ଭୁବନେଶ୍ୱର: ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନରେ ସଂରକ୍ଷଣ ନିୟମ ଓ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଖୋଲା ଉଲଂଘନ ହୋଇଛି ସଚିବାଳୟର ଗୃହ ବିଭାଗରେ | ନା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇନକୁ ମାନିଲେ, ନା ମୁଖ୍ୟମନ୍ତ୍ରୀ ତା’କୁ ତର୍ଜ୍ଜମା କଲେ । ସଚିବ ଯାହା ସୁପାରିଶ କଲେ, ମୁଖ୍ୟମନ୍ତ୍ରୀ ତା’କୁ ଯଥା ପ୍ରସ୍ତାବିତର ମୋହର ଲଗାଇଲେ ।ଅଭିଯୋଗ ହେଉଛି – ସତେ ଯେପରି ଦେଶର ଆଇନକୁ ସମ୍ମାନ ଦେବାକୁ କାହାରି ସମୟ ନାହିଁ, କେହି ଯତ୍ନବାନ ନୁହନ୍ତି ।
ବିଗତ ୨୦୦୭ ବର୍ଷରୁ ରାଜ୍ୟର ସମସ୍ତ ସେବାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ନିର୍ଦ୍ଧାରିତ “ପଦବୀ ଭିତ୍ତିକ” ନିୟମ ପଦୋନ୍ନତି କ୍ଷେତ୍ରରେ ଲାଗୁହୋଇ ଆସୁଛି । ସେହି ସମାନ ନ୍ଯାୟରେ ସଚିବାଳୟ ସେବାର ବିଭିନ୍ନ କ୍ୟାଡରରେ ଏ ନିୟମ ଲାଗୁହୋଇଛି । ଅର୍ଥାତ ୨୦୦୭ ବର୍ଷ ଓ ତା’ ପରବର୍ତ୍ତୀ ବର୍ଷମାନଙ୍କରେ ସଚିବାଳୟ ସେବାର ଉପବିଭାଗ ଅଧିକାରୀ, ଡେସ୍କ ଅଫିସର ଓ ଅନୁଶାସନ ସଚିବ ପାହ୍ୟାରେ ସାଧାରଣ ବର୍ଗ, ତଫସିଲ ଭୁକ୍ତ ଜନଜାତି ଓ ଜାତି ବର୍ଗର କର୍ମଚାରୀମାନେ ତାଙ୍କର ନିର୍ଦ୍ଧାରିତ ସଂରକ୍ଷଣ ଅନୁପାତରେ ନିଜ ନିଜର ଯୋଗଦାନ ପାଇ ଆସିଛନ୍ତି । କୌଣସିବର୍ଷ ସଂରକ୍ଷିତ ବର୍ଗର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ଖାଲି ପଡି ନାହିଁ । କେବଳ ସେତିକି ନୁହେଁ, ଏ ନିୟମ ଆଧାରରେ ଇତିମଧ୍ୟରେ ଚାରିଥର ଯଥା – ୨୦୧୨, ୨୦୧୫, ୨୦୧୯ ଓ ୨୦୨୪ ବର୍ଷରେ ସଚିବାଳୟ ସେବାର ମୂଳ ପଦବୀ “ସହକାରୀ ଉପବିଭାଗ ଅଧିକାରୀ” ରେ ନିଯୁକ୍ତି ମଧ୍ୟ କରାଯାଉଛି । ଏଠାରେ ପ୍ରକାଶ ଯୋଗ୍ୟଯେ ଏ ସଙ୍କ୍ରାନ୍ତରେ କେବେ କାହାର ଅଭିଯୋଗ ନଥିଲା କି କେହି କେବେ ଏହା ଉପରେ ମାମଲା ଅଦାଲତକୁ ନେଇ ନାହାନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ରାୟ ଓ ତା 06.05.2024 ରିଖର ନିର୍ଦ୍ଦେଶାବଳୀ ଅନୁଯାୟୀ ସଚିବାଳୟ ସେବାରେ ପଦୋନ୍ନତି କ୍ଷେତ୍ରରେ ଆଉ ସଂରକ୍ଷଣ ନିୟମ ଲାଗୁ ହେବ ନାହିଁ ।
ତଫସିଲଭୁକ୍ତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ଗତ ତା ୦୬.୦୫.୨୦୨୪ ରିଖରେ ପ୍ରକାଶିତ ନିର୍ଦ୍ଦେଶାବଳୀ ଯାହା ତା୧୩.୦୬.୨୦୨୪ ରିଖରେ ପ୍ରତ୍ୟାହୃତ ହୋଇଯାଇଥିଲା ଓ ଏ ନୂଆ ମୋହନ ସରକାର ଯାହାକୁ ଗତ ତା ୨୭.୦୨.୨୦୨୫ ରିଖରେ ପୁନଃ ଲାଗୁକଲେ, ତା’କୁ ନେଇ ଏବେ ସାରା ରାଜ୍ୟରେ ସମସ୍ତ ସେବାରେ ପଦୋନ୍ନତି କ୍ଷେତ୍ରରେ ଜଟିଳ ପରିସ୍ଥିତି ଦେଖାଦେଇଛି । ନିର୍ମାଣ ବିଭାଗର ଯନ୍ତ୍ରୀ ସେବା, ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ କର୍ମୀସେବା, ରାଜସ୍ୱ ବିଭାଗର ଆମିନ ସେବା ପରି କେତେକ ସେବାର ପଦୋନ୍ନତି କ୍ଷେତ୍ରରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ରୋକ ଲଗାଇଛନ୍ତି । ଏ ରାୟ ପ୍ରତି ଗୃହ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ ଲିଖିତଭାବେ କରାଯାଇଥିଲେ ହେଁ, ସେ ଏହାକୁ କର୍ଣପାତ ନକରି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଡେସ୍କ ଅଫିସର ମାନଙ୍କୁ ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଦେଲେ । ଏଥିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଇନ, ତା ୦୬.୦୫.୨୦୨୪ ରିଖର ନିର୍ଦ୍ଦେଶାବଳୀକୁ ଅଣଦେଖାକରି ୩୪ ଗୋଟି ଅଣସଂରକ୍ଷିତ ପଦବୀକୁ ସଂରକ୍ଷିତ କର୍ମଚାରୀଙ୍କୁ ପଦୋନ୍ନତି ଦେଇଦେଲେ । ସଚିବ ମହାଶୟ ତୃତୀୟ ମହଲାର ଚାପରେ ଏପରି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି ସଚିବାଳୟରେ ଖୋଲା ଖୋଲି ଆଲୋଚନା ହେଉଛି ।
ଏ ବେଆଇନ କାର୍ଯ୍ୟକୁ ସାଧାରଣ ବର୍ଗର କର୍ମଚାରୀ ରୋକି ପାରିଲେ ନାହିଁ । ଏବେ ଉପବିଭାଗ ଅଧିକାରୀ ଓ ଡେସ୍କ ଅଫିସର ପାହ୍ୟାକୁ ପଦୋନ୍ନତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ କ୍ଷେତ୍ରରେ ମଧ୍ୟ ଆଇନ, ନିର୍ଦ୍ଦେଶାବଳୀର କୌଣସି ତର୍ଜମା ନକରି ସେହି ସମାନ ଚାପରେ ସଂରକ୍ଷଣ ନିୟମ ଲଗାଇ ପଦୋନ୍ନତି ଦେବାକୁ ମସୁଧା ଚାଲିଛି । ବିଭାଗ ଓ ସରକାର ନିଜ ଆଇନ ନିଜେ ମାନୁନାହାନ୍ତି । ପୁଣି ଶହ ଶହ ସଂଖ୍ୟାରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ସଂରକ୍ଷିତ ବର୍ଗଙ୍କ ପାଖକୁ ଚାଲିଯିବ । ଗୋଟିଏ ପକ୍ଷରେ ଅଧିକ ସଂଖ୍ୟକ ସଂରକ୍ଷିତ କର୍ମଚାରୀ ପଦୋନ୍ନତି ପାଉଥିବା ବେଳେ, ଅପରପକ୍ଷରେ ସାଧାରଣ ବର୍ଗଙ୍କ ପଦୋନ୍ନତି କମିବାରେ ଲାଗିଛି । ଏ’ ଏକ ଅସନ୍ତୁଳନ ପରିସ୍ଥିତିକୁ ଜନ୍ମ ଦେଇଛି । ପ୍ରଶ୍ନ ଉଠିଛି – ଏ’ ସରକାରଙ୍କ ହାତରେ ଆଇନ କେତେ ସଂରକ୍ଷିତ ? ଆଇନର ରକ୍ଷକ ଯଦି ଭକ୍ଷକ ସାଜେ, ନ୍ୟାୟର ଗତି କୁଆଡେ ?