- 
• ଯୋଗଦେବେ ୩,୫୦୦ ରୁ ଊଦ୍ଧ୍ୱର୍ ପ୍ରତିଭାଗୀ
 - 
• ଭାରତର ସଡକ ଭିତ୍ତିଭୂମିକୁ ନେଇ ହେବ ଜ୍ଞାନର ଆଦାନପ୍ରଦାନ
 
ଭୁବନେଶ୍ୱର, ୦୪.୧୧.୨୦୨୫: ପ୍ରାୟ ଏକ ଦଶନ୍ଧି ପରେ ଓଡ଼ିଶା ଦେଖିବ ଭାରତୀୟ ସଡକ ମହାକୁମ୍ଭ । ସଡକ ଭିତ୍ତିଭୂମିକୁ ନେଇ ଜ୍ଞାନ ବାଣ୍ଟିବେ ବିଶେଷଜ୍ଞମାନେ ଏହି ମହାକୁମ୍ଭରେ । ଯନ୍ତ୍ରୀମାନେ ଜ୍ଞାନର ଆଦାନପ୍ରଦାନ କରିବା ବେଳେ ମାର୍ଗଦର୍ଶନ କରିବେ ବୈଜ୍ଞାନିକ । ଭାରତର ସଡକ ଭିତ୍ତିଭୂମିକୁ ମଜଭୁତ ଓ ଉନ୍ନତ କରିବାକୁ ଯନ୍ତ୍ରୀଙ୍କ ମଧ୍ୟରେ ହେବ ମାନସମନ୍ଥନ । ଏହି ସଡକ ମହାକୁମ୍ଭରେ ପ୍ରାୟ ୩,୫୦୦ ରୁ ଊଦ୍ଧ୍ୱର୍ ପ୍ରତିଭାଗୀ ଯୋଗଦେବାର ଯୋଜନା କରାଯାଇଛି । ଏଭଳି ଏକ ଯୁଗାନ୍ତକାରୀ ଅବସର ଭେଟିଦେବ ଭୁବନେଶ୍ୱର ଜନତା ମୈଦାନରେ ହେବାକୁ ଯାଉଥିବା ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ । ଏହି ମହାକୁମ୍ଭକୁ ଉଦ୍ଘାଟନ କରିବେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ । 
ଓଡ଼ିଶାରେ ଶେଷଥର ପାଇଁ ୨୦୧୫ରେ ଇଣ୍ଡିଆନ୍ ରୋଡ କଂଗ୍ରେସର ୭୫ତମ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ୧୦ ବର୍ଷ ପରେ ପୁର୍ନବାର ଓଡ଼ିଶାକୁ ଏହି ମହାକୁମ୍ଭ ଆୟୋଜନର ସୁଯୋଗ ମିଳିଛି । ଭାରତରେ ଅତ୍ୟାଧୁନିକ ସଡକ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଆୟୋଜିତ ହେଉଥିବା ସ୍ମାରକୀ ସରକାରୀ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଯୋଗସୂତ୍ର ରକ୍ଷାକରି ସଡକ ସଂଯୋଗୀକରଣ ବ୍ୟବସ୍ଥାକୁ ଉନ୍ନତ କରିବାରେ ସହାୟକ ହେବ । ନଭେମ୍ବର ୬ରୁ ଆୟୋଜିତ ହେବାକୁ ଥିବା ଏହି ସଡକ ମହାକୁମ୍ଭରେ ପ୍ରଥମ ଦିନ ବୈଷୟିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ନଭେମ୍ବର ୭ ତାରିଖ ଦିନ ଇଣ୍ଡିଆନ ରୋଡ କଂଗ୍ରେସର ୨୩୫ତମ ପରିଷଦ ବୈଠକ, ୮ ତାରିଖରେ ୮୫ତମ ରାଜପଥ ଗବେଷଣା ବୋର୍ଡ ବୈଠକରେ ମାଷ୍ଟର ପ୍ଲାନ୍ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ପରେ ପରେ ୯ ତାରିଖରେ ୮୪ତମ ବ୍ୟବସାୟିକ ବୈଠକ ଏବଂ ୧୦ ତାରିଖରେ ୨୩୬ତମ ପରିଷଦ ବୈଠକରେ ପୁଞ୍ଜିନିବେଶ ସମ୍ବନ୍ଧରେ ଆଲୋଚନା କରାଯିବ । 
