-
ସାଧାରଣ ପ୍ରଶାସନ ବିଭାଗ ପାଇଁ ପ୍ରାବଧାନ ଅର୍ଥରୁ ମାତ୍ର ୨୩. ୦୭ ପ୍ରତିଶତ ଖର୍ଚ୍ଚ
-
ରାଜ୍ୟରେ ମାତ୍ର ପାଞ୍ଚ ପ୍ରତିଶତ ମହିଳାଙ୍କୁ ନ୍ୟାୟ ମିଳୁଛି
-
ପ୍ରଶାସନ ଓ ସରକାରଙ୍କ ଭିତରେ ସାମଞ୍ଜସ୍ୟ ନାହିଁ
ଭୁବନେଶ୍ୱର, ୨୬/୦୩/୨୦୨୫:ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ଆଜି ପ୍ରଦାନ କରା ଯାଇଥିବା ଶ୍ୱେତପତ୍ର ଉପରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଠଗଡ଼ ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କ ମୁଖା ଖୋଲିଛନ୍ତି । ଶ୍ୱେତପତ୍ରରେ ପ୍ରଦାନ କରାଯାଇଥିବା ତଥ୍ୟକୁ ଉଦ୍ଧାର କରି କିପରି ରାଜ୍ୟ ସରକାର ବିଭିନ୍ନ ବିଭାଗରେ ପ୍ରାବଧାନ ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ଓ ରାଜ୍ୟର ଆଇନ ଶୃଙ୍ଖଳା କିପରି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ ।
ଶ୍ରୀ ସ୍ୱାଇଁ କହିଥିଲେ, ଗୃହ ବିଭାଗ ପାଇଁ ପ୍ରାବଧାନ କରା ଯାଇଥିବା ଅର୍ଥରୁ ମାତ୍ର ୬୭. ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ଅର୍ଥାତ ୨, ୧୫୪ କୋଟି ଟଙ୍କା ମଧ୍ୟରୁ ମାତ୍ର ୧,୪୫୩ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଛି । ତେଣୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରେ ଏହା ପ୍ରତିଫଳିତ ହୋଇଛି ।
ଶ୍ରୀ ସ୍ୱାଇଁ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ଅଛି ବୋଲି ଜାଣିବା ପାଇଁ ବିଶେଷ ଅନୁସନ୍ଧାନର ଆବଶ୍ୟକତା ନାହିଁ । ଗାଁ ପରିମଳ ଧୋବା ତୁଠରୁ । ବିଧାନସଭା ଓ ଏହାର ପରିସରରେ ଆଇନ ଶୃଙ୍ଖଳା ସ୍ଥିତି କିପରି ରହିଛି, ତାହା ରାଜ୍ୟବାସୀ ଗତ କିଛି ଦିନ ହେଲା ଦେଖି ଆସୁଛନ୍ତି । ଏହି କିଛି ଦିନ ତଳେ ରାଜ୍ୟରେ ହୋଲି ପାଳନ ସମୟରେ କଟକ ଭୁବନେଶ୍ୱର ସହରରେ ପୋଲିସ ପ୍ଲାଗମାର୍ଚ୍ଚର ଆବଶ୍ୟକତା ପଡିଥିଲା । ରାଜ୍ୟରେ ସେହିଦିନ ଡ଼ଜନେ ମୁଣ୍ଡ ଗଡିଥିଲା । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳୁଛି । ଜୁନ ମାସରେ ବାଲେଶ୍ୱରରେ, ଅଗଷ୍ଟ ମାସରେ ଖୋର୍ଦ୍ଧା ଜିଲ୍ଲାର ମୁକୁନ୍ଦପ୍ରସାଦ ଠାରେ ଓ ସେପ୍ଟେମ୍ୱର ମାସରେ ଭଦ୍ରକ ଓ ଧାମନଗରରେ ସାମ୍ପ୍ରଦାୟିକ ହିଂସା ଦୃଶ୍ୟମାନ ହୋଇଥିଲା । ରାଜ୍ୟରେ ଏପରି ଘଟଣା ବିରଳ ଥିଲା । ବିଜେପି କ୍ଷମତାସୀନ ହେବା ପରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି ।
ଶ୍ରୀ ସ୍ୱାଇଁ କହିଥିଲେ, ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାକୁ ନେଇ ରାଜ୍ୟ ଉଠୁଛି ପଡୁଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗର ତଥ୍ୟ ଅନୁଯାୟୀ ୨୦୨୪ ମସିହାରେ ୩୦୫୪ଟି ଦୁଷ୍କର୍ମ ହୋଇଛି ଯାହା ପୂର୍ବ ବର୍ଷ ତୁଳନାରେ ଢେର ଅଧିକ । ୨୦୨୩ ମସିହାରେ ୨୮୨୬ ଗୋଟି ଦୁଷ୍କର୍ମ ହୋଇଥିଲା । ସେହିପରି, ରାଜ୍ୟ ସରକାରଙ୍କ ଶ୍ୱେତପତ୍ରର ତଥ୍ୟ ଅନୁଯାୟୀ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ପାଇ ଚାଲୁଥିବା ବେଳେ ମାତ୍ର ଚାରିରୁ ପାଞ୍ଚ ପ୍ରତିଶତ କେସରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରା ଯାଉଛି । ତେଣୁ, ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ନାହିଁ ।
ରାଜ୍ୟରେ ପ୍ରଶାସନ ଓ ସରକାରଙ୍କ ଭିତରେ ସାମଞ୍ଜସ୍ୟ ନାହିଁ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । ଏହି ବିଭାଗରେ ଚଳିତ ବର୍ଷ ପାଇଁ ପ୍ରାବଧାନ କରାଯାଇଥିବା ଅର୍ଥରୁ ମାତ୍ର ୨୩. ୦୭ ପ୍ରତିଶତ ୨୫ ମାର୍ଚ୍ଚ ୨୦୨୫ ସୁଦ୍ଧା ଖର୍ଚ୍ଚ କରା ଯାଇ ପାରିଛି । ଏହି ବିଭାଗ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିବା ବେଳେ, ପ୍ରାବଧାନ ହୋଇଥିବା ୨୪୬ କୋଟି ଅର୍ଥରୁ ମାତ୍ର ୫୭ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିବା, ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ହ୍ୱାଇଟ ପେପର ପ୍ରକୃତରେ ରାଜ୍ୟ ପାଇଁ ବ୍ଲାକ ପେପର ହୋଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।