ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ( ଶୁକ୍ରବାର) ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୧୭ ତାରିଖ ଠାରୁ ଚଳିତ ମାସର ୧୬ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି ଓ ସେକ୍ଟର ମାନଙ୍କରେ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ଉତ୍ତମ ପୋଷଣ ସୁସ୍ଥ ଜୀବନ ତେଣୁ ପୋଷଣ ସମ୍ପର୍କରେ ଘରେ ଘରେ ଏହାର ଗୁରୁତ୍ଵ ଉପରେ ସଚେତନ କରାଇବା ସହ କୁପୋଷଣକୁ କିଭଳି ଦୂରୀକରଣ କରିବା , ଲୋକଙ୍କ ମଧ୍ୟରେ ସେମାନଙ୍କ ମାନସିକତା ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ଯାହା ଫଳରେ କୌଣସି ଶିଶୁ ଯେଭଳି କୁପୋଷଣର ଶିକାର ହେବେ ନାହିଁ ଏବଂ ଏଥିସହ ଆମ ସମାଜ ଓ ଆମ ଜିଲ୍ଲା ଏକ ସୁ ପୋଷିତ ତଥା ସୁସ୍ଥ ପୋଷଣ ଜିଲ୍ଲା ଭାବେ ଗଠନ ହେବାରେ ସହାୟକ ହୋଇପାରିବ ବୋଲି କହିଥିଲେ।
ଜିଲ୍ଲା ପୋଷଣ ଅଭିଯାନ ସଂଯୋଜିକା ଶ୍ରୀମତୀ ପାୟଲ ପାଣିଗ୍ରାହୀ ଯୋଗ ଦେଇ ଭାରତ ସରକାରଙ୍କ ଏହି ପୋଷଣ ଅଭିଯାନ ଏକ ଫ୍ଲାଗ-ସିପ ଯୋଜନା କାର୍ଯ୍ୟକ୍ରମ। ଜିଲ୍ଲାର ୭୦ ସେକ୍ଟର ସମେତ ୨୪୪୩ ଟି ଅଙ୍ଗନବାଡି କେନ୍ଦ୍ରରେ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଚାଲିଛି ବୋଲି ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଯୋଗଦେଇ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ରହିଥିବା ଥିମ୍ ଉପରେ ମୁଖ୍ୟତଃ ମେଦ ବହୁଲତା ଉପରେ ସଚେତନ କରାଇବା , ସ୍ୱଦେଶୀ ଜିନିଷକୁ ବ୍ୟବହାର କରି ବିଦେଶୀ ଜିନିଷକୁ ପରିତ୍ୟାଗ କରିବା , ଶୁନ ରୁ ୩ ବର୍ଷ ବୟସର ପିଲାଙ୍କ ବୌଦ୍ଧିକ ବିକାଶ କରାଇବା ପ୍ରଭୃତି ଉପରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜୀବିକା ମିଶନ ଜିଲ୍ଲା ସଂଯୋଜକ ଶ୍ରୀ ଟିମାନ ବାରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ. ସୁନିତା ପ୍ରମୁଖ ପୋଷଣ ଅଭିଯାନ ସମ୍ପର୍କରେ ନିଜର ଉପାଦେୟ ମତ ପ୍ରଦାନ କରିଥିଲେ।
ଏହି ଅବସରରେ ପୋଷଣ ଯୁକ୍ତ ଖାଦ୍ୟ ଓ ପନିପରିବା ବିଭିନ୍ନ ବ୍ଲକର ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା।
ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା।