ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡ ଗ୍ରାମର ଭଞ୍ଜ ମଣ୍ଡପ ଠାରେ ଦୁଇ ଦିନ ଧରି ଚାଲିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ଆଜି ଗୁରୁବାର ଉଦ୍ଯାପିତ ହୋଇଯାଇଛି।
ଆଜିର ଉଦଯାପନୀ ଉତ୍ସବରେ ଭଞ୍ଜନଗର ବିଧାୟକ ଶ୍ରୀମାନ୍ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଛନ୍ତି, ଘୁମୁସର ଇତିହାସର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ସମଗ୍ର ଦେଶରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କବିତାର ପ୍ରଚାର ପ୍ରସାର କରାଯିବ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବୀର ବିପ୍ଲବୀ ଚକାରା ବିଶୋଇଙ୍କ ଇତିହାସର ପ୍ରଚାର କରାଯିବ। ଚକରା ବିଷୋୟୀ ବ୍ରିଟିଶ୍ ମାନକୁ ଘୁମୁସର ମାଟିରେ ପୂରେଇ ନଦେବା ପାଇଁ ଜୋରଦାର୍ ଲଢ଼େଇ କରିଥିଲେ। ଯେଉଁଥିପାଇଁ ବ୍ରିଟିଶ ଶାସକ ଭୟଭୀତ ହୋଇପଡ଼ିଥିଲେ। ଚକରା ଘାଟିରେ ରହି ବ୍ରିଟିଶ୍ ଶାସକ ବିରୋଧରେ ଚକରା ଲଢ଼େଇ କରୁଥିଲେ। ଏହିଭଳି ଘାଟିକୁ ଆଜି ବଶ୍ୱ ଦରବାରରେ ପରିଚିତ କରାଯିବ।
ଏଥିପାଇଁ ରାଜ୍ୟ ସରକାର ୧୨ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଏଥିସହ ଅନ୍ୟ ଏକ ଘାଟି ଘାଟିଶୁଳା ର ମଧ୍ୟ ବିକାଶ କରାଯିବ। ଏଥିପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଭଞ୍ଜନଗରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏକ ମ୍ୟୁଜିୟମ ହେବ । ଏଥିପାଇଁ ୫ କୋଟି ଟଙ୍କା ବ୍ୟୟ ହେବ। ରାଜ୍ୟର ସମସ୍ତ ଲେଖକଙ୍କ ପୁସ୍ତକ ଏହି ମ୍ୟୁଜିୟମ୍ ବା ସଂଗ୍ରହାଳୟରେ ସ୍ଥାନିତ କରାଯିବ ବୋଲି ବିଧାୟକ ନାୟକ କହିଛନ୍ତି।
ବିଧାୟକ ଆହୁରି କହିଛନ୍ତି, ଓଡିଆ ଅସ୍ମିତାକୁ ନେଇ ଭାଜପା କ୍ଷମତା ହରାଇବ ବୋଲି କିଛି ବ୍ୟକ୍ତି କହୁଛନ୍ତି। କିନ୍ତୁ ଓଡ଼ିଆ ଅସ୍ମିତାକୁ ନେଇ ହିଁ ଭାଜପା ଓଡ଼ିଶାରେ ୫୦ ବର୍ଷ ଶାସନ କରିବ ବୋଲି ବିଧାୟକ ନାୟକ ସଭାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ବତନ କୁଳପତି ତଥା ବିଶିଷ୍ଟ ସଂସ୍କୃତ ପଣ୍ଡିତ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର ତଥା ଓଡ଼ିଶା ପୂର୍ବ ପ୍ରାନ୍ତ ବିଶ୍ବହିନ୍ଦୁ ପରିଷଦ ର ସଭାପତି ଆଜିର ଏହି ଉପେନ୍ଦ୍ର ଭଞ୍ଜ ଙ୍କ ଜୟନ୍ତୀ ସଭାରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାରପ୍ରାପ୍ତ ଶିଶୁ ସାହିତି୍ୟକ ଡ. ଦାସ ବେନୁହୁର , ଭଞ୍ଜ ଗବେଷକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ,ନିରଞ୍ଜନ ପଣ୍ଡା ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଡ ଶାନ୍ତନୁ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ।
କୁଲାଡ ଭଞ୍ଜ ମଣ୍ଡପରେ ଆଜକୁ ୩୫ ବର୍ଷ ହେବ ଭଞ୍ଜ ଜୟନ୍ତୀ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରୀ ଛାତ୍ର ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅଞ୍ଚଳର ବିଭିନ୍ନ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ପାଲା, ଓଡ଼ିଶୀ ନୃତ୍ୟ, ଦାସ କାଠିଆ ନୃତ୍ୟ ପରିବେଷଣ ହୋଇଥିଲା। ବାର୍ଡ ସମ୍ପାଦକ ପ୍ରକାଶ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ସଂସ୍କାର ଭାରତୀ ଓଡିଶା, ପୁର୍ବ ପ୍ରାନ୍ତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକତା ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।