‘ପାଇକ ବିଦ୍ରୋହର ଅମର ନାୟକଙ୍କ ତ୍ୟାଗ ଓ ବୀରତ୍ୱକୁ ଶ୍ରଦ୍ଧାପୂର୍ଣ୍ଣ ସ୍ମରଣ’
ଭୁବନେଶ୍ୱର, ୨୪/୦୧/୨୦୨୬ : ଇଂରେଜ ଶାସନର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ଓଡ଼ିଶାର ମାଟିରୁ ସ୍ୱାଧୀନତା ସଂଗ୍ରାମର ଅଗ୍ନିଶିଖା ପ୍ରଜ୍ୱଳିତ କରିଥିବା ପାଇକ ବିଦ୍ରୋହର ଅମର ନାୟକ, ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଅଦମ୍ୟ ସାହସ, ଅସୀମ ବୀରତ୍ୱ, ଅପୂର୍ବ ରଣକୌଶଳ ଓ ମାଟି ମା’ ପାଇଁ ନିସ୍ୱାର୍ଥ ସେବା ଓଡ଼ିଶା ସହ ସମଗ୍ର ଭାରତବର୍ଷ ପାଇଁ ପ୍ରେରଣାର ପ୍ରତୀକ। ଏହି ମହାନ ବିପ୍ଳବୀଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଅବସରରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ସକାଳ ସମୟରେ ଭୁବନେଶ୍ୱରସ୍ଥିତ ମ୍ୟୁଜିୟମ୍ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ବୀରତ୍ୱ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା, ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରମୋଦିନୀ ଟେଟେ, ସହାୟକ କାର୍ଯ୍ୟକ୍ରମ ସମନ୍ୱୟକାରୀ (ଏ.ପି.ସି) ଶ୍ରୀମତୀ ବାସନ୍ତୀ ମହାଳି, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ଦାସଙ୍କ ସହ ଉତ୍କଳ ସମ୍ମିଳନୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହା ସହ ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାଇକ ବିଦ୍ରୋହର ନାୟକ ବକ୍ସି ଜଗବନ୍ଧୁଙ୍କ ସଂଘର୍ଷମୟ ଜୀବନ, ଅଦମ୍ୟ ସାହସ ଓ ଦେଶପ୍ରେମକୁ ସ୍ମରଣ କରିଥିଲେ।








