ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ମହୁଲପାଲି ବାଲି ଘାଟରେ ଅବୈଧ ବାଲୁକା ଖନନ ମାମଲାରେ ପୋଲିସ ବଡ଼ ସଫଳତା ହାସଲ କରିଛି।ଦୀର୍ଘଦିନ ଧରି ଫେରାର ଥିବା ମୁଖ୍ଯ ଅଭିଯୁକ୍ତ ସେଖ ମହମ୍ମଦ ୱାଜିଦ କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଲିଛି । ସୂଚନା ଅନୁସାରେ ଖଣି ଅଧିକାରୀ ଅଜୟ କୁମାର ପ୍ରଧାନଙ୍କ ଲିଖିତ ଅଭିଯୋଗ ଆଧାରରେ ଗତ ୧୭ ଜାନୁଆରୀ ୨୦୨୬ରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, ମହୁଲପାଲି ବାଲି ଘାଟରେ ବିନା ଅନୁମତିରେ ବ୍ୟାପକ ଭାବେ ବାଲି ଖନନ ଓ ପରିବହନ କାର୍ଯ୍ୟ ଚାଲୁଥିଲା। ଉକ୍ତ ବାଲୁକା ଘାଟ ମନୋଜ ପ୍ରଧାନଙ୍କ ନାମରେ ଲିଜ୍ ହୋଇଥିବା ସତ୍ତ୍ୱେ, ସେଖ ୱାଜିଦ ଜେନେରାଲ ପାୱର ଅଫ ଆର୍ଟର୍ନି ଚୁକ୍ତି ମାଧ୍ୟମରେ ଖନନ କାର୍ଯ୍ୟ ସଂଚାଳନ କରୁଥିବା ତଦନ୍ତରେ ପ୍ରକାଶ ପାଇଛି। ତାଙ୍କ ନାମରେ ବିନା ପରିବହନ ପାସ୍ରେ ବାଲି ଚାଲାଣ ହେଉଥିବା ଅନେକ ଘଟଣା ରହିଛି। ପୋଲିସର ସୂଚନା ଅନୁସାରେ ତଦନ୍ତକାଳୀନ ସମୟରେ ଏହା ମଧ୍ୟ ଜଣାପଡ଼ିଛି ଯେ ଗ୍ରାମବାସୀ ମାନଙ୍କୁ ଛୁଟକା ଧମକ ଦେଇଥିଲେ। ଏହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖଣି ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୂର୍ବରୁ ଅର୍ଥାତ ଗତ ଜାନୁୟାରୀ ୧୮ ତାରିଖରେ ପୋଲିସ ଅଭିଯୁକ୍ତ ର ଦୁଇଜଣ ସହଯୋଗୀ ଅଜହାରୁଦ୍ଦିନ ଖାନ (୪୦) ଓ ମନୋଜ ପ୍ରଧାନଙ୍କୁ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ସେଖ ୱାଜିଦ ଘଟଣା ପରେ ଅଞ୍ଚଳ ଛାଡ଼ି ପଳାଇଥିଲେ। ପୋଲିସ ତାଙ୍କୁ ଧରିବା ପାଇଁ ବିଶେଷ ଟିମ୍ ଗଠନ କରିଥିଲା। ଶେଷରେ ୧୪ ଫେବୃଆରୀରେ ତାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହି ମାମଲାରେ ପୋଲିସ ମୋଟ ୫ଟି ଗାଡ଼ି ଜବତ କରିଛି। ସେଥିରେ ୨ ଗୋଟି ଡମ୍ପର,୧ ଗୋଟି ଟାଟା ସାଫାରି,୧ ଗୋଟି ସୁଜୁକି ଆର୍ଟିଗା ,୧ ଗୋଟି ଟାଟା ଟିଆଗୋ ରହିଛି । ଏହି ଗାଡି ଗୁଡିକ ଅବୈଧ ବାଲୁକା ପରିବହନରେ ବ୍ୟବହୃତ ହେଉଥିବା ପୋଲିସ ସୂଚନା ଦେଇଛି। ପୋଲିସ ଠାରୁ ମିଲିଥିବା ସୂଚନା ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଜଗଦଳପୁର ଥାନାରେ ଗୁରୁତର ଆଇନ ଧାରାରେ ମାମଲା ରହିଛି। ୨୦୧୫ ମସିହାରେ ହତ୍ୟା ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗରେ ମାମଲା ରୁଜୁ ହୋଇଥିବା ସହ, ୨୦୨୫ ଓ ୨୦୨୬ ମସିହାରେ ମଧ୍ୟ ଖନନ ଓ ପରିବହନ ସମ୍ବନ୍ଧୀୟ ମାମଲା ରହିଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଧାରା ସହିତ ଓ.ଏମ.ଏମ.ସି ନିୟମ ୨୦୧୬ (୨୦୨୩ ସଂଶୋଧନ) ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଲିଛି। ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅବୈଧ ଖନନ ଓ ପରିବହନ ବିରୋଧରେ ଆଗାମୀଦିନରେ ଆହୁରି କଡ଼ା କାର୍ଯ୍ୟନୁଷ୍ଠାନ ଜାରି ରହିବ। ଯେକୌଣସି ବ୍ୟକ୍ତି ଆଇନ ଭଙ୍ଗ କରିଲେ ତାଙ୍କ ବିରୋଧରେ କଠୋର ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ, ଅଞ୍ଚଳରେ ଅବୈଧ ଖନନ ରୋକିବା ପାଇଁ ପୋଲିସ ଓ ଖଣି ବିଭାଗ ସଚେତନ ଅଭିଯାନ ଜାରି ରଖିଛନ୍ତି।
ରାଜ୍ୟ
ମହୁଲପାଲି ବାଲି ଘାଟରେ ଅବୈଧ ଖନନ ଘଟଣା :ମୁଖ୍ଯ ଅଭିଯୁକ୍ତ ସେଖ ମହମ୍ମଦ ୱାଜିତ୍ ଗିରଫ, ୫ ଗୋଟି ଗାଡ଼ି ଜବତ ।
- Hits: 5








