ
ପ୍ରତ୍ୟେକ ଅବିଭାବକମାନେ ତାଙ୍କ କନ୍ୟା ସନ୍ତାନମାନଙ୍କୁ କିପରି ବିଦ୍ୟାଳୟରେ ନାମ ଲେଖାଇ ଉଚ୍ଚ ଶିକ୍ଷିତା କରିପାରିବେ ଏହି ବିଷୟରେ ସଚେତନ କରାଇଥିଲେ I
ରାଜ୍ୟ
ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ସଚେତନତା
- Hits: 9








