ହେଡଲାଇନସ୍:

ଅବୈଧ ବିଲଡିଂ ନିର୍ମାଣ ରୋକିବା ପାଇଁ ଆରଏମସିର ବଡ଼ ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପ୍ରଥମେ ବିଲଡିଂ ପ୍ଲାନ୍ ଅନୁମୋଦନ ତା'ପରେ ଅକୁପେନ୍ସି ସାର୍ଟିଫିକେଟ ହାସଲ

  • ବିନା ଅକୁପେନ୍ସି ସାର୍ଟିଫିକେଟରେ ପାଇପାରିବେ ନାହିଁ ବିଜୁଳି ଓ ପାନୀୟ ଜଳ ଯୋଗାଣ ସେବା

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ମହାନଗର ନିଗମ ଅଞ୍ଚଳରେ ହେଉଥିବା ଅବୈଧ ବିଲଡିଂ ନିର୍ମାଣକୁ ରୋକିବା ତଥା ଆଗାମୀ ଦିନରେ ରାଉରକେଲା ସହରକୁ ଏକ ପ୍ଲାନିଂ ସିଟି ରୂପେ ଗଢ଼ି ତୋଳିବା ପାଇଁ ଆରଏମସି ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି କ୍ରମେ ନୂତନ ଭାବେ ନିର୍ମାଣ କରାଯାଉଥିବା କୌଣସି ଆବାସିକ କୋଠା କିମ୍ବା ବ୍ୟବସାୟିକ କୋଠାବାଡ଼ି ନିର୍ମାଣ ନିମନ୍ତେ ଅକୁପେନ୍ସି ସାର୍ଟିଫିକେଟ ହାସଲ କରିବା ଅନିବାର୍ଯ୍ୟ ରହିଛି। ପୁରୁଣା ବିଲଡିଂ ଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି। ଗୁରୁବାର ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଏହି ସୂଚନା ଦେବା ସହ ନିୟମକୁ ଫଳପ୍ରଦ କରିବା ପାଇଁ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି।

ଚଳିତ ଫେବୃଆରୀ ପହିଲାରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଏହି ନିୟମ ଲାଗୁ କରାଯାଇଛି। ନିୟମ ଅନୁସାରେ ନୂତନ ଭାବେ ନିର୍ମାଣ କରାଯାଉଥିବା ସମସ୍ତ ଆବାସିକ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପ୍ରଥମେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଥିବା ପ୍ଲାନିଂ ବିଭାଗରୁ ବିଲ୍ଡିଂ ପ୍ଲାନ ଅନୁମୋଦନ କରିବେ। ଅନୁମୋଦିତ ପ୍ଲାନ୍ ଅନୁସାରେ ବିଲ୍ଡିଂ ନିର୍ମାଣ ଶେଷ ପରେ ସେହି ପ୍ଲାନିଂ ବିଭାଗରୁ ହିଁ ଅକୁପେନ୍ସି ସାର୍ଟିଫିକେଟ ହାସଲ କରି ପାରିବେ ବୋଲି ଆରଏମସି କମିଶନର ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଥିଲେ।

ହାସଲ କରିଥିବା ଅକୁପେନ୍ସି ସାର୍ଟିଫିକେଟ ଦେଖାଇବା ପରେ ହିଁ ସମ୍ପୃକ୍ତ ବିଲ୍ଡିଂକୁ ଟିପିଡବ୍ଲୁଓଡିଏଲ ତରଫରୁ ବିଦ୍ୟୁତ ସେବା ଓ ୱାଟକୋ ତରଫରୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିସହ ଅକୁପେନ୍ସି ସାର୍ଟିଫିକେଟ ବିନା କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ରାଉରକେଲା ମହାନଗର ନିଗମ ତରଫରୁ ପ୍ରଦାନ କରାଯାଉଥିବା ବାଣିଜ୍ୟ ଲାଇସେନ୍ସ ଓ ଖାଦ୍ୟ ନିରାପତ୍ତା ଲାଇସେନ୍ସ ମଧ୍ୟ ପାଇ ପାରିବେ ନାହିଁ ବୋଲି ଶ୍ରୀ କୁଲକର୍ଣ୍ଣି କହିଥିଲେ। ଏଥିସହ ପୁରୁଣା ବିଲଡିଂ ଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯିବା ସହ ବିଲଡିଂ ପ୍ଲାନ୍ ଅନୁମୋଦନ କରି ଅକୁପେନ୍ସି ସାର୍ଟିଫିକେଟ ହାସଲ କରିବା ପାଇଁ ଆରଏମସି କମିଶନର ସୂଚନା ଦେଇଥିଲେ।

ଆରଏମସି କମିଶନର ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି ଯେ, ଯେଉଁମାନେ ନୂତନ ଭାବେ ବିଲଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି ସେମାନେ ଆରଏମସି କାର୍ଯ୍ୟାଳୟକୁ ଆସି ବିଲଡିଂ ପ୍ଲାନ୍ ଅନୁମୋଦନ କରିନିଅନ୍ତୁ। ଅନୁମୋଦିତ ପ୍ଲାନ୍ ଅନୁସାରେ ବିଲଡିଂ ନିର୍ମାଣ କରନ୍ତୁ। ଅନୁମୋଦିତ ପ୍ଲାନକୁ ଉଲ୍ଲଂଘନ କରି ବିଲଡିଂ ନିର୍ମାଣ କଲେ ସମ୍ପୃକ୍ତ ବିଲଡିଂକୁ ପାନୀୟ ଜଳ ଓ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବା ସହ କୌଣସି ସର୍ବକ୍ଷମା ଦିଆଯିବ ନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ, କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଯୋଗୁଁ ସହରାଞ୍ଚଳ ଗୁଡ଼ିକରେ ବୃଦ୍ଧି ପାଉଥିବା ଅବୈଧ ନିର୍ମାଣ ଗୁଡ଼ିକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୦୨୦ ମସିହାରେ ଏକ ନୂତନ ପ୍ଳାନିଂ ନିୟମ କାର୍ଯ୍ୟକାରୀ କରାଯାଇଥିଲା। ଏହି ନିୟମାନୁସାରେ ପୌରାଞ୍ଚଳରେ ଯେଉଁ ବିଲଡିଂ ଗୁଡ଼ିକ ପ୍ଲାନିଂ ଅନୁମୋଦନ କରି ଅକୁପେନ୍ସି ସାର୍ଟିଫିକେଟ ହାସଲ କରି ନଥିବେ ସେଗୁଡ଼ିକୁ ପାନୀୟ ଜଳ ସହ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ। ଏଥିସହ ମାନ୍ୟବର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ବେଆଇନ୍ ଭାବେ ନିର୍ମାଣ କରାଯାଉଥିବା ସମସ୍ତ ଆବାସିକ କୋଠାବାଡ଼ି ଠାରୁ ଆରମ୍ଭ କରି ବ୍ୟବସାୟିକ କୋଠାବାଡ଼ି ଗୁଡ଼ିକୁ ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ସେବା ବନ୍ଦ ପାଇଁ ରାୟ ଶୁଣାଇ ଥିଲେ।

0
0
0
s2sdefault