ବେକରେ ଖୋଜ ପକାଇ ମାରୁଥିଲା ବେଳେ ପୁଅ ହାବୁଡ଼ରୁ ଗ୍ରାମବାସୀ ଦ୍ଵାରା ଉଦ୍ଧାର ବୃଦ୍ଧ ଥାନାରେ ଅଭିଯୋଗ ଜଣାଇଲେ,
ଓଡ଼ଗାଁ,୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସୁନାମୁହିଁ ପଞ୍ଚାୟତ ସୁନାମୁହିଁ ଗ୍ରାମ ଦାଣ୍ଡରେ ଅମାନୁସୀକ ଭାବେ ପୁଅ ବୃଦ୍ଧ ବାପାଙ୍କୁ ଘୋଷାରି ଘୋଷାରି ମରଣାତ୍ମକ ଆକ୍ରମଣ ଜାରୀ ରଖିଥିବା ବେଳେ ଗ୍ରାମବାସୀଙ୍କ ହସ୍ତକ୍ଷେପ ଯୋଗୁଁ ରକ୍ଷା ପାଇଲେ ବୃଦ୍ଧ ବାପା । ବୃଦ୍ଧ ବାପା ଗ୍ରାମବାସୀଙ୍କ ସହଯୋଗରେ ଆସି ଓଡ଼ଗାଁ ଥାନାରେ ପୁଅ ନାମରେ ଲିଖିତ ଅଭିଯୋଗ କରିବା ପରେ ୩୧୩/୨୫ରେ ଏକ ଅପରାଧିକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ଏସଆଇ ଚକ୍ରଧର ସିଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବୃଦ୍ଧ ପିତା ଜଣକ ହେଲେ ସୁନାମୁହିଁ ଗ୍ରାମର ଜଣେ ଅବସରପ୍ରାପ୍ତ ବନ କର୍ମଚାରୀ ବିନୋଦ ମହାରଣା (୮୪)। ପ୍ରତି ମାସରେ ବାପାର ପେନସନରୁ ମିଳୁଥିବା ୨୦ ହଜାର ଟଙ୍କାରେ ପୁଅର ପରିବାର ଚଳେ । ପିତାଙ୍କ ପେନସନ ଟଙ୍କା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ପୁତ୍ର ଜିତେନ୍ଦ୍ର ମହାରଣା(୪୨) ନିଜ ଖର୍ଚ୍ଚ ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପିତାଙ୍କ ଉପରେ ଦାବି କରେ । ଅତିରିକ୍ତ ଟଙ୍କା ଦେବାରେ ପିତା ଅକ୍ଷମତା ପ୍ରକାଶ କଲେ ପୁତ୍ର ଜିତେନ୍ଦ୍ର ପିତା ବିନୋଦଙ୍କୁ ନିର୍ଯ୍ୟାତନା ଦେଇଥାଏ । ରବିବାର ସକାଳେ ଜିତେନ୍ଦ୍ର ହଠାତ୍ ପିତା ବିନୋଦଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରି ଦାଣ୍ଡକୁ ବାହାର କରି ଦେଇଥିଲା । ଏବଂ ଦାଣ୍ଡରେ ଘୋଷାରି ବିଧା, ଚାପୁଡ଼ା, ଗୋଇଠା ମାରିବା ସହିତ ବେକରେ ଖୋଜ ପକାଇ ଠିଆ ହୋଇ ପଡ଼ିଥିଲା । ଏହି ସମୟରେ ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ, ୱାଡ ମେମ୍ବର ସୁଶାନ୍ତ କୁମାର ସାହୁଙ୍କ ସହିତ ଅନ୍ୟ ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚି ବିନୋଦ ମହାରଣାଙ୍କୁ ପୁତ୍ର ଠାରୁ ବଞ୍ଚାଇଥିଲେ।