ହେଡଲାଇନସ୍:

ବିଜେପୁରରେ ଆରମ୍ଭ ହେଲା ଅନନ୍ତ ମହୋତ୍ସବ, ଭକ୍ତିରେ ରଙ୍ଗିଲା ପରିବେଶ”

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ସଦର ମହାକୁମ୍ଭ ରେ ପ୍ରତିବର୍ଷରେ ପରମ୍ପରାଗତ ଭାବରେ ପାଳନ ହୋଇଥିବା ଅନନ୍ତ ବ୍ରତ ମହୋତ୍ସବ ଏବେକୁ ଶନିବାରଠାରୁ ଭକ୍ତିଭାବ, ଧାର୍ମିକ ଉତ୍ସାହ ଓ ସାମୂଦାୟିକ ସମ୍ମିଳନରେ ଆରମ୍ଭ ହୋଇଛି। ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଆଧାର କରି ପାଳିତ ହେଉଥିବା ଏହି ବୃହତ୍ ଧାର୍ମିକ ଉତ୍ସବ ବିଜେପୁରର ସାମ୍ପ୍ରଦାୟିକ ଓ ସାଂସ୍କୃତିକ ପରମ୍ପରାର ପ୍ରତିଚ୍ଛବି।
ପୂର୍ବାହ୍ନରେ ସ୍ଥାନୀୟ ଆଠଟି ପୂଜାମଣ୍ଡପର କର୍ମକର୍ତ୍ତାମାନେ ଭବ୍ୟ ଶୋଭାଯାତ୍ରାରେ ନିଜନିଜ ପଡ଼ାରୁ ଯାତ୍ରା କରି ଦାମୋଦର କଟା ପହଞ୍ଚିଥିଲେ। ଶଂଖ, ଘଣ୍ଟ, ହରିବୋଲ ଓ ହୁଳହୁଳିର ଧ୍ବନିରେ ଆକାଶ ମହିମାନ୍ୱିତ ହୋଇଯାଇଥିଲା। ପୋଖରୀ କୂଳରେ ଭକ୍ତମାନଙ୍କ ଭିଡ଼ ଓ ସ୍ରଦ୍ଧାଭାବରେ ପରିପୂର୍ଣ୍ଣ ପରିବେଶ, ପୁରା ନଗରକୁ ଭକ୍ତିରେ ମଗ୍ନ କରିଥିଲା।
ପୁରୋହିତମାନଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ, ଯଜ୍ଞ କର୍ତ୍ତା ଙ୍କ ମାନସିକ କଳସ ଧାରଣ ଓ ସହର ପରିକ୍ରମା ସବୁ ମିଶି ଧର୍ମ, ପରମ୍ପରା ଓ ଲୋକସହଭାଗିତାର ଏକ ଅଦ୍ଭୁତ ସମନ୍ୱୟ ସୃଷ୍ଟି କରିଥିଲା।
ପରମ୍ପରାଅନୁସାରେ ବିଭିନ୍ନ ପଡ଼ାରୁ ଚୟନିତ ଦମ୍ପତିମାନେ ଯଜ୍ଞ କର୍ତ୍ତା ର ଦାୟିତ୍ୱ ନେଇଥିଲେ
ମଧ୍ୟପଡ଼ାରେ – ଝରଣା ମେହେର ଓ ଜିତେନ୍ଦ୍ରିୟ ମେହେର
ଉପରପଡ଼ାରେ – ସୁମତୀ ମେହେର ଓ ପ୍ରେମାନନ୍ଦ ମେହେର
ତଳିପଡ଼ାରେ – ଝରଣା ମେହେର ଓ କୈଳାସ ମେହେର
ମାଲପଡ଼ାରେ – ସୀତା ବାରିକ ଓ ଲକ୍ଷ୍ମଣ ବାରିକ
ଗାନ୍ଧୀପଡ଼ାରେ – ସୁଶିଳା ମେହେର ଓ ନିଶାମଣୀ ମେହେର
ବଜରଙ୍ଗଛକରେ – ତୁଳସୀ ମେହେର ଓ ମନିଷ ମେହେର
ଭୁଏପଡ଼ାରେ – ଯଶୋଦା ମେହେର ଓ ସହଧର୍ମୀ
ମହାବୀରଛକରେ – ପୂର୍ଣ୍ଣିବାସୀ ମେହେର ଓ ଭୋଜରାଜ ମେହେର
ସେମାନଙ୍କୁ ଯଜ୍ଞ କର୍ତ୍ତା ଦାୟିତ୍ୱ ପାଳନରେ ସ୍ଥାନୀୟ ଲୋକମାନେ ସମ୍ମାନିତ କରିଥିଲେ।
ରାଜ ପୁରୋହିତ କିଶୋର ଚନ୍ଦ୍ର ପୂଜାରୀଙ୍କ ନେତୃତ୍ୱରେ ରାମହରି ପୂଜାରୀ, ହାଡୁ ପୂଜାରୀ, ସୁରେନ୍ଦ୍ର ମହାପାତ୍ର, ରଞ୍ଜନ ମହାପାତ୍ର, ଚନ୍ଦନ ଶର୍ମା, ମଣ୍ଟୁ ସାବତ, ପ୍ରମୋଦ ଦାଶ, ସୁକଦେବ ତ୍ରିପାଠୀ ଆଦି ପୁରୋହିତମାନେ ନିୟମ, ନୀତି ଓ ପାରମ୍ପରିକ ଆଚାର-ବିଚାରରେ ସମସ୍ତ ପୂଜା-ଅର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ।
ସଂଧ୍ୟାବେଳେ ଜଳନ୍ଧରଙ୍କୁ ସୁସଜ୍ଜିତ ରଥରେ ତାଙ୍କ ପାତ୍ର, ମନ୍ତ୍ରୀ ଓ ସୈନ୍ୟ ସହିତ ନଗର ପରିକ୍ରମା କରାଯାଇଥିଲା। ଏହି ଦୃଶ୍ୟ ସହସ୍ରାଧିକ ଭକ୍ତମାନଙ୍କୁ ଆନନ୍ଦିତ ଓ ମୋହିତ କରିଥିଲା।
ପ୍ରତିରାତି ବିଭିନ୍ନ ପଡ଼ାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକମାନେ ଭାଗ ନେଇଥିଲେ
ମଧ୍ୟପଡ଼ାରେ – ଲୋକମହୋତ୍ସବ
ଗାନ୍ଧୀପଡ଼ାରେ – ତପସ୍ବିନୀ ଅପେରା
ମହାବୀରଛକରେ – ଘୁଡୁକା ଲୋକନୃତ୍ୟ
ମାଲପଡ଼ାରେ – ସଂକୀର୍ତନ ଓ କୃଷ୍ଣଗୁରୁଙ୍କ ପ୍ରବଚନ
ସାଧାରଣ ଲୋକରୁ ଆରମ୍ଭ କରି ପ୍ରତିଷ୍ଠିତମାନେ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଭାଗ ନେଇଥିଲେ।
ଶୁକ୍ରବାର ସଂଧ୍ୟାରେ ସମନ୍ୱୟ ପୂଜା କମିଟି ପକ୍ଷରୁ ଆୟୋଜିତ ଜଳନ୍ଧର ଦରବାରକୁ ସ୍ଥାନୀୟ ଜମିଦାର ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟା ଓ ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି ଉଦଘାଟନ କରିଥିଲେ। ଏହାରେ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ଅନନ୍ତ ବ୍ରତ ମହୋତ୍ସବ ମଙ୍ଗଳବାର ଦିନ ଭଷାଣୀ ଶୋଭାଯାତ୍ରା ସହିତ ସମାପନ ହେବ। ପାଞ୍ଚଦିନିଆ ଏହି ଉତ୍ସବରେ ସମଗ୍ର ବିଜେପୁର ଅଞ୍ଚଳରେ ଭକ୍ତି, ସାମୂଦାୟିକତା, ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଉତ୍ସାହର ଏକ ଅବିସ୍ମରଣୀୟ ସମାଗମ ଦେଖାଯାଇଛି l

0
0
0
s2sdefault