ଓଡ଼ିଶାରେ ଷଷ୍ଠ ଥର ପାଇଁ ଅନୁଷ୍ଠିତ ହେଉଛି ଏହି ସଡକ ମହାପର୍ବ । ନଭେମ୍ବର ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ସଡକ ଭିତ୍ତିଭୂମି, ଉନ୍ନତିକରଣ ଓ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଜ୍ଞାନର ଆଦାନପ୍ରଦାନ ହେବ । ସମଗ୍ର ଭାରତ ବର୍ଷରୁ ଆସିବେ ବିଶେଷଜ୍ଞ, ବୈଜ୍ଞାନିକ, ସଡକ ଯନ୍ତ୍ରୀ ତଥା ଶିକ୍ଷାବିତ୍ ଓ ପ୍ରଶାସକ । ୪ ଦିନ ଧରି ସଡକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଶେଷଜ୍ଞ ତଥା ଶିକ୍ଷାବିତ୍ମାନେ ବିଭିନ୍ନ ଅଧିବେଶନରେ ଆଲୋଚନା କରିବା ସହ ନୂତନ ପ୍ରଯୁକ୍ତି ଉପସ୍ଥାପନ କରିବେ । ଏହି ପ୍ରଯୁକ୍ତି ପରିସଂଖ୍ୟାନର ଉପଯୋଗିତା ଦେଶର ସଡକ ସଂଯୋଗୀକରଣକୁ ସମୃଦ୍ଧ କରିବ । ବୈଷୟିକ ଅଧିବେଶନଗୁଡ଼ିକରେ ସଡକ ନିର୍ମାଣରେ ପ୍ରୟୋଗ ହେଉଥିବା ବିଭିନ୍ନ ଜ୍ଞାନକୌଶଳକୁ ଅବଲୋକନ କରିବେ ପ୍ରତିଭାଗୀବୃନ୍ଦ । ବାର୍ଷିକ ଅଧିବେଶନରେ ବିଭିନ୍ନ କମ୍ପାନୀ ଓ ଅନୁଷ୍ଠାନମାନେ ସେମାନଙ୍କର ସୃଜନ ଉତ୍ପାଦ, ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଏବଂ ତତ୍ ସମ୍ବନ୍ଧୀୟ ପ୍ରାମାଣିକ ବିଷୟ ଉପସ୍ଥାପନ କରିବେ । ସଡକ ନିର୍ମାଣ, ମରାମତି ଓ ପରିବହନ ଭିତ୍ତିଭୂମିର ବିକାଶ ସମ୍ବନ୍ଧୀୟ ଜ୍ଞାନକୌଶଳର ଉପସ୍ଥାପନ କରାଯିବ । 
ପ୍ରତିଭାଗୀମାନେ ପ୍ରତିଦିନ ରଖାଯାଇଥିବା ବୈଷୟିକ ଅଧିବେଶନରେ ଭାଗ ନେବାରୁ ସୁଯୋଗ ପାଇବେ । ବିଗତ ଦିନଗୁଡ଼ିକରେ ହୋଇଥିବା ସଡକ ସମ୍ବନ୍ଧୀୟ ବିଭିନ୍ନ ଗବେଷଣା, ସୃଜନ ପଦ୍ଧତି, ଶିଳ୍ପକ୍ଷେତ୍ରରେ ହୋଇଥିବା ଉତ୍କର୍ଷକୁ ବିଶେଷଜ୍ଞମାନେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ସଡକ ସମ୍ବନ୍ଧୀୟ ବିଭିନ୍ନ ଦ୍ୱନ୍ଦ ଓ ସମସ୍ୟା ଦୂର କରିବା ପାଇଁ ନୀତି ନିର୍ଦ୍ଧାରକ ଓ ବୃତ୍ତିଧାରୀମାନେ ପରାମର୍ଶ ଦେବେ । ଓଡ଼ିଆ ସଂସ୍କୃତିରେ ରଙ୍ଗିନ ହେବ ରୋଡ କଂଗ୍ରେସ ସମ୍ମିଳନୀ ସନ୍ଧ୍ୟା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ପାରମ୍ପରିକ କଳା ସଂସ୍କୃତିକୁ ନେଇ ଦୁଲୁକିବ ମଞ୍ଚ । ରାଜ୍ୟର ବିବିଧ ସମୃଦ୍ଧ କଳା, ପରମ୍ପରା, ନୃତ୍ୟ, ସଙ୍ଗୀତ ଉପଭୋଗ କରିବେ ପ୍ରତିଭାଗୀ ।






 




 