ବୁର୍ଲା, ୧୨.୦୩.୨୦୨୫: ସମ୍ବଲପୁର ସହରର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ନିର୍ଭରଯୋଗ୍ୟ କରିବା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଗଣେଷନଗର ସ୍ଥିତ ଓପିଟିସିଏଲ୍ ଗ୍ରୀଡ ସବଷ୍ଟେସନ୍ ଠାରୁ ଅଇଁଠାପାଲି ସ୍ଥିତ ପାୱାର ସବ-ଷ୍ଟେସନ୍ ପର୍ଯ୍ୟନ୍ତ ଏକ ବିକଳ୍ପ ନୂତନ 33 କେ.ଭି ଭୂତଳ ବିଦ୍ୟୁତ୍ ଲାଇନ୍ ବିଛାଯାଇଅଛି । ଏହାକୁ ଗତ ତା. 11 ମାର୍ଚ୍ଚ 2025 ରିଖ ଦିନ ଚାର୍ଚ୍ଚ କରାଯାଇ କାର୍ଯ୍ୟକ୍ଷମ କରାଯାଇଅଛି ।
ଏହି ବିକଳ୍ପ ନୂତନ 33 କେ.ଭି ଭୂତଳ କେବୁଲ ଲାଇନ୍ ଦ୍ୱାରା ସମ୍ବଲପୁର ସହରରଅଇଁଠାପାଲି, ବୁଢାରାଜା, ଫାଟକ୍, ମୁଦିପଡ଼ା, ଚେରୁଆପଡ଼ା, ଏସ୍ଆରଆଇଟି କଲୋନୀ, ଜଗନ୍ନାଥ କଲୋନୀ, ଫାର୍ମରୋଡ଼, ରେଲୱେ ଷ୍ଟେସନ ଅଞ୍ଚଳ, ଅନୁଗୁଳିଆପଡ଼ା ଓ ଝାରସୁଗୁଡ଼ା ରୋଡ, ରେମଡ୍ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳର ପାଖାପଖି 30 ହଜାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଓ ଅବ୍ୟାହତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇପାରିବ । ଏହା ସହିତ ସମ୍ବଲପୁର ସହରର ବିଭିନ୍ନ ସରକାରୀ ତଥା ବେସରକାରୀ କୋଠା, ସ୍କୁଲ୍, କଲେଜ, ସରକାରୀ କାର୍ଯ୍ୟାଳୟ, ପୋଲିସ ଷ୍ଟେସନ୍, ହୋଟେଲ୍ ଆଦି ସ୍ଥାନକୁ ମଧ୍ୟ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇପାରିବ ।
ଏଠାରେ କହିରଖୁ କି, ଅଇଁଠାପାଲି ସ୍ଥିତ ପାୱାର ସବ-ଷ୍ଟେସନକୁ ଗଣେଷନଗର ସ୍ଥିତ ଓପିଟିସିଏଲ୍ ଗ୍ରୀଡରୁ ଓଭରହେଡ୍ 33 କେ.ଭି ଫିଡର୍ ଲାଇନ୍ ଦ୍ୱାରା ବିଦ୍ୟୁତ୍ ଯୋଗାଣ କରାଯାଇଥାଏ । ମାତ୍ର ପିକ୍ ଲୋଡ ସମୟରେ ବିଦ୍ୟମାନ ଓଭରହେଡ୍ 33 କେଭି ଫିଡର୍ ଲାଇନଟି ଓଭରଲୋଡ୍ ହୋଇଯାଏ । ଯାହା ଫଳରେ ବିଦ୍ୟୁତ୍ ଯୋଗାଣ ଅନେକ ସମୟ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥାଏ । ତେଣୁ, ଏହି ବିକଳ୍ପ ଭୂତଳ କେବୁଲ ଲାଇନଟି ବିଦ୍ୟୁତ୍ ଭାରକୁ ଦୁଇଟି ଭିନ୍ନ ଭିନ୍ନ ଭାଗରେ ବଣ୍ଟନ କରିବ ଏବଂ ଏହା ନିଶ୍ଚିତ ଭାବେ ସମସ୍ତ ବିତରଣ ଟ୍ରାନ୍ସଫର୍ମର ଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରି ଓଭରଲୋଡ ଟ୍ରିପିଙ୍ଗକୁ ହ୍ରାସ କରିବ।
ଆଗାମୀ ଦିନମାନଙ୍କରେ ଟିପିଡବ୍ଲ୍ୟୁଓଡିଏଲ୍ ଏହାର ସମସ୍ତ ଫିଡର ଲାଇନ୍ ଗୁଡ଼ିକୁ ଭୂତଳ କରିବା ପାଇଁ ନିଷ୍ପତ୍ତି ନେଇଛି । ଯାହା ଦ୍ୱାରା ଫିଡର୍ ଲାଇନର ସ୍ଥିରତା ବୃଦ୍ଧି ପାଇବ ଏବଂ କାଳବୈଶାଖୀ ତଥା ବାତ୍ୟା ଭଳି ପରିସ୍ଥିତିରେ କ୍ଷୟକ୍ଷତିର ସମ୍ଭାବନା କମ୍ ହୋଇଯିବ । ଫଳରେ ଗ୍ରୀଡରୁ ପାୱାର ସବ୍-ଷ୍ଟେସନ୍ ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଣ ହୋଇପାରିବ ବୋଲି ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି । ଏହି ନୂତନ ବିକଳ୍ପ 33 କେ.ଭି. ଭୂତଳ କେବୁଲ ଲାଇନର ଦୂରତା 3 କିଲୋମିଟର ରହିଥିବା ବେଳେ କମ୍ପାନୀ ପକ୍ଷରୁ ଏହାର ନିର୍ମାଣ ପାଇଁ ପ୍ରାୟ 15 କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି ।
ଉଲ୍ଲେଖଯୋଗ୍ୟ ଯେ, ଯେହେତୁ ଗଣେଷନଗର ଗ୍ରୀଡ ସବଷ୍ଟେସନ୍ ଠାରୁ ଅଇଁଠାପାଲି ପାୱାର ସବ-ଷ୍ଟେସନ୍ ମଧ୍ୟରେ ଏହି 33 କେ.ଭି. ଭୂତଳ କେବୁଲ ଲାଇନ୍ ଚାର୍ଜ ହୋଇଯାଇଛି । ତେଣୁ ଏହି ଭୂତଳ ଲାଇନ୍ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ହୋଇଥିବାରୁ ବିନା ଅନୁମତିରେ ସେହି ମାର୍ଗରେ କୌଣସି ପ୍ରକାରର ଖନନ କାର୍ଯ୍ୟ ନକରିବାକୁ ଜନସାଧାରଣ ଏବଂ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି । କାରଣ ଖନନ କାର୍ଯ୍ୟ ଦ୍ୱାରା କୌଣସି ପ୍ରକାରର ଦୁର୍ଘଟଣା ଘଟିପାରେ ।