ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଦୁଷ୍କର୍ମ ତଥା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଶୁଣିବାକୁ ମିଳୁଛି। ସେହି ମଧ୍ୟରେ ଆଜି ଗଜପତି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲାରେ ଏକ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି।
ସୂଚନାଯୋଗ୍ୟ , ତା ୧୦-୦୨-୨୦୨୪ରିଖ ସନ୍ଧ୍ୟା ସମୟରେ ପିଡ଼ିତା ଯିଏକି ଜଣେ ମାନସିକ ବିକୃତ, ନିଜ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରେ ଘରେ କିମ୍ବା ଆଖପାଖ ଅଞ୍ଚଳରେ ଖୋଜିବା ପରେ କେହି ତାଙ୍କର ଖୋଜଖବର ପାଇପାରିନଥିଲେ। କିନ୍ତୁ ସେହିଦିନ ରାତି ୧୦ଟା ସମୟରେ ପିଡ଼ିତା ମୁମୂର୍ଷୁ ଅବସ୍ଥାରେ ନିଜ ଘରକୁ ଫେରିଥିଲେ। ପିଡ଼ିତାର ମାନସିକ ଅବସ୍ଥାକୁ ନଜରରେ ରଖି ତା' ପରଦିନ ସକାଳେ ଯେତେବେଳେ ତାଙ୍କ ମାଆ ସବୁକଥା ଜାଣିବାକୁ ଚେଷ୍ଟା କରିଥିଲେ , ସେତେବେଳେ ପିଡ଼ିତା ତାଙ୍କୁ ସେହି ସ୍ଥାନକୁ ନେଇ ଯାଇଥିଲା ଯେଉଁଠି ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ଓ ସେ ସ୍ଥାନରୁ ପିଡିତାଙ୍କର ଚପଲ ମଧ୍ୟ ମିଳିଥିଲା।
ପରେ ପିଡ଼ିତା ଦୁଷ୍କର୍ମ କରିଥିବା ଟୁକୁନା ଦଣ୍ଡିଆଙ୍କୁ ଚିହ୍ନଟ କରିବା ସହ ଗ୍ରାମବାସୀଙ୍କୁ ଜଣାଇବା ପରେ ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ତଥା ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପିଡ଼ିତାଙ୍କ ମାଆ ଆର. ଉଦୟଗିରି ଥାନାରେ ତା ୧୪-୦୨-୨୦୨୪ରିଖରେ ମାମଲା ନମ୍ବର ୨୬ ରେ ଏକ ମାମଲା ରୁଜୁ କରିଥିଲେ ଓ ସବ ଇନ୍ସପେକ୍ଟର ସ୍ୱପ୍ନାରାଣୀ ବେହେରା ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀ ଟୁକୁନା ଦଣ୍ଡିଆଙ୍କୁ କୋର୍ଟ ଚାଲାଣ କରିଥିଲେ।
ଆଜି ୧୯ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଭୁ ପ୍ରସାଦ ପଣ୍ଡା ଭାରତୀୟ ପିଙ୍ଗଳ କୋଡ଼ର ଧାରା '୩୭୬(୨)(ଠ)' (ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ କରିବା) ଅପରାଧରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି।
ସେହିପରି ଅପହରଣ ପାଇଁ ରହିଥିବା ଧାରା ୩୬୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷର ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କାର ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଏକ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଆସୋସିଏଟ ପିପି ପି. ପ୍ରସାଦ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ରାଜ୍ୟ
ମାନସିକ ବିକୃତ ଯୁବତୀ ଅପହରଣ ତଥା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ
- Hits: 27











