ହେଡଲାଇନସ୍:

ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଅଁଳାନବମୀ ପର୍ବ ପାଳିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମା'ସୀତାଙ୍କ ପାଦ ଦର୍ଶନ କଲେ ଶହଶ୍ରାଧିକ ଶ୍ରଦ୍ଧାଳୁ

ଓଡ଼ଗାଁ,୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର କାର୍ତିକମାସ ଶୁକ୍ଳ ନବମୀ ତିଥିରେ ଓଡଗାଁ ବିଜେ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ପାରମ୍ପରିକ ଅଁଳାନବମୀ ନୀତି ଶୁକ୍ରବାର ପାଳିତ ହୋଇଯାଇଛି । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ହୋଇ ଶୋଧନ ନୀତି ପରେ ସକାଳ ୫ଟାରେ ମଙ୍ଗଳଆଳତୀ, ଅବକାଶ, ପଞ୍ଚାମୃତସ୍ନାନ, ମଇଲମ, ତଡପଲାଗି, ଖଟଣୀ ନୀତି ଅନୁଷ୍ଠିତ ହୋଇଥିଲା । ପରେ ମା' ସୀତାଙ୍କ ମୁଣ୍ଡରେ ଓଢ଼ଣା ବେକରେ ଅଁଳା ମାଳ ପକାଇ ଖାଣ୍ଟି ଓଡିଆଣୀ ବେଶରେ ସଜ୍ଜିତ କରିବା ସହିତ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ଠାକୁରଙ୍କୁ ସୁସଜ୍ଜିତ କରାଯାଇଥିଲା । ମାତା ସୀତାଙ୍କ ପାଦ ଦର୍ଶନ ପାଇଁ ଭୋର ସମୟରୁ ଶ୍ରଦ୍ଧାଳୁମାନେ ମନ୍ଦିର ନିକଟରେ ପହଁଚି ଯାଇଥିଲେ । ଆଜିର ସ୍ୱତନ୍ତ୍ର ଅଁଳାନବମୀ ପର୍ବ ତଥା ରାଧାଙ୍କ ପାଦ ଦର୍ଶନ ଅବସରରେ ମାତା ସୀତାଙ୍କ ଓଡ଼ିଆଣୀ ବେଶ ଓ ପାଦ ଦର୍ଶନର ସୁଯୋଗ ପାଇ ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରିଥିଲେ । ପୁରାଣ କିମ୍ବଦନ୍ତୀ ଆଧାରରେ ସାଖିଗୋପାଳରେ ଅଧିଷ୍ଠିତ ଠାକୁର ପଶ୍ଚିମାଞ୍ଚଳବାସୀ ହୋଇଥିବାରୁ ପଶ୍ଚିମାଞ୍ଚଳ ମହିଳାଙ୍କ ପରି ଦେବୀ ଶ୍ରୀରାଧାଙ୍କ ପିନ୍ଧା ଶାଢ଼ୀରେ ବର୍ଷସାରା ପାଦପଦ୍ମ ଘୋଡ଼ାଇ ହୋଇ ରହିଥିଲା । ତେବେ ଏହି ଭଳି କିଛି ଦିନ ଅନ୍ତରରେ ସେବକ ମାନଙ୍କ ବିଚାରରେ ଠାକୁରାଣୀ ଶ୍ରୀରାଧା ମାନବୀ ପ୍ରିୟା ଲକ୍ଷ୍ମୀ ରୂପେ ଓଡ଼ିଶାର ସତ୍ୟବାଦୀରେ ରହିଲେ । କିନ୍ତୁ ଦିନେ ହେଲେତ ଓଡ଼ିଆଣୀ ବେଶ ହେଲେ ନାହିଁ । ପରିଶେଷରେ ନିଷ୍ପତ୍ତି ଅନୁସାରେ ରାଧା ରୂପେ ପୂଜା ପାଉଥିବା ମାନବୀ ପ୍ରିୟା ଲକ୍ଷ୍ମୀଙ୍କ ଜନ୍ମଦିନ କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ । ଫଳରେ ବର୍ଷସାରା ଶାଢ଼ୀରେ ଆବୃତ ରହୁଥିବା ପାଦପଦ୍ମ ଦ୍ଵୟକୁ ଭକ୍ତମାନେ ଦର୍ଶନ ଲାଭର ସୁଯୋଗ ପାଇବେ । ଏଣୁ ସେହିଦିନଠାରୁ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି । ଏହି ଦିବସ ରାଧାପାଦ ଦର୍ଶନ ନାମରେ ବିଦିତ । ପାଳିଆ ପଣ୍ଡା ତଥା ପୁଜକ ପରିଷଦ ସଭାପତି ପ୍ରଫୁଲ ମହାପାତ୍ରଙ୍କ ସହିତ ପୂଜକ ପରିଷଦର କର୍ମକର୍ତ୍ତା, ମନ୍ଦିର ପରିଚ୍ଛା, ମନ୍ଦିର ପରିଚାଳକଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସଂପାଦିତ ହୋଇଥିଲା । ସେହିପରି ସ୍ଥାନୀୟ ରାଧାକାନ୍ତ ମଠ, ଲକ୍ଷ୍ମୀ ମନ୍ଦିର, ଲକ୍ଷ୍ମୀ ବଜାର ଓଡ଼ଗାଁ, ରଙ୍ଗଣୀପାଟଣା, ପାଇକ ପନ୍ତିଖାରୀ ରାଧାକୃଷ୍ଣଙ୍କ ମନ୍ଦିର ସହିତ ଓଡ଼ଗାଁ ଅଂଚଳର ଅନ୍ୟ ମଠ ଓ ମନ୍ଦିର ମାନଙ୍କରେ ରାଧାରାଣୀଙ୍କ ପାଦ ଦର୍ଶନ ନୀତି ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ରଘୁନାଥଙ୍କ ଝୁଲଣ ମଣ୍ଡପରେ କାର୍ତ୍ତିକେୟଙ୍କର ପୂଜା ଏବଂ ମନ୍ଦିର ରୋଡରେ ଶ୍ରୀ ତ୍ରିନାଥ ଜିଉଙ୍କ ବାର୍ଷିକ ଉତ୍ସବ ଆଜି ଠାରୁ ଆରମ୍ଭ ହୋଇଛି ।

0
0
0
s2sdefault