ହେଡଲାଇନସ୍:

ଓଡ଼ିଆ ସାହିତ୍ୟ–ସଂସ୍କୃତିର ଅମ୍ଳାନ ଆଲୋକରେ ଏକ ଦିବସୀୟ ପାଠଚକ୍ର , ମକର ସଂକ୍ରାନ୍ତି ସହ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୪ ଜାନୁଆରୀ ସୂର୍ଯ୍ୟ ଯେତେବେଳେ ଉତ୍ତରାୟଣର ପଥେ ଅଗ୍ରସର , ପ୍ରକୃତି ଯେତେବେଳେ ନବ ଆଲୋକ ଓ ନବ ଆଶାର ସନ୍ଦେଶ ନେଇ ମନୁଷ୍ୟ ମନକୁ ସ୍ପର୍ଶ କରେ , ସେହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅମର ଐତିହ୍ୟକୁ ସ୍ମରଣ କରି ଏକ ଅର୍ଥାବହ ଓ ଭାବବହୁଳ ଆୟୋଜନ ଆଜି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି।
ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆନ୍ତଃ ଗୁଣବତ୍ତା ଆଶ୍ୱାସନା ପ୍ରକୋଷ୍ଠ (ଆଇ.କ୍ୟୁ.ଏ.ସି.)ର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ପାଠଚକ୍ର ସହ ମକର ସଂକ୍ରାନ୍ତି ଉତ୍ସବ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ଗରିମାମୟ ଓ ସମାରୋହପୂର୍ଣ୍ଣ ଭାବେ ପାଳିତ ହୋଇଥିଲା। ଏହି ଉପଲକ୍ଷେ “କଥା ସମ୍ରାଟ ଫକୀରମୋହନ ସେନାପତି : ଏକ ତାତ୍ତ୍ୱିକ ଅନୁଶୀଳନ” ଶୀର୍ଷକ ଏକ ଗଭୀର ଚିନ୍ତନମୂଳକ ପାଠଚକ୍ର ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ , ଯିଏ ନିଜ ଉଦ୍‌ବୋଧନରେ ଫକୀରମୋହନଙ୍କୁ ଓଡ଼ିଆ ସାହିତ୍ୟର ଆଧୁନିକତାର ପଥପ୍ରଦର୍ଶକ ଭାବେ ସ୍ମରଣ କରିଥିଲେ।
ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ , ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଫକୀରମୋହନଙ୍କ ସାହିତ୍ୟକୁ ସମାଜର ବାସ୍ତବ ଚିତ୍ର ଓ ସାମାଜିକ ସଚେତନତାର ସଜୀବ ଦର୍ପଣ ଭାବେ ବ୍ୟାଖ୍ୟା କରିଥିଲେ।
ମୁଖ୍ୟ ବକ୍ତା ଭାବେ ଚିକିଟି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରକାଶ ବେହେରା ଫକୀରମୋହନଙ୍କ ସାହିତ୍ୟର ତାତ୍ତ୍ୱିକ ମୂଲ୍ୟବୋଧ , ବାସ୍ତବବାଦୀ ଦୃଷ୍ଟିକୋଣ ଓ ସମକାଳୀନ ପ୍ରସଙ୍ଗିକତା ଉପରେ ନିଜର ଗଭୀର ଓ ଗବେଷଣାମୂଳକ ପ୍ରବନ୍ଧ ଉପସ୍ଥାପନ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ସମ୍ମାନିତ ଅତିଥି ଭାବେ ଆଇ.କ୍ୟୁ.ଏ.ସି.ର ନିର୍ଦ୍ଦେଶକ ଓ ସଂସ୍କୃତ ବିଭାଗର ମୁଖ୍ୟ ଡ଼. ବିଘ୍ନେଶ୍ୱର ମିଶ୍ର ଏବଂ ସ୍ନାତକ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଥିଲେ। କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଡ. ବିପ୍ଳବ ରଞ୍ଜନ ପ୍ରଧାନ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ଫକୀରମୋହନଙ୍କ ସାହିତ୍ୟିକ ଉତ୍ତରାଧିକାର ଓ ପାଠଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସହକାରୀ ପ୍ରଫେସର ଡ଼. ଚାରୁପ୍ରଭା ନାୟକ ମଞ୍ଚାସୀନ ରହିଥିଲେ। ସୁସାହିତ୍ୟିକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ବ୍ୟାସକବିଙ୍କ ସାହିତ୍ୟିକ ଅବଦାନ ଉପରେ ସଂକ୍ଷିପ୍ତ କିନ୍ତୁ ଗଭୀର ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମର ସର୍ବାଧିକ ଆକର୍ଷଣ ଥିଲା ଓଡ଼ିଆ ବିଭାଗର ଛାତ୍ର–ଛାତ୍ରୀମାନଙ୍କ ଦ୍ୱାରା ବ୍ୟାସକବିଙ୍କ ଅମର କ୍ଷୁଦ୍ରଗଳ୍ପ ‘ଡାକମୁନସି’ର ଭାବପ୍ରବଣ ନାଟ୍ୟରୂପାନ୍ତର। ସୁଶ୍ରୀ କଲ୍ୟାଣୀ ସ୍ୱାଇଁଙ୍କ ନିର୍ଦ୍ଦେଶନା ଓ ଦୀପ୍ତିମୟୀ ସାହୁଙ୍କ ସହଯୋଗରେ ମଞ୍ଚସ୍ଥ ଏହି ନାଟକ ଦର୍ଶକମାନଙ୍କ ମନକୁ ଗଭୀରଭାବେ ସ୍ପର୍ଶ କରିଥିଲା। ସୁଧାଂଶୁ ଶେଖର ନାୟକ , ଭାଗ୍ୟଶ୍ରୀ ବେହେରା , ବିଶ୍ୱଜିତ ମହାପାତ୍ର ସହ ଅନ୍ୟାନ୍ୟ ଛାତ୍ର–ଛାତ୍ରୀଙ୍କ ଅଭିନୟ ବିଶେଷ ପ୍ରଶଂସା ଅର୍ଜନ କରିଥିଲା। ଏହି ନାଟକଟି ଡ଼. ବିପ୍ଳବ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ମଞ୍ଚସ୍ଥ ହୋଇଥିଲା।
କାର୍ଯ୍ୟକ୍ରମର ସଂଯୋଜନା ଓ ମଞ୍ଚ ପରିଚାଳନା ସୁଶ୍ରୀ ସ୍ନେହା ବେହେରା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଚନ୍ଦନ ବିଶ୍ୱକର୍ମା। ପରିଶେଷରେ ମକର ସଂକ୍ରାନ୍ତି ଉପଲକ୍ଷେ ପବିତ୍ର ମକର ଚାଉଳ ପ୍ରସାଦ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଅର୍ଜୁନ ଜେନା , ଶ୍ରୀଯୁକ୍ତ ରାମକୃଷ୍ଣ ପଟ୍ଟନାୟକ ଅଧ୍ୟାପିକା ସ୍ଵର୍ଣ୍ଣଲତା ପଣ୍ଡା , ସୋନାଲି ପଟ୍ଟନାୟକ , ୠତୁମତି ରଇତ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଅଧ୍ୟାପକ , କର୍ମଚାରୀ ଓ ଛାତ୍ର–ଛାତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଓ ସ୍ମରଣୀୟ ଭାବେ ସମ୍ପନ୍ନ ହୋଇଥିଲା।

0
0
0
s2sdefault