ବର୍ଷା କମିଲେ ରାସ୍ତା ମରାମତି : ଏସ୍.ଡି.ଓ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ନିର୍ମାଣ ହେବାର ମାତ୍ର ଅଢେଇ ବର୍ଷ ମଧ୍ୟରେ ରାସ୍ତାରେ ସୃଷ୍ଟି ହୋଇଛି ଅସଂଖ୍ୟ ଖାଲଖମା I ବର୍ଷା ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡୁଛି I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ଠାରୁ ଭାୟା ମୋଟାବାଡି ହୋଇ ବୁଗୁଡ଼ାକୁ ସଂଯୋଗ କରୁ୍ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା I ସୂଚନା ପ୍ରକାରେ ଅଢେଇ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ରାସ୍ତା ବେଲଗୁଣ୍ଠା ବ୍ଲକ୍ ର ଆମ୍ବପୁଆ ଠାରୁ ବୁଗୁଡ଼ା ବ୍ଲକ୍ ର ମୋଟାବାଡି ପର୍ଯ୍ୟନ୍ତ ଯାଇଛି I ପ୍ରାୟ ସାତ କିଲୋମିଟର ଦୈର୍ଘ୍ୟର ଏହି ରାସ୍ତା ବର୍ତ୍ତମାନ ଖାଲଖମାରେ ଭର୍ତ୍ତି ହୋଇ ଅଞ୍ଚଳର ଜନ ସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି I ଏହି ରାସ୍ତା ଉପରେ ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ଏବଂ ବୁଗୁଡ଼ା ବ୍ଳକ୍ ର ପ୍ରାୟ ପନ୍ଦରଟି ପଂଚାୟତର ୫୪ ଟି ଗ୍ରାମର ଲୋକେ ନିର୍ଭରଶୀଳ କରନ୍ତି I ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ଏତେ ଦୟନୀୟ ହୋଇପଡିଛି ଯେ ବର୍ଷା ହେଲେ ଖାଲଖମାରେ ପାଣି ରହି ପ୍ରତ୍ୟେକ ଦିନ ବିଭିନ୍ନ ଛୋଟବଡ ଦୁର୍ଘଟଣା ଘଟୁଛି I ଏନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି I ଆଗାମୀ ଦିନରେ ଏହି ରାସ୍ତାକୁ ଯଦି ମରାମତି କରାନଯାଏ ତେବେ ଗ୍ରାମବାସୀମାନେ ମିଳିତ ଭାବେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି I ଏନେଇ କିଛି ଦିନତଳେ କିଛି ଗ୍ରାମବାସୀ ଅଭିଯୋଗ କରିବା ପରେ ବଡ଼ ବଡ଼ ଖାଲ ଗୁଡିକରେ ତାଳି ପକାଇ ଖାଲ ଗୁଡିକୁ ଲୁଚାଇବା ପାଇଁ ପ୍ରୟାସ କରାଯାଇଥିଲା I କିନ୍ତୁ ବର୍ତ୍ତମାନ ରାସ୍ତାରେ ପୁନଶ୍ଚ ଖାଲ ସୃଷ୍ଟି ହୋଇଛି I ତେଣୁ ଏହାକୁ ପକ୍କl ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଗ୍ରାମବାସୀ ଦାବି କରିଛନ୍ତି I ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଖଣ୍ଡ ଅଧିକାରୀ ସୁଶାନ୍ତ ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ କିଛିଦିନ ତଳେ ରାସ୍ତା ମରାମତି କରାଯାଇଥିବା ବେଳେ ଲଗାଣ ବର୍ଷାରେ ରାସ୍ତାର ମରାମତି ସ୍ଥାନ ଗୁଡିକ ଧୋଇ ହୋଇଯାଇଥିବା ପ୍ରକାଶ କରିଛନ୍ତି I ତେଣୁ ବର୍ଷା ଛାଡିଲେ ରାସ୍ତାକୁ ପୁଣି ଥରେ ମରାମତି କରାଯିବ ବୋଲି ଏସ୍.ଡି.ଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି I