କ୍ୟାମ୍ପ ଜେଲରେ ୭ମାସ ୧୫ଦିନ ବନ୍ଦୀ ଥିଲେ ସଂଗ୍ରାମୀ
ଓଡ଼ଗାଁ,୧୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ବ୍ଳକରୋଡ ଗାନ୍ଧୀ ସ୍ମୃତିପୀଠ ନିକଟରେ ରହୁଥିବା ଶତାୟୁ ସ୍ବାଧୀନତା ସଂଗ୍ରାମୀ ପୂର୍ଣଚନ୍ଦ୍ର ଦାସ(୧୦୧)୧୩ ତାରିଖ ଶୁକ୍ରବାର ବିଳମ୍ବିତ ରାତି ୧୪ ତାରିଖ ୧ଘଣ୍ଟା ୭ ମିନିଟ୍ ସମୟରେ ତାଙ୍କ ବାସଗୃହରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ବେଣୁଧର ଦାସ, ବଂଶୀଧର ଦାସ ଏବଂ ସାନପୁଅ ବସନ୍ତ କୁମାର ଦାସଙ୍କ ସହିତ ନାତି ନାତୁଣୀ ଓ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ।ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ଶରୀରେ ଜାତୀୟ ପତାକା ରଖାଯାଇଥିଲା। ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।ସ୍ବାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ ଖବର ପାଇ ଓଡ଼ଗାଁ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ,ଏସ ଆଇ ଚକ୍ରଧର ସିଂ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଶୋଭାଯାତ୍ରା ପରେ ପରିବାର ପରିଜନ ଶେଷକୃତ୍ୟ ଉଦ୍ଦେଶ୍ୟରେ ମରଶରୀରକୁ ପୁରୀ ଅଭିମୁଖେ ନେଇଥିଲେ।ସେଠାରେ ତାଙ୍କ ମର ଶରୀର ପଞ୍ଚଭୂତରେ ଲୀନ ହୋଇଥିଲା। ସୂଚନା ଥାଉକି ପୂର୍ଣ୍ଣଚନ୍ଦ୍ର ୧୬ ବର୍ଷ ବୟସରେ ତା. ୦୯/୦୯/୧୯୩୮ ରିଖରେ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ମୀ ଭାବେ ଯୋଗଦେଇ ଗୁପ୍ତ ଡାକସେବା କାର୍ଯ୍ୟ କରିଥିଲେ।୧୯୪୨ରେ ବହୁ ପ୍ରତିବନ୍ଧକ ସତ୍ବେ ଡାକସେବା ଅବ୍ୟାହତ ରହିଥିଲା। ମହାତ୍ମାଗାନ୍ଧୀକି ଜୟ କହିବାରୁ ସମ୍ବିଧାନର ୧୭ ଧାରା ଅନୁସାରେ ନୟାଗଡ଼ କ୍ୟାମ୍ପ ଜେଲରେ ତା୨୦/୦୮/୧୯୪୨ରିଖରୁ ତା ୦୫/୦୪/୧୯୪୩ରିଖ ପର୍ଯ୍ୟନ୍ତ ୭ମାସ ୧୫ଦିନ କାଳ ବନ୍ଦୀ ଜୀବନ ବିତାଇଥିଲେ। ଜେଲରୁ ମୁକ୍ତି ପରେ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।








