ହେଡଲାଇନସ୍:

ଶ୍ରୀପଞ୍ଚମୀ ତିଥିରେ ନବନିର୍ମିତ ମାଁ ତାରିଣୀ ମନ୍ଦିରକୁ ମାଁଙ୍କ ବିଗ୍ରହ ପ୍ରବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର:ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଆନନ୍ଦ ନଗରରେ ମାଘମାସ ଶୁକ୍ଳପକ୍ଷର ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ନବନିର୍ମିତ ମାଁ ତାରିଣୀ ମନ୍ଦିରକୁ ମାଁ ତାରିଣୀଙ୍କ ସହ ପାର୍ଶ୍ୱ ଦେବାଦେବୀ ଓ ବୀର ବଜରଙ୍ଗବଳୀ (ହନୁମାନ)ଙ୍କ ବିଗ୍ରହ ଶାସ୍ତ୍ରୋକ୍ତ ବିଧି-ବିଧାନ ସହ ପ୍ରବେଶ କରାଯାଇଛି। ଏହି ପବିତ୍ର ଅବସରକୁ ନେଇ ସମଗ୍ର ଆନନ୍ଦ ନଗର ସହ ପାଶ୍ୱର୍ତ୍ତୀ ଅଞ୍ଚଳ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଆନନ୍ଦରେ ଉଦ୍ଦୀପ୍ତ ହୋଇଉଠିଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବର ପଞ୍ଚମ ଦିବସ ତାରିଖ ୨୩.୦୧.୨୦୨୬, ଶୁକ୍ରବାର ଦିନ ପ୍ରଭାତରୁ ହିଁ ମନ୍ଦିର ପ୍ରାଙ୍ଗଣ ଓ ଆଖପାଖ ଅଞ୍ଚଳ ଭକ୍ତମାନଙ୍କ ଆଗମନରେ ଆନନ୍ଦମୟ ହୋଇଉଠିଥିଲା। ପଣ୍ଡିତମାନଙ୍କ ଦ୍ୱାରା ନୀତି-କାନ୍ତି ଓ ଶାସ୍ତ୍ରାନୁସାରେ ନିଷ୍ଠାପର ଭାବେ ପୂଜାର୍ଚ୍ଚନା, ମନ୍ତ୍ରୋଚ୍ଚାରଣ ଓ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଦିନ ବିଶେଷକରି ବିଧିପୂଜା, ହୋମ-ଯଜ୍ଞ, ଯୂପ ସ୍ଥାପନ, ଧ୍ୱଜା ସ୍ଥାପନ ଓ କଳସ ସ୍ଥାପନ ପରି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ସୁଚାରୁ ଓ ଶୃଙ୍ଖଳାବଦ୍ଧ ଭାବେ ସମ୍ପନ୍ନ ହୋଇଥିଲା।ଶାସ୍ତ୍ର ନିର୍ଦ୍ଦେଶିତ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିବା ୪ଟା ୩୦ ମିନିଟ ସମୟରେ ମାଁ ତାରିଣୀ, ପାର୍ଶ୍ୱ ଦେବାଦେବୀ ଓ ବୀର ବଜରଙ୍ଗବଳୀଙ୍କ ବିଗ୍ରହକୁ ଭବ୍ୟ ଶୋଭାଯାତ୍ରା ସହ ନବନିର୍ମିତ ମନ୍ଦିର ମଧ୍ୟକୁ ପ୍ରବେଶ କରାଯାଇଥିଲା। ଶଙ୍ଖ-ଘଣ୍ଟା ଧ୍ୱନି, ବେଦମନ୍ତ୍ରୋଚ୍ଚାରଣ ଓ ‘ହରିବୋଲ’ ନାଦରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଉଲ୍ଲାସରେ ଭରିଉଠିଥିଲା। ଏହି ସମୟରେ ଭକ୍ତମାନେ “ମାଁ ତାରିଣୀ ଜୟ” ଓ “ବଜରଙ୍ଗବଳୀ କୀ ଜୟ” ନାରା ଦେଇ ପରିବେଶକୁ ଭକ୍ତିମୟ କରିଥିଲେ। ଏହି ପବିତ୍ର ଅବସରରେ ମାଁଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ବରଗଡ଼ ଜିଲ୍ଲା ସହ ଆଖପାଖ ଅନେକ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଭାରି ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳା, ପୁରୁଷ, ବୃଦ୍ଧ ଓ ଶିଶୁମାନେ ସମାନ ଉତ୍ସାହରେ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ମାଁଙ୍କ ଦର୍ଶନ କରିଥିଲେ। ଭକ୍ତମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା, ପାନୀୟ ଜଳ ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତ୍ୟହ ଦିବା ୧୧ଟାରୁ ୩ଟା ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ଶୃଙ୍ଖଳାବଦ୍ଧ ଭାବେ ଅନ୍ନପ୍ରସାଦ ସେବନ କରି ଭକ୍ତମାନେ ମାଁଙ୍କ ଆଶୀର୍ବାଦ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ଏହି ସମଗ୍ର ପ୍ରତିଷ୍ଠା ଉତ୍ସବକୁ ସୁଚାରୁ ଓ ସଫଳ ଭାବେ ପରିଚାଳନା କରିବାରେ ମନ୍ଦିର କମିଟିର ସଭାପତି ଜଗଦୀଶ ମହାପାତ୍ର, ସମ୍ପାଦକ ହିମାଂଶୁ ଶେଖର ସାହୁ, କୋଷାଧ୍ୟକ୍ଷ ପ୍ରେମରାଜ ପଟେଲ ସହ ସମସ୍ତ ସଦସ୍ୟ ଓ ସ୍ୱଇଚ୍ଛାସେବକ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଅଞ୍ଚଳବାସୀଙ୍କ ସହଯୋଗ ଓ ଭକ୍ତମାନଙ୍କ ଆସ୍ଥା ଦ୍ୱାରା ଏହି ପ୍ରତିଷ୍ଠା ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ନବନିର୍ମିତ ମାଁ ତାରିଣୀ ମନ୍ଦିରର ବିଗ୍ରହ ପ୍ରବେଶ ଓ ପ୍ରତିଷ୍ଠା ଉତ୍ସବ ବିଜେପୁର ସ୍ଥିତ ଆନନ୍ଦ ନଗର ସହ ସମଗ୍ର ଅଞ୍ଚଳ ପାଇଁ ଏକ ଐତିହାସିକ, ଭକ୍ତିମୟ ଓ ସ୍ମରଣୀୟ ଅବସର ହୋଇ ରହିବ ବୋଲି ଭକ୍ତମାନେ ମତ ପ୍ରକାଶ କରିଛନ୍ତି।ସବା ଶେଷରେ ସମସ୍ତ ପୁସ୍ତକାଚାର୍ଯ୍ୟ ଏବଂ ଚଣ୍ଡି ପାଠକଙ୍କୁ କମିଟି ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ପୋଲିସ ଓ କମିଟିର ସଦସ୍ୟଗଣ ଙ୍କ ମିଳିତ ପ୍ରୟାସରେ ଶାନ୍ତି ଶୃଙ୍ଖଳା ସହକାରେ ପ୍ରତିଷ୍ଠା ମହୋତ୍ସବ ସମାପନ ହୋଇଛି।

0
0
0
s2sdefault