ହେଡଲାଇନସ୍:

କୋଟି କୋଟି ଖର୍ଚ୍ଚ ପରେ ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ ରାସ୍ତା : ଘେଁସ ବଡଯୋର–ପଡ଼ାଛକ ୧୫ କିମି ରାସ୍ତାରେ ଅନିୟମିତତା ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ଼ ଜିଲ୍ଲାର ଘେଁସ ବଡଯୋର ଠାରୁ ପଡ଼ାଛକ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ଦୈର୍ଘ୍ୟରେ ନିର୍ମିତ ନୂତନ ରାସ୍ତାର ନିମ୍ନମାନ ନିର୍ମାଣ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଉନ୍ନୟନ କାମ କରୁଥିବା ସତ୍ତ୍ୱେ ନିର୍ମାଣର ଅନିୟମିତତା ଓ ଅବହେଳା କାରଣରୁ ରାସ୍ତାଟି ଦୀର୍ଘସ୍ଥାୟୀ ହେବ କି ନାହିଁ ବୋଲି ପ୍ରଶ୍ନ ଉଠିଛି।ପ୍ରାୟ ବର୍ଷେ ହେଲା ପିଚୁ କାମ ସମ୍ପୂର୍ଣ୍ଣ ହୋଇଥିବା ସତ୍ତ୍ୱେ ରାସ୍ତାର କେତେ ଜାଗାରେ ଉଭୟ ପାର୍ଶ୍ୱରେ ଏପର୍ଯ୍ୟନ୍ତ ମାଟି ପଡ଼ିରହିଛି। ରାସ୍ତା ଖାଲଖମାରେ ଭର୍ତ୍ତି ହୋଇପଡ଼ିଛି। ଆଗକୁ ବର୍ଷା ଆସୁଥିବା ବେଳେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଅଞ୍ଚଳବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୁରୁଣା ରାସ୍ତାକୁ ଭଲ ଭାବେ ଉପୁଡ଼ା ଯାଇନଥିବାରୁ ନୂତନ ପିଚୁ ତଳକୁ ଦବିଯିବାର ସମ୍ଭାବନା ରହିଛି। ଏହାଛଡ଼ା ରାସ୍ତା ଉପରେ ଥିବା ଦୁଇ ପ୍ରମୁଖ ଗାଁ ତାଳପଦର ଓ ପଡ଼ା ରେ ନିର୍ମାଣ କାମ ସଂପୂର୍ଣ୍ଣ ହୋଇନାହିଁ। ପୁରୁଣା କଙ୍କ୍ରିଟ ଉପାଡ଼ି ନୂତନ ରାସ୍ତା କରିବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ ମଧ୍ୟ ଠିକାଦାର କାମ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି।ଘେଁସ ବଡଯୋର ନିକଟରେ ରାସ୍ତାର ସ୍ଥିତି ଅଧିକ ଶୋଚନୀୟ। କିଛି ମିଟର ଅଞ୍ଚଳରେ ଗାର୍ଡୱାଲ ନିର୍ମାଣ ସହ ବୁଲାଣି ସ୍ଥାନରେ ରାସ୍ତାକୁ ଚଉଡ଼ା କରିବା ପାଇଁ ଅଞ୍ଚଳବାସୀ ଦାବି କରିଥିଲେ। କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ସାମାନ୍ୟ ବର୍ଷାରେ ମାଟି ଖସି ଖାଲଖମା ସୃଷ୍ଟି ହେଉଥିବାରୁ ସେଠି ଦୁର୍ଘଟଣା ଜୋନରେ ପରିଣତ ହୋଇଛି।ଏହି ସମ୍ପର୍କରେ ପୂର୍ବରୁ ପିଏଚଡି ଏସ୍‌ଡିଓଙ୍କୁ ଅବଗତ କରାଯାଇଥିଲା। ସେ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାର୍ଯ୍ୟକଳାପ ଦେଖିବାକୁ ମିଳିନାହିଁ।ସରକାରୀ ଧନର ସଠିକ ବ୍ୟବହାର ଓ ଲୋକସୁବିଧା ଦୃଷ୍ଟିରେ ରଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତତ୍କାଳ ତଦନ୍ତ କରି ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

0
0
0
s2sdefault