-
* ରାଜ୍ୟରେ କ୍ରମାଗତ ଭାବରେ ବଢ଼ୁଥିବା ମହିଳା ହିଂସାକୁ ନେଇ ବ୍ୟାକଫୁଟରେ ବିଜେପି ସରକାର
-
* ଓଡ଼ିଶା ବିଧାନସଭା ପୋଲିସ କବଜାରେ-ବାଚସ୍ପତି ନୁହଁନ୍ତି ପୋଲିସ ସାଜିଛି ବିଧାନସଭାର ନୀତି ନିର୍ଦ୍ଧାରକ
ଭୁବନେଶ୍ୱର, ତା. ୨୬.୦୩ - ନିର୍ବାଚିତ ବିଧାୟକ ମାନଙ୍କୁ ବିଧାନସଭା ପରିସର ଭିତରକୁ ବାଚସ୍ପତିଙ୍କର ବିନା ନିର୍ଦ୍ଦେଶନାମାରେ ଯିବାକୁ ନଦେବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ପୋଲିସ ବିଧାନସଭାର ନୀତି ନିର୍ଦ୍ଧାରିକ ସାଜିଛି ଏବଂ ବାଚସ୍ପତି ସରକାରୀ ଦଳର ହାତବାରିସି ସାଜିଛନ୍ତି । ଗତକାଲି ରାତି ଏବଂ ଆଜିର ଘଟଣାକ୍ରମକୁ ଦେଖିଲେ ଏଭଳି କିଛି ପ୍ରତୀୟମାନ ହେଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ତମାମ ବରିଷ୍ଠ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ସାଂସଦ ଅମର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ସମୀର ରାଉତରାୟ, ଅଖିଳଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରାଙ୍କ ଉପସ୍ଥିତିରେ ପିସିସି ସଭାପତି ରାଜ୍ୟର ବିଜେପି ସରକାରର ମହିଳା ହିଂସାକୁ ନେଇ ଦୋମୁହାଁ ନୀତିକୁ କଠୋର ସମାଲୋଚନା କରିବା ସହିିତ ମୋହନ ସରକାର ସମୟରେ କ୍ରମାଗତ ଭାବରେ ବଢ଼ୁଥିବା ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ପାଶବିକ ଅତ୍ୟାଚାରକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ ।
ପୂର୍ବତନ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରଥମଥର ପାଇଁ ଓଡ଼ିଶା ବିଧାନସଭା ଇତିହାସରେ ବାଚସ୍ପତିଙ୍କର ବିନାନିର୍ଦ୍ଦେଶନାମାରେ ପୋଲିସ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ବିଧାନସଭା ପରିସର ଭିତରକୁ ଯିବାକୁ ଦେଉନାହିଁ । ଗତକାଲି ରାତିରେ ପୂର୍ବତନ ବିଧାୟକ ହିସାବରେ ସେ ବିଧାନସଭା ଭିତରକୁ ଯାଇ କଂଗ୍ରେସର ଧାରଣାରତ ବିଧାୟକ ମାନଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ ଏବଂ ଏହା ଜଣେ ପୂର୍ବତନ ବିଧାୟକ ହିସାବରେ ତାଙ୍କର ଅଧିକାର ପରିସରଭୁକ୍ତ ହୋଇଥିଲେ ମଧ୍ୟ ପୋଲିସ ତାଙ୍କୁ ଯିବାକୁ ଦେଇନଥିଲା । ସେ ବ୍ୟକ୍ତିଗତ ଭାବରେ ବାଚସ୍ପତିଙ୍କ ସହିତ ଫୋନ ଯୋଗେ କଥାହେବା ପାଇଁ ଚାହିଁଥିଲେ ମଧ୍ୟ ବାଚସ୍ପତି ତାଙ୍କ ଫୋନକୁ ଉଠାଇନଥିଲେ କିମ୍ବା କଲକୁ ରିସିଭ କରିନଥିଲେ । ବିଧାନସଭା ପରିସର ଭିତରେ ଧାରଣାରତ ବିଧାୟକ ମାନଙ୍କ ସହିତ ସୁରକ୍ଷାକର୍ମୀମାନେ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସେଥିରେ ଆହତ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ଧାରା-୧୬୩ ବଳବତର ଥିଲାବେଳେ ମଧ୍ୟ ୫ଜଣ ପୂର୍ବତନ ବିଧାୟକ ବିଧାନସଭା ଭିତରକୁ ଯିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନଥିବା ସତ୍ୱେ ପୋଲିସ ବଳପୂର୍ବକ ସେଠାରେ ଉପସ୍ଥିତ ଥିବା ୫ଜଣ ପୂର୍ବତନ ବିଧାୟକ ଏବଂ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଜୋରଜବରଦସ୍ତ ଗାଡ଼ିରେ ଉଠାଇ ନେଇଥିଲା । ବିଜେପି ଗଣତନ୍ତ୍ରର ଗାରିମାକୁ ନଷ୍ଟ କରିବା ସହିତ ଗଣତନ୍ତ୍ରକୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରୁଛି ଯାହାକୁ ପ୍ରଦେଶ କଂଗ୍ରେସ ତରଫରୁ ଜୋରଦାର ବିରୋଧ କରାଯିବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ଯେ ଓଡ଼ିଶା ସମେତ ବିଜେପି ଶାସିତ ଅନେକ ରାଜ୍ୟରେ ମହିଳାକମିସନଙ୍କୁ ସ୍ଥାଣୁ ଅବସ୍ଥାରେ ରଖାଯାଇଛି । ଆଜି ଗୃହବିଭାଗର ରିପୋର୍ଟ ସାର୍ବଜନୀନ ହେଲାପରେ ଜଣାଗଲା ଯେ ପ୍ରତେକଦିନ ଓଡ଼ିଶାରେ ୮ଟି ଦୁଷ୍କର୍ମ ଘଟଣା ଘଟୁଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବରୁ ୭ଟି ଦୁଷ୍କର୍ମ ଘଟଣା ଘଟୁଥିଲା ବେଳେ ବର୍ତମାନ ବିଜେପି ସରକାର କ୍ଷମତାକୁ ଆସିବାପରେ ଏହା କମିବା ପରିବର୍ତେ ଅଧିକା ହୋଇଛି ।
ଓଡ଼ିଶାରେ ମହିଳାଙ୍କ ଉପରେ ବଢ଼ୁଥିବା ପାଶବିକ ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣା ଏକ ସାମାଜିକ ବ୍ୟାଧିଭାବରେ ମାଡ଼ିଚାଲିଥିବା ବେଳେ ଶାସକ ଦଳର ରାଜନୈତିକ ଇଛାଶକ୍ତିର ଅଭାବ ହେତୁ ଏହା ଉପରେ ଲଗାମ ଲାଗିପାରୁ ନାହିଁ ଏବଂ ସେଥିପାଇଁ ଆସନ୍ତା ୨୭ ତାରିଖ ଦିନ ଓଡ଼ିଶା ବିଧାସଭା ଘେରାଉ କାର୍ଯ୍ୟକ୍ରମକୁ ଓଡ଼ିଶାର କୋଣ ଅନୁକୋଣରେ ସମସ୍ତ ଓଡ଼ିଶାବାସୀ ସମର୍ଥନ ଦେବାପାଇଁ ସେ ଅନୁରୋଧ କରିଥିଲେ । ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା କହିଥିଲେ ଯେ ଓଡ଼ିଶାର ବାଚସ୍ପତି ନିଜେ ମହିଳା ହୋଇଥିବା ବେଳେ ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କର ମହିଳା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ବିବୃତି ଏବଂ ଗୃହକମିଟି ଗଠନ ଦାବିକୁ ଆଗ୍ରାହ୍ୟ କରି ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିବା ଗଣତନ୍ତ୍ରକୁ ହତ୍ୟା କରିବା ସହିତ ସମାନ । ଗତକାଲି ରାତିରେ କଂଗ୍ରେସର ୧୨ଜଣ ବିଧାୟକ ବିଧାନସଭା ପରିସର ଭିତରେ ଅଖିଆ ଅପିଆ ଧାରଣ ଦେଇଥିଲେ ମଧ୍ୟ ତାଙ୍କୁ ଦେଖାହେବା ପାଇଁ ପୂର୍ବତନ ବିଧାୟକ ମାନଙ୍କୁ ପୋଲିସ ନଛାଡ଼ିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ । ସେ କହିଥିଲେ ମହିଳାଙ୍କୁ ଅସମ୍ମାନ କରି ପୁରା କୌରବପକ୍ଷ ଯେଭଳି ଧରାବକ୍ଷରୁ ନିଶ୍ଚିହ୍ନ ହୋଇଯାଇଥିଲେ ଓଡ଼ିଶାରେ ମହିଳାଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାର ଯୋଗୁଁ ବିଜେପି ସରକାର ସଂପୂର୍ଣ୍ଣ ଭାବରେ ମୂଳପୋଛ ହୋଇଯିବେ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ବର୍ତମାନ ବିଜେପି ସରକାର ସମୟରେ ଓଡ଼ିଶାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତ୍ୟେକ ଦିନ ହତ୍ୟାକରାଯାଉଛି । ପୂର୍ବରୁ ୧୯୯୫ ମସିହାରେ କଂଗ୍ରେସ ସରକାର ସମୟରେ ମଧ୍ୟ ବିରୋଧି ଦଳ ତରଫରୁ ବିଧାନସଭା ପରିସରରେ ରାତିତମାମ ଧାରଣା ଦିଆଯାଇଥିଲା । କିନ୍ତୁ ସେ ସମୟରେ ବାଚସ୍ପତି ମହୋଦୟ କୌଣସି ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିନଥିଲେ । ଏଭଳି ଅନେକ ଉଦାହରଣ ଆମ ସଂସଦୀୟ ଗଣତନ୍ତ୍ରରେ ଅଛି । ଏହା ପୂର୍ବରୁ ୨୦୧୨ ମସିହାରେ ମଧ୍ୟ ଯେତେବେଳେ ସରକାରୀ ଦଳ ହଠାତ ବିଧାନସଭାକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ ଆମ ଦଳ ତରଫରୁ ଆମେ ଏକ ପ୍ରତିକାତ୍ମକ ବିଧାନସଭା ଡାକିଥିଲୁ ଏବଂ ଏକଥା ସେ ସମୟରେ ତମାମ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା ।