ହେଡଲାଇନସ୍:

ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ଉତ୍ସବ ପାଳିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସଂଗୀତ ନାଟକ ଏକାଡ଼େମୀ , ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ , ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ଉତ୍ସବ ସ୍ଥାନୀୟ ନଗର ଭବନ (ଟାଉନ୍ ହଲ୍) ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ , ଅଧ୍ୟକ୍ଷ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ତଥା ଦୂରଦର୍ଶନ କଣ୍ଠଶିଳ୍ପୀ , ସମ୍ମାନୀତ ଅତିଥି ପଣ୍ଡିତ ରଘୁନାଥ ପାତ୍ର , ସଦସ୍ୟ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ , ସୁଶ୍ରୀ ଅର୍ଜନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ଡ଼.ଚନ୍ଦନ ଗନ୍ତାୟତ ମଞ୍ଚାସୀନ ରହି ସଂଗୀତ ସୁରମଣି ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏକାଧାରାରେ ଜଣେ ସୁଦକ୍ଷ ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ତ‌ଥା ସଂଗୀତ ନିର୍ଦ୍ଦେଶକ ଭାବେ ବେଶ ପରିଚିତ। ୧୦ ଅଗଷ୍ଟ ୧୯୩୨ରେ ଗୁଣପୁର ଠାରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ପିଲାଟି ବେଳ ରୁ ହିଁ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ବିଜୟନଗର ସଂଗୀତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ଯକ୍ଷ ଦ୍ବାରମ୍ ଭେଙ୍କଟସ୍ବାମୀ ନାଇଡୁ , ପଣ୍ଡିତ ନରସିଂହ ଶର୍ମା ଓ ପଣ୍ଡିତ ବିଶ୍ବନାଥ ଦାଶ ଭଳି ମହାନ ଗୁରୁଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ।
ସେ କେବଳ ଓଡିଆ ନୁହେଁ , ତେଲୁଗୁ , ତାମିଲ , କନ୍ନଡ ଭାଷାର ଅନେକ ଚଳଚ୍ଚିତ୍ରରେ ମଧ୍ୟ ସେ କଣ୍ଠ ଦାନ କରି ବେଶ ସୁନାମ ଅର୍ଜନ କରିଛନ୍ତି । ବିଶେଷ କରି ନିଜ ଶୈଳୀରେ ‘ଗୀତ ଗୋବିନ୍ଦ' ଗାୟନ କରି ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଧର୍ମପତ୍ନୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଓଡିଶୀ ନୃତ୍ୟରେ ରଘୁନାଥଙ୍କ ଗାୟନ ଦେଶ ବିଦେଶରେ ସ୍ବତନ୍ତ୍ର ଛାପ ସୃଷ୍ଟି କରିଥିଲା।
ସେ ଗୁଣପୁରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କ ସଂଗୀତ ସାଧନା ପାରଳାଖେମୁଣ୍ଡିର ବିଭିନ୍ନ ସଂଗୀତ ବିଦ୍ବାନଙ୍କ ସଂଗତରେ ହୋଇଥିଲା। ଗୀତିକାର ତଥା ସାଧକ ଗୌରହରି ପରିଚ୍ଛା , ଗାୟକ ଶିରୋମଣି ଆପନ୍ନା ପାଣିଗ୍ରାହୀ (ଅନ୍ଧ ଆପନ୍ନା) , ବିଶିଷ୍ଟ ବୀଣାବାଦକ ତ‌ଥା କଣ୍ଠଶିଳ୍ପୀ ପଣ୍ଡିତ ତୁଳସୀ ଦାଶ , ସୁଦକ୍ଷ ବୀଣାବାଦକ ପଣ୍ଡିତ ଭକ୍ତ ବତ୍ସଳ ପାତ୍ର , ପଣ୍ଡିତ ଅନନ୍ତ ଚରଣ ପାତ୍ର , ବେହେଲା ବାଦକ ଗୁରୁ ଡି.ସୁରିନାରାୟଣା ଏବଂ ଓଡିଶୀ କଣ୍ଠଶିଳ୍ପୀ ନାରାୟଣ ବେହେରା ପ୍ରମୁଖଙ୍କ ସହ ସେ ଦୀର୍ଘ ସମୟ ଧରି ସଂଗୀତ ସାଧନା କରିବାର ସୁଯୋଗ ପାଇଥିଲେ।
ଗୀତ ଗୋବିନ୍ଦ ପାଣିଗ୍ରାହୀ ଭାବେ ପରିଚିତ ପଣ୍ଡିତ ରଘୁନାଥ ପ୍ରଥମ ଓଡିଆ ଗାୟକ ଯିଏ ଫ୍ରାନ୍ସ ସରକାରଙ୍କ ଦ୍ବାରା ୧୯୮୨ ମସିହାରେ ଗ୍ରାଣ୍ଡ ପ୍ରିକ୍ସ ଆୱାର୍ଡ଼ରେ ସମ୍ମାନୀତ ହୋଇଥିଲେ। ଗୀତ ଗୋବିନ୍ଦ ଗାୟନ ପାଇଁ ୧୯୬୮ ମସିହାରେ ସୁରମଣି ସମ୍ମାନ , ୨୦୦୮ ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ଜୟଦେବ ସମ୍ମାନ ଏବଂ ୨୦୧୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ହେଲେ ୨୫ ଅଗଷ୍ଟ ୨୦୧୩ରେ ସୁରମଣିଙ୍କ ସ୍ବର ନିରବୀ ଯାଇଥିଲା , ଯାହା ଓଡିଶୀ ସଂଗୀତ ପାଇଁ ଅପୁରଣୀୟ କ୍ଷତିର ଦିନ ବୋଲି କହିଥିଲେ।
ଏହି ଅବସରରେ ରାଜଶ୍ରୀ ଦଳେଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଞ୍ଚ ଅଭିନେତା ଶ୍ରୀଯୁକ୍ତ ଆଦର୍ଶ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଶ୍ରୀଯୁକ୍ତ ରୂପେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଡ଼.ଚନ୍ଦନ ଗନ୍ତାୟତଙ୍କ ନେତୃତ୍ୱରେ ଆକାଶବାଣୀ ର କଳାକାର ମାନେ ଯଥା - ଆଶୁତୋଷ ମିଶ୍ର , ଅମୃତା ପୁରୋହିତ , ବିରାଜୀନି ଶବର , ସ୍ୱନ୍ଦନା ପଣ୍ଡା , ବିଦୁସ୍ମିତା , ଗୋପାଳକୃଷ୍ଣ ନାହକ ପ୍ରମୁଖ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଗୀତ ଗୁଡିକ ଗାନ କରିଥିଲେ।

0
0
0
s2sdefault