ବିଧାୟକ ସନତ କୁମାର ଗଡ଼ତୀୟା ଯୋଗଦାନ
ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ୍ ଅନ୍ତର୍ଗତ ପହଣ୍ଡି ଗାଁରେ ଆୟୋଜିତ ତ୍ରିଦିନାତ୍ମକ “ଭୀମ ଗୁଡ଼ି” ପ୍ରତିଷ୍ଠା ଉତ୍ସବ ତୃତୀୟ ଦିବସରେ ଭକ୍ତି, ଆସ୍ଥା ଓ ପରମ୍ପରାର ମହୋତ୍ସବ ଭାବେ ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଯାଇଛି। ଏହି ଉତ୍ସବରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ତୃତୀୟ ଦିନ ସକାଳ ୯ଟା ସମୟରୁ ବିଧୂ ପୂଜା ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇ ମନ୍ଦିର ଶୋଧନ, ବିଗ୍ରହ ପ୍ରାଣ ପ୍ରତିଷ୍ଠା, ହୋମ, ଯୂପ ସ୍ଥାପନ, ଶିଖର କଳସ ସ୍ଥାପନ ଓ ଧ୍ଵଜା ଆରୋହଣ ପରେ ବିଗ୍ରହଙ୍କୁ ମନ୍ଦିର ପ୍ରବେଶ କରାଯାଇଥିଲା। ସମସ୍ତ ଧାର୍ମିକ ନୀତିକାନ୍ତି ପାରମ୍ପରିକ ବିଧିବିଧାନ ଅନୁସାରେ ସମ୍ପାଦିତ ହୋଇଥିଲା।ଏହି ପବିତ୍ର ଅବସରରେ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ଯୋଗ ଦେଇ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ସେ ଗ୍ରାମବାସୀଙ୍କୁ ଏପରି ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଅଟୁଟ ରଖିବା ପାଇଁ ଆହ୍ୱାନ କରିଥିଲେ ଏବଂ ଏହା ଗ୍ରାମୀଣ ସମାଜର ଏକତା ଓ ସମନ୍ୱୟକୁ ମଜବୁତ କରେ ବୋଲି କହିଥିଲେ।ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗରେ କର୍ତ୍ତା ଶ୍ରୀଯୁକ୍ତ ଚିନ୍ତାମଣି ସାହୁ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରତିମା ସାହୁ ସମର୍ପିତ ଭାବନାରେ ପୂଜା କାର୍ଯ୍ୟ ତୁଲାଇଥିଲେ। ବ୍ରହ୍ମା ଭାବରେ ପଣ୍ଡିତ ନରେନ୍ଦ୍ର କୁମାର ଦାଶ, ଆଚାର୍ଯ୍ୟ ପଣ୍ଡିତ ନରେନ୍ଦ୍ର ପଣ୍ଡା, ପୂଜକ ପଣ୍ଡିତ ମୁନ୍ନା ଦାଶ ଓ ପଣ୍ଡିତ ପିଣ୍ଡୁ ମହାପାତ୍ରଙ୍କ ସହ ଗ୍ରାମ ଦେବାଦେବୀଙ୍କ ପୂଜକ ଝାଙ୍କର ଶ୍ରୀଯୁକ୍ତ ଶାନ୍ତି ବରିହା ଓ ତାଙ୍କ ପୁତ୍ର ମଙ୍ଗଳୁ ବରିହା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ପୌରାଣିକ ବିଶ୍ୱାସ ଅନୁସାରେ ମାଁ ବାଞ୍ଜିତଳିଏନ୍ ସ୍ୱୟଂଭୁ ଲିଙ୍ଗ ଭାବରେ ପ୍ରକଟିତ ହୋଇ ଗ୍ରାମଦେବତା ଭାବେ ପୂଜା ପାଇଆସୁଛନ୍ତି। ତାଙ୍କ ସହିତ ବୁଢ଼ାରଜା, ସମଲେଇ, ଭୀମ, ହନୁମାନ ବୀର, ଭୁବୁରାତଳିଏନ୍ ପ୍ରମୁଖ ଦେବାଦେବୀ ଗ୍ରାମର ଆସ୍ଥାର ପ୍ରତୀକ ଭାବେ ପୂଜିତ।ଦିନବେଳା ପାରାୟଣ, କବିତା ପାଠ, ମୀନାବଜାର ଓ ଅହୋରାତ୍ର ଅନ୍ନଭୋଗ ବ୍ୟବସ୍ଥା ଉତ୍ସବକୁ ଆନନ୍ଦମୟ କରିଥିବାବେଳେ, ରାତିରେ କୁମ୍ଭାରୀ ଭଗବାନ ପାର୍ଟିଙ୍କ ନାଟକ ଦର୍ଶକଙ୍କୁ ଭାରି ମନୋରଞ୍ଜନ କରିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷାରେ ବିଜେପୁର ପୋଲିସର ଭୂମିକା ମଧ୍ୟ ପ୍ରଶଂସନୀୟ ଥିଲା।








