ରାଜଗାଙ୍ଗପୁର,୨୩-୦୧-୨୬. ରାଜଗାଙ୍ଗପୁର ଲ୍ୟାମ୍ପସରେ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ ଉଠୁଛି। ଯେଉଁ ଚାଷୀ ପୂର୍ବରୁ ନେଇଥିବା ଋଣ ପରିଶୋଧ କରିସାରିଛନ୍ତି, ସେମାନଙ୍କୁ ପୁନରାୟ ଋଣ ମିଳୁନାହିଁ। ଚାଷୀଙ୍କଠାରୁ ଋଣ ଆଦାୟ କରାଯାଇ ଉକ୍ତ ଅର୍ଥକୁ ବ୍ୟାଙ୍କକୁ ପରିଶୋଧ ନକରି ଲ୍ୟାମ୍ପସର ଅଧିକାରୀମାନେ ମିଥ୍ୟା ଭାଉଚର କରି ଆତ୍ମସାତ୍ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏହି ଲ୍ୟାମ୍ପସରେ ଋଣ ପ୍ରଦାନ ପାଇଁ ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ୧୩ କୋଟି ଟଙ୍କା ମଞ୍ଜୁର କରିଥିଲା। ସେଥିମଧ୍ୟରୁ ଲ୍ୟାମ୍ପସ ୮୭୨ ଜଣ ଚାଷୀଙ୍କୁ ମୋଟ ୭କୋଟି ୯୬ ଲକ୍ଷ ୫୧ ହଜାର ଟଙ୍କା ଋଣ ଦେଇଛି। ଏହି ଋଣ ଚଳିତ ଆର୍ଥିକବର୍ଷର ରବିଚାଷ ପାଇଁ(ଅକ୍ଟୋବର ୧ରୁ ୩୧ ମାର୍ଚ୍ଚ ମଧ୍ୟରେ) ଏକର ପିଚ୍ଛା ୫୧ ହଜାର କରି ଦିଆଯାଇଛି। ଯେଉଁମାନେ ଠିକ୍ ସମୟରେ ଋଣ ପଇଠ କରିଛନ୍ତି ସେମାନେ ଲ୍ୟାମ୍ପସକୁ ପୁଣି ଥରେ ଋଣ ପାଇଁ ଆବେଦନ କରି ନିରାଶ ହୋଇଛନ୍ତି। ରବିଋତୁ ଶେଷହେବାକୁ ବସିଥିବାବେଳେ ଚାଷୀଙ୍କୁ ଋଣ ମିଳୁନି। ‘ଯେଉଁ ଚାଷୀମାନେ ନିଜର ଋଣ ଯଥାସମୟରେ ପଇଠ କରିଛନ୍ତି, ସେମାନଙ୍କ ଅର୍ଥକୁ ଜିଲ୍ଲା ସମବାୟ ବ୍ୟାଙ୍କରେ ପଇଠ କରିନଥିବାରୁ ବ୍ୟାଙ୍କ ଆଉ ଚାଷୀଙ୍କୁ ଲ୍ୟାମ୍ପସ ଜରିଆରେ ଋଣ ପ୍ରଦାନ କରୁନାହିଁ’ ବୋଲି ଜଣେ ଚାଷୀ କହିଛନ୍ତି। ଅନ୍ୟପକ୍ଷରେ ଋଣ ନେଇନଥିବା ଚାଷୀଙ୍କୁ ଋଣ ମଞ୍ଜୁରକରି ପରବର୍ତ୍ତୀ ସମୟରେ ସେମାନଙ୍କ ଖାତାରୁ କାଟି ନିଆଯାଉଥିବା ଭଳି ଅଭିଯୋଗ ବି ଉଠୁଛି। ଏ ସମ୍ପର୍କରେ ଲ୍ୟାମ୍ପସର ପରିଚାଳନା ନିର୍ଦେଶକ ରବୀନ୍ଦ୍ର ମହାରଣାଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ରାଜ୍ୟ
ରାଜଗାଙ୍ଗପୁର ଲ୍ୟାମ୍ପସ: ପରିଶୋଧ କରିଥିବା ଚାଷୀଙ୍କୁ(ପୁନର୍ବାର ଋଣ )ମିଳୁନଥିବା ଅଭିଯୋଗ
- Hits: 5








