ନୟାଗଡ଼ :- ନୟାଗଡ଼ ଜିଲ୍ଲା ରିଜର୍ଭ ପୋଲିସ କ୍ୟାମ୍ପସର ଛାତ ଉପରେ ଜଣେ କନେଷ୍ଟବଳ ଜୀବନ ହାରିଛନ୍ତି । ମୃତକ କନେଷ୍ଟବଳ ହେଲେ ୨୭ ବର୍ଷୀୟ ସୁନୀଲ ସେଠୀ । ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଥିବା ପୋଲିସ କହିଛି । ପାରିବାରିକ ଚାପ ଯୋଗୁଁ କନେଷ୍ଟବଳ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀ କହିଛନ୍ତି । ନୟାଗଡ଼ ଟାଉନ ଥାନା ପକ୍ଷରୁ କନେଷ୍ଟବଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏହା ସହିତ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନୟାଗଡ଼ ଟାଉନ ଥାନା ପୋଲିସ ଆତ୍ମହତ୍ୟାରେ ବ୍ୟବହୃତ ସର୍ଭିସ ରିଭଲଭର, ଗୁଳି ଓ ମୋବାଇଲକୁ ଜବତ କରିଛି । କନେଷ୍ଟବଳ ସୁନିଲ ସେଠୀଙ୍କର ଏକ ଝିଅ ସହିତ ନିର୍ବନ୍ଧ ଶେଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା । ମାତ୍ର ଝିଅ ସହିତ ପାରିବାରିକ ସମ୍ପର୍କ ରହୁଥିବାରୁ ପରିବାର ଲୋକେ ବିରୋଧ କରିଥିଲେ । ଏନେଇ କନେଷ୍ଟବଳ ଜଣକ ଚିନ୍ତାରେ ରହୁଥିଲେ । ଆତ୍ମହତ୍ୟା କରିବା ଆଗରୁ ସେ ଝିଅକୁ ଜଣାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହା ସହିତ ସେ କିଛି ଟଙ୍କା କରଜ ନେଇଥିଲେ ବୋଲି ନୟାଗଡ଼ ଏସ୍ପି, ଏସ୍ ସୁଶ୍ରୀ କହିଛନ୍ତି ।
ଏହି ସବୁ ଦିଗକୁ ନେଇ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବ ବୋଲି ଏସ୍ପି କହିଛନ୍ତି । ସେପଟେ ,ସୁନୀଲଙ୍କ ମା' ଅହଲ୍ୟା ସେଠି ପୋଲିସର ପାରିବାରିକ ଚାପ କଥାକୁ ଖଣ୍ଡନ କରିଛନ୍ତି । ପୁଲିସ ରିଜର୍ଭ ବ୍ୟାରକରେ ତାଙ୍କୁ ପୁଅକୁ କେହି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ପୁଅ ୨ଦିନ ତଳେ ଫୋନ କରିଥିଲା । ନିଜ ବାହାଘର ବିଷୟରେ କଥା ହୋଇଥିଲା । ଘର ତିଆରି କାମ ବିଷୟରେ ପଚାରି ବୁଝିଥିଲା । ଆମେ ପୁଅକୁ କୌଣସି ବିଷୟରେ ଚାପ ପକାଉନଥିଲୁ । ତା ଇଚ୍ଛାରେ ହିଁ ସମସ୍ତ କାମ ହେଉଥିଲା । ସୁନିଲଙ୍କ ବଡ଼ ଭାଇ ଅନିଲ ସେଠୀ କହିଛନ୍ତି, ଗତକାଲି ଗାଁକୁ ଆସିବା ନେଇ ମୋ ସହିତ କଥା ହୋଇଥିଲା । ମାତ୍ର ଆଜି ସକାଳୁ ଭାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲୁ । ୨୦୨୩ ମସିହାରେ ସୁନୀଲ ସେଠୀ ପୋଲିସ ଚାକିରିରେ ଯୋଗ ଦେଇଥିଲେ । ତାଙ୍କ ଘର ଓଡ଼ଗାଁ ଥାନା ବେରୁଆଁବାରି ଗାଁରେ ବୋଲି ଜଣାପଡ଼ିଛି । ସୁନିଲଙ୍କର ଗତ ଜାନୁଆରୀ ୨୫ ରେ ନିର୍ବନ୍ଧ ସରିଥିଲା । ଆତ୍ମହତ୍ୟାର ପୂର୍ବ ରାତିରେ ସେ ଭାବି ପତ୍ନୀଙ୍କ ସହିତ ଫୋନରେ କଥା ହୋଇଥିଲେ ବୋଲି ସୂଚନା ମିଳିଛି








