ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭାଡିକିଳା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଉଁଶଗାଡ଼ିଆର ଅତିରିକ୍ତ ଶ୍ରେଣୀଗୃହ ବାରଣ୍ଡା ଏବେ ଯେମିତି ବିଅରବାର ପାଲଟି ଯାଇଛି । ସ୍ଥାନୀୟ କେତେକ ଅସାମାଜିକ ବ୍ୟକ୍ତିମାନଙ୍କ ପାଇଁ ସ୍କୁଲ ଭଳି ପବିତ୍ର ଅନୁଷ୍ଠାନର ଅମର୍ଯ୍ୟଦା ଘଟି ଚାଲିଛି । ଓଡ଼ଗାଁ - ବାଉଁଶଗାଡ଼ିଆ ରାସ୍ତାର ରଗଡିମଡା ଗ୍ରାମ ବାଙ୍କ ପରବର୍ତ୍ତୀ ମୁଖ୍ୟ ରାସ୍ତା ବାମ କଡ଼ରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଉଁଶଗାଡ଼ିଆ ବାରଣ୍ଡାରେ ପ୍ରତ୍ୟେହ ସନ୍ଧ୍ୟା ଗଡ଼ିଗଲେ ମଦ୍ୟ ପାନ କରିବା ଏବେ ସାଧାରଣ ଘଟଣା ପାଲଟି ଯାଇଛି । ସ୍କୁଲରେ ଏହି ପଞ୍ଚାୟତ ଅଞ୍ଚଳର କୁନି କୁନି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ମଦ୍ୟପ ଅସାମାଜିକ ବ୍ୟକ୍ତିମାନଙ୍କ ଭୟରେ ପ୍ରଶାସନିକ ସ୍ତରରେ ଅଭିଯୋଗ ପାଇଁ କେହି ଆଗଭର ହେଉନାହାନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ ଏନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାପଡିଛି । ଏପରିକି ଉକ୍ତ ଅସାମାଜିକ ବ୍ୟକ୍ତିମାନଙ୍କ ଛୁଆ ଓ ସମ୍ପର୍କିୟ ମାନେ ମଧ୍ୟ ଏଠାରେ ଅଧ୍ୟୟନ ବେଳେ ସେଥିପ୍ରତି ମଧ୍ୟ ସେମାନଙ୍କର ନିଘା ନଥାଏ । ମଦ୍ୟପାନ ପରେ ନିଶାଖୋର ବ୍ୟକ୍ତି ମାନେ ହିତାହିତ ଜ୍ଞାନ ଭୁଲି ବିଭିନ୍ନ ଅଶ୍ରାବ୍ୟ ଭାଷାରେ ପାଟି କରି ଗାଳିଗୁଲଜ ହେଉଥିବା ସହ ମଦ୍ୟପାନ ପରେ କାଚ ବଟଲ, ଚାଖଣା ଜରି ସହିତ ବଟଲ ଭାଙ୍ଗି ସେଠାରେ ଛାଡ଼ି ଆସିଥାନ୍ତି । ଏପରି ସ୍ଥଳେ ସକାଳେ ସ୍କୁଲ ଖୋଲିଲେ କୋମଳମତି ଛାତ୍ରଛାତ୍ରୀ ମାନେ ସ୍କୁଲରେ ପହଁଞ୍ଚୁଥିବା ବେଳେ ଅକସ୍ମାତ୍ ସେମାନଙ୍କ ପାଦରେ କାଚର ଆଘାତ ଲାଗିବାର ସମ୍ଭାବନା ରହିଛି । ତେବେ ପ୍ରଥମତଃ ସ୍କୁଲ ସରିବା ପରେ ଶିକ୍ଷକ କର୍ମଚାରୀ ମାନେ ଫାଟକରେ ତାଲା ଲଗାଇବା ସହିତ ନିକଟସ୍ଥ ଶରଦ୍ଧାପୁର ପୁର ଗ୍ରାମବାସୀଙ୍କ ପରି ମିଳିତ ଭାବେ ଅଭିଯୋଗ କରିବାର ଆବଶ୍ୟକତା ରହିଛି । ଅନ୍ୟଥା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳ ଯୁବକ ମାନଙ୍କ ଉପରେ ଏହାର ପ୍ରଭାବକୁ ଏଡାଇ ଦିଆଯାଇନପାରେ ।
ରାଜ୍ୟ
ସ୍କୁଲ ବାରଣ୍ଡା ପାଲଟିଛି ପାଲଟିଛି ବାର
- Hits: 65











