ମା ଙ୍କ ପାଖରେ ମୂକସାକ୍ଷୀ ହୋଇ ରହିଛି ସେହି 400 ବର୍ଷ ତଳର କୁରାଢି
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବ୍ରହ୍ମପୁର ଠାରୁ ଭଞ୍ଜନଗର ଯିବା ରାସ୍ତାରେ ଗାଙ୍ଗପୁର ଥାନା ଠାରୁ ପାଞ୍ଚ କିଲୋମିଟ ର ଦୂର ତଥା କ୍ଷତ୍ରିୟବରପୁର ଠାରୁ ପଶ୍ଚିମ ଦିଗରେ ଅବସ୍ଥିତ ଘୁମସର ଅଞ୍ଚଳର ଅନ୍ୟତମ ଶକ୍ତିପୀଠ ମାଆ ବୁଢାକେନ୍ଦୁଙ୍କ ମନ୍ଦିର I ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ମାଆଙ୍କ ପୀଠ ଅଞ୍ଚଳ ବାସୀଙ୍କ ପାଇଁ ଏକ ପ୍ରତ୍ୟେକ୍ଷ ଦେବୀ ପୀଠ ଭାବରେ ଖ୍ୟାତି ଲାଭ କରିଛି I ମାଆଙ୍କ ଆବିର୍ଭାବ ସମ୍ପର୍କରେ ଏକ ଲୋକକଥା ରହିଛି I ଷୋଡ଼ଶ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ଅଞ୍ଚଳଟି ଶାଳ, ଶାଗୁଆନ୍, ପିଆଶାଳ,କେନ୍ଦୁ ଆଦି ଗଛରେ ପରିପୂର୍ଣ୍ଣ ଥିବା ସହିତ ବାଘ,ଭାଲୁଙ୍କ ପରି ବନ୍ୟଜନ୍ତୁଙ୍କ ବିଚରଣ ଭୂମି ପାଲଟିଥିଲା I ଏକଦା ନିକଟସ୍ଥ ପାଇଲିପଡ଼ା ପଞ୍ଚାୟତ ଧାନପୁଞ୍ଜା ଗ୍ରାମର ଜଣେ ବୃଦ୍ଧ ରଜକ ନିଜର ଦୈନନ୍ଦିନ ଆବଶ୍ୟକ ପାଇଁ କାଠ କାଟିବା ପାଇଁ ଏହି ଜଙ୍ଗଲରେ ପହଞ୍ଚିଥିଲା I ଜଙ୍ଗଲରେ ଏକ ବିରାଟ କେନ୍ଦୁ ଗଛ ଦେଖି କେନ୍ଦୁଗଛଟିକୁ ନିଜ କୁରାଢିରେ କାଟିବା ପାଇଁ ଉଦ୍ୟମ କରିଥିଲା I କିନ୍ତୁ ଗଛଟିରେ କୁରାଢି ଚୋଟ ବସିବା ମାତ୍ରକେ ଗଛ ଦେହରୁ ରକ୍ତସ୍ରାବ ହୋଇଥିଲା I ଏହା ଦେଖି ରଜକ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇ ନିକଟସ୍ଥ ପ୍ରତାପ ଲକ୍ଷ୍ମଣପୁର ଶାସନ ଏବଂ ପର୍ଶୁଲୁଣ୍ଡା ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଗ୍ରାମବାସୀ ଘଟଣା ସ୍ଥଲକୁ ଯାଇ ସଦ୍ୟ କୁରାଢି ଚୋଟ ବସି ରକ୍ତ ଝରୁଥିବା ଗଛ ଏବଂ ପାଖରେ ପଡ଼ିଥିବା ରଜକର କୁରାଢି ଦେଖିଥିଲେ I ଏଥିରେ ଲୋକେ କେନ୍ଦୁଗଛ ଦେହରେ ମାଆ ବନ ଦେବୀଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ କରିବା ସହ ପୂଜାର୍ଚ୍ଚନା କରିଥିଲେ I ବିଶ୍ୱାସ ଅଛି ପୂର୍ବେ ଲୋକେ ମାଆଙ୍କ ଗଛ ନିକଟ ଦେଇ ଘଞ୍ଚ ଜଙ୍ଗଲ ରାସ୍ତାରେ କ୍ଷତ୍ରିୟବରପୁର ଠାରୁ ନିକଟସ୍ଥ ପଳାଶପଲ୍ଲୀ,ଗୁଡ଼ିବନ୍ଧ ଏବଂ କୁଲାଙ୍ଗୀ ଗ୍ରାମକୁ ଯାତାୟତ କରୁଥିଲେ I ଲୋକେ ଯିବା ଆସିବା ସମୟରେ ଜଙ୍ଗଲରୁ ଡାଳଟେ ଭାଙ୍ଗି ମାଆଙ୍କ ନିକଟରେ ଭକ୍ତିରେ ଅର୍ପଣ କରିଦେଲେ ବାଟୋଇକୁ ଘଞ୍ଚ ଜଙ୍ଗଲ ମଧ୍ୟରେ କୌଣସି ହିଂସ୍ର ଜନ୍ତୁ କିମ୍ବା ଚୋର ଡକାୟତଙ୍କର ଭୟ ରହୁନଥିଲା I ତେଣୁ ପୂର୍ବରୁ ମାଆଙ୍କୁ ଡାଳଖାଇ ଭାବରେ ଲୋକେ ପୂଜାର୍ଚ୍ଚନା କରୁଥିଲେ I କ୍ରମେ ମାଆଙ୍କ ପ୍ରତି ଜନ ସାଧାରଣଙ୍କ ଭକ୍ତି ଏବଂ ବିଶ୍ୱାସ ବୃ୍ଦ୍ଧି