ଗଣିଆ ଜ୍ୟାଣ୍ଟସକୁ ହରାଇ ରଣପୁର ରୟାଲ ଚମ୍ପିୟାନ
ଓଡ଼ଗାଁ, ୨୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ପରିସରରେ ନୟାଗଡ଼ ଜିଲ୍ଲା ଆନ୍ତଃ ତହସିଲ ସ୍ତରୀୟ ପ୍ରିମିୟରଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ର ଫାଇନାଲ ମ୍ୟାଚ୍ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ଗଣିଆ ଜ୍ୟାଣ୍ଟସକୁ ହରାଇ ରଣପୁର ରୟାଲ ଚମ୍ପିୟାନ ଟ୍ରଫି ହାସଲ କରିଛି । ଆଜିର ଫାଇନାଲ ମ୍ୟାଚରେ ଗଣିଆ ଜ୍ୟାଣ୍ଟସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୫୭ ରନ ସଂଗ୍ରହ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରତିପକ୍ଷ ରଣପୁର ବ୍ୟାଟିଂ କରିବାକୁ ଯାଇ ପ୍ରଥମେ ବିପର୍ଯ୍ୟୟର ଶିକାର ହୋଇଥିବା ବେଳେ ୮ ଓଭର ବେଳକୁ ୬ ଉଇକେଟ ହରାଇ ଦଳୀୟ ରନ ମାତ୍ର ୧୭ ରେ ସୀମିତ ରହିଥିଲା । ତେବେ ରଣପୁର ଗୋଟିଏ ନୋ ବଲରୁ ଏକକାଳୀନ ୫ ରନ୍ ସଂଗ୍ରହ କରିବା ପରେ ଖେଳର ଗତିପଥ ବଦଳି ଯାଇଥିଲା ।
ଫଳରେ ଗଣିଆ ଜିତୁଜିତୁ ହାରିଯାଇଥିବା ବେଳେ ରଣପୁର ୫୮ ରନ୍ ସଂଗ୍ରହ କରି ହାରୁହାରୁ ମ୍ୟାଚ ଜିତି ଚମ୍ପିୟାନ ଟ୍ରଫି ହାସଲ କରିନେଇଥିଲା । ଆୟୋଜକ ଓଡ଼ଗାଁ ଦଳର କ୍ୟାପଟେନ ତଥା ତହସିଲଦାର ଡ.ମାନସ ରଞ୍ଜନ ଭୋଇ ବିଜୟୀ ଦଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ଦଶପଲ୍ଲା ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଗଣିଆ ଟିମକୁ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ । ଏବଂ ଗଣିଆ ତହସିଲଦାର ପ୍ରିତିବାଳା ରଣା, ରଣପୁର ତହସିଲଦାର ଆର୍ଯ୍ୟ ପ୍ରକାଶ ସର୍ବ ଦମନ ଚମ୍ପିୟାନ ଦଳର ଶୁଭାଶିଷ ନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଏବଂ ରନର୍ସଅପ୍ ଦଳର ସୁଶାନ୍ତ କୁମାର ନାୟକଙ୍କୁ ମ୍ୟାନ ଅଫ୍ ଦି ସିରିଜ ପୁରସ୍କାର ଦେଇଥିଲେ । ରାମେଶ୍ବର ସାହୁ ଏବଂ ଉମାକାନ୍ତ ମହାପାତ୍ର ଖେଳ ପରିଚାଳନା କରିଥିଲେ । ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ତଥା ସ୍ଥାନୀୟ ଅଞ୍ଚଳର ଖେଳ ମଣିଷ ଦିବାକର ନାୟକ ଓଡ଼ଗାଁ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଓଡ଼ଗାଁ ଏନ୍ଏସି କନିଷ୍ଠଯନ୍ତ୍ରୀ ସତ୍ୟନାରାୟଣ ସାହୁ ପ୍ରମୁଖ ଆୟୋଜନରେ ପ୍ରମୁଖ ସହଯୋଗ କରିଥିଲେ । ବିଶେଷ କରି ଯନ୍ତ୍ରୀଙ୍କ ତତ୍ବାବଧାନରେ ପଡିଆ ସଫେଇ କାର୍ଯ୍ୟରେ ସମ୍ପାଦିତ ହୋଇଥିଲା ।