୧ କିମିରୁ ଉର୍ଦ୍ଧ୍ଵ ବାଟ ଯାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପାରପରା ଗାଁର ବାତ୍ୟା ଆଶ୍ରୟସ୍ଥଳୀ ଜରାଜୀର୍ଣ୍ଣ ଅବସ୍ଥାରେ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି । ଗୋଟିଏ ୱାର୍ଡ ବିଶିଷ୍ଟ ପାରପରା ଗାଁ ରେ ପାଖାପାଖି ୯୦ ପରିବାରରେ ପାଞ୍ଚଶହ ଲୋକ ବସବାସ କରନ୍ତି । ଗାଁର ଅଧିକାଂଶ ଲୋକ ଚାଷୀବନ୍ଦୀ ହୋଇଥିବାରୁ ଶତକଡା ତିରିଶ ଭାଗ ଲୋକଙ୍କର ଚାଳଘର ରହିଛି । ଅକ୍ଟୋବର ମାସ ଆସିଲେ ଗାଁ ଲୋକଙ୍କ ମନରେ ବାତ୍ୟାର ଛନକା ପସେ । ଗତ ମହାବାତ୍ୟାରେ ଗାଁର ବ୍ୟାପକ କ୍ଷତି ଦୃଷ୍ଟି କୋଣରୁ ବାତ୍ୟା ପରେ ମହାରାଷ୍ଟ୍ର ସରକାରଙ୍କ ଦ୍ଵାରା ଦୁଇ ମହଲା ବିଶିଷ୍ଟ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା । ଗାଁ ରେ ପାରପରା ପ୍ରାଥମିକ ବିଦ୍ୟାଳୟ ଗୃହ ଭଗ୍ନ ଅବସ୍ଥାରେ ଥିବାରୁ ନିକଟ ମହାରାଷ୍ଟ୍ର ବାତ୍ୟା ଆଶ୍ରୟସ୍ଥଳୀ ଗୃହରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲିଥିଲା । ମାତ୍ର ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୃହର ମରାମତି ଅଭାବରୁ ସରକାରୀ ସ୍ତରରେ ବିପଦ ସଂକୁଳ ଘୋଷଣା କରାଯାଇଛି । ଫଳରେ ଗାଁର ପିଲାମାନେ ୧ କିଲୋମିଟରରୁ ଅଧିକ ଦୂରରେ ଅବସ୍ଥିତ ମାଣପୁର ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଛନ୍ତି । ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୃହକୁ ମରାମତି ପାଇଁ ବାରମ୍ବାର ଏରସମା ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଫଳ କିଛି ନ ମିଳିବାରୁ ବାଧ୍ୟ ହୋଇ ଗ୍ରାମ୍ୟ କମିଟି କିଛିଦିନ ତଳେ ସ୍ୱଳ୍ପ ବ୍ୟୟରେ ମରାମତି କରାଯାଇଛି । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଯଦି ଉକ୍ତ ମହାରାଷ୍ଟ୍ର ବାତ୍ୟା ଆଶ୍ରୟସ୍ଥଳୀର ମରାମତି କରାଯାଇ ପାରନ୍ତା ତେବେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାମର ତିରିଶ ଭାଗ ଲୋକ ଉପକୃତ ହେବା ସହିତ ଶିକ୍ଷାଦାନ ପାଇଁ ସରକାରୀ ବିଦ୍ୟାଳୟ ଚାଲି ପାରନ୍ତା ବୋଲି ଗ୍ରାମବାସୀ ମନେ କହିଛନ୍ତି । ଆହୁରି ମଧ୍ୟ ବିପର୍ଯ୍ୟୟ ସମୟରେ ଗାଈ ଗୋରୁଙ୍କ ସୁରକ୍ଷା ସହିତ ଗାଁ ଯାନୀ ଯାତ୍ରା, ମେଳା ମହୋତ୍ସବ ହୋଇପାରନ୍ତା ବୋଲି ଗ୍ରାମର ପବିତ୍ର କୁମାର ମଲ୍ଲ, କୁଳମଣି ମଲ୍ଲ, ଅଜୟ ମଲ୍ଲ, କେଳୁ ଚରଣ ମଲ୍ଲ, ବିଦୁର କୁମାର ପାଣି, ବାମଦେବ ମଲ୍ଲ, ତପନ ମଲ୍ଲ ପ୍ରମୂଖ ଗ୍ରାମବାସୀମାନେ ଦାବି କରିଛନ୍ତି ।