ପାଇବା ସହିତ ମାଆଙ୍କ ନିକଟରେ ବର୍ଷର ବିଭିନ୍ନ ସମୟରେ ଜାନି ଯାତ୍ରା ଏବଂ ପୂଜାବିଧି ଅନୁଷ୍ଠିତ ହେଲା I ପ୍ରଥମେ ମାଆଙ୍କୁ କଣ୍ଟା ବାଡ଼ ଘେରରେ ପୂଜା କରାଯାଉଥିଲା ଏବଂ ପରେ ପ୍ରସ୍ତର ବାଡ଼ ଘେରରେ ପୂଜା କରାଗଲା I ମା ଙ୍କ ନିକଟରେ ଏକ ଯଜ୍ଞ କରାଯାଇଥିଲା । ଯଜ୍ଞରେ କେନ୍ଦୁ ଗଛ ମୂଳରେ ମାଆ ଦୂର୍ଗାଙ୍କ ଏକ ପ୍ରତିମା ସ୍ଥାପନ କରାଯାଇଥିଲା I ତେବେ ବୁଢା ରଜକ କାଟିଥିବା କେନ୍ଦୁ ଗଛ ମୂଳରେ ମାଆ ଦୂର୍ଗାଙ୍କ ପ୍ରତିମା ସ୍ଥାପନ ପରେ ମାଆଙ୍କୁ ବୁଢାକେନ୍ଦୁ ରୂପେ ନାମକରଣ କରାଗଲା ଏବଂ ସେହିଦିନ ଠାରୁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇ ଆସୁଛି I ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ମାଆ ବୁଢାକେନ୍ଦୁଙ୍କ ପୀଠରେ ମାଆଙ୍କ ବାର୍ଷିକ ଯାତ୍ରା ଦେଖିବା ପାଇଁ ଗଞ୍ଜାମ ସମେତ ଏହାର ପଡ଼ୋଶୀ ଜିଲ୍ଳା ଗଜପତି, ନୟାଗଡ ଏବଂ କନ୍ଧମାଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ I ଏତଦ୍ ସହିତ ମାଆଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଏବଂ ଆଶ୍ଵିନରେ ନବରାତ୍ର ପୂଜା ମଧ୍ୟ ଧୂମଧାମରେ ଅନୁଷ୍ଠିତ ହୋଇଥାଏ I ପୌଷମାସରେ ପହିଲି ଭୋଗ ହୁଏ I ନବରାତ୍ର ସମୟରେ ମହାଷ୍ଟମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ସ୍ଵତନ୍ତ୍ର ନୀତିକାନ୍ତିରେ ମାଆଙ୍କ ପୂଜା ଅନୁଷ୍ଠିତ ହୁଏ I ଏହା ସହିତ ବର୍ଷ ସାରା ମାଆଙ୍କ ପୀଠକୁ ବିଭିନ୍ନ ମାନସିକ ଧାରୀ ଏବଂ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ I ଏଠାରେ ବିବାହ, ବ୍ରତ,ମୁଣ୍ଡନ ଭଳି ନାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ I ଘଞ୍ଚ ଜଙ୍ଗଲର ଶାନ୍ତ,ଶିତଳ ପରିବେଶ ମଧ୍ୟରେ ବଣଭୋଜୀ କରିବା ପାଇଁ ଦଳ ଦଳ ପର୍ଯ୍ୟଟକ ସପରିବାରେ ଦୌଡ଼ି ଆସନ୍ତି ମାଆଙ୍କ ପୀଠକୁ I ମାଆଙ୍କର ଦୈନନ୍ଦିନ ନୀତିକାନ୍ତି ସ୍ଵତନ୍ତ୍ର I ମନ୍ଦିରର ଦୁଇ ପୂଜକ ତାରିଣୀ ପଣ୍ଡା ଏବଂ ସନାତନ ରଣାଙ୍କ ସୂଚନା ପ୍ରକାରେ ପ୍ରତିଦିନ ଭୋର୍ ଚାରିଟା ସମୟରେ ମାଆଙ୍କର ଦ୍ୱାର ଫିଟା ନୀତି ପରେ ମାଜଣା କରାଯାଏ I ବନଦେବୀ ମନ୍ତ୍ରରେ ଦେବୀଙ୍କୁ ପୂଜା କରାଯାଇଥାଏ I ଏହାପରେ ବାଳ ଭୋଗରେ ଗଜା ଏବଂ ଖଇ ଅର୍ପଣ କରାଯାଏ I ଦିନ ଏଗାର ଘଣ୍ଟ ସମୟରେ ମାଆଙ୍କ ନିକଟରେ ଅନ୍ନ ଭୋଗ କରାଯାଇ ଭାତ, ଡ଼ାଲି,ବେସର, ଖଟା ଆଦି ଅର୍ପଣ କରାଯାଇଥାଏ I ତେବେ ମାଆ ବୁଢାକେନ୍ଦୁ ଅଞ୍ଚଳ ପ୍ରତ୍ୟେକ୍ଷ ଦେବୀ ଭାବରେ ସମସ୍ତଙ୍କ ଡାକ ଶୁଣିଥାନ୍ତି ବୋଲି ଅଞ୍ଚଳବାସୀଙ୍କ ବିଶ୍ୱାସ ରହିଛି I











