ହେଡଲାଇନସ୍:

ବଢିଛି ଦାଦନ, ମରୁଛନ୍ତି ଶ୍ରମିକ : ପଳାୟନ ରୋକିବାରେ ବିଫଳ ବ୍ଲକ ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସେପଟେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବଢିଛି ମନରେଗା ଗାଡିର ଅପବ୍ୟବହାର

ବରଗଡ଼ ; ଓଡିଶା ରେ ରହିଥିବା 20 ଗୋଟି ଦାଦନ ପ୍ରବଣ ବ୍ଲକ ଭିତରୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଗୋଟିଏ । ପ୍ରତ୍ୟେକ ବର୍ଷ ଏହି ବ୍ଲକ ରୁ ବହୁ ସଂଖ୍ୟାରେ ଶ୍ରମିକ ଶ୍ରେଣୀର ଲୋକ ସାମାନ୍ୟ କିଛି ରୋଜଗାର କରିବା ପାଇଁ ପଡୋଶୀ ଛତିଶଗଡ଼ , ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ ଉତ୍ତରପ୍ରଦେଶ ଆଦି ରାଜ୍ୟ କୁ ମୁଖ୍ୟତଃ ଇଟା ଗଢ଼ିବା ପାଇଁ ଯାଇଥାନ୍ତି। ନୂଆଖାଇ ପର୍ବ ପରେ ହଜାର ହଜାର ସଂଖ୍ୟା ରେ ଲୋକଙ୍କ ପଳାୟନ ର ମୁଖ୍ୟ କାରଣ ହେଲା ସ୍ଥାନୀୟ ଅଂଚଳ ରେ କାମ ନ ମିଳିବା ବା ରୋଜଗାର ର ଅଭାବ। ଶ୍ରମିକ ଶ୍ରେଣୀର ଲୋକ ମାନଙ୍କୁ ଆତ୍ମସମ୍ମାନର ସହିତ ରୋଜଗାର ପ୍ରଦାନ କରି ପଳାୟନକୁ ରୋକିବା ପାଇଁ ମନରେଗା ଆଇନ ମାଧ୍ୟମରେ ଶ୍ରମିକ ମାନଙ୍କର ଗ୍ରାମ ପାଖରେ କାମ ଯୋଗାଇ ଦେବା ପାଇଁ ସରକାରଙ୍କ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ। ଏଥିରେ କୋଣସି ଦ୍ବିମତ ନାହିଁ | ଯେଉଁ ଗ୍ରାମ ମାନଙ୍କରେ ମନରେଗା କାମ କରାଯାଇଛି ଓ ଏହାର ସଠିକ ତଦାରଖ ହେଉଛି ସେହି ଗ୍ରାମମାଙ୍କରୁ ପଳାୟନ ଅନେକ ମାତ୍ରାରେ କମିଯାଇଛି। ସ୍ଵାଭାବିକ କଥା ଯେ ଲୋକେ ଯଦି ନିଜ ଗ୍ରାମ ପାଖରେ ରୋଜଗାର ପାଇବେ ତେବେ ବାହାର ରାଜ୍ୟ କୁ ଯିବାର କୌଣସି ଆଵଶ୍ୟକତା ନାହିଁ। ସରକାରଙ୍କ ତରଫରୁ ଲୋକଙ୍କୁ ମନରେଗା କାମ ଯୋଗାଇ ଦେବା ପାଇଁ ଓ ମନରେଗା କାର୍ଯ୍ୟ ରେ ତଦାରଖ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି | ଅନେକ ବ୍ଲକରେ ମନରେଗାର ସଫଳ ଆନ୍ତରିକତାପୂର୍ଣ୍ଣ ରୂପାୟନ ହେଉଥିବା ବେଳେ କେତେକ ବ୍ଲକରେ ବିଡ଼ିଓ ତଥା ବ୍ଲକ ପ୍ରଶାସନର ଆନ୍ତରିକତାଶୁନ୍ୟ ମନୋଭାବ ବା ଉଦାସୀନତା ବ୍ଲକ୍ରେ ବାସ କରୁଥିବା ଦିନ ମଜୁରିଆ ଶ୍ରମିକ ଭାଇଭଉଣୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି | ଶ୍ରମିକମାନଙ୍କ ଦୁର୍ଦଶା ଦୂର କରି କର୍ମସଂସ୍ଥାନ ଯୋଗାଇବା ପାଇଁ କାର୍ଯ୍ୟକାରୀ ହେଉଥିବା ମନରେଗା କିଛି ଅଧିକାରୀଙ୍କ ପାଇଁ ବିଳାସର ମାଧ୍ୟମ ପାଲଟିଯାଇଛି | ଯାହାର କାରଣ ସ୍ୱରୂପ ଲୋକମାନେ କାମ ଅଭାବରୁ ବାଧ୍ୟ ହୋଇ ଭିଟାମାଟି ଛାଡ଼ୁଛନ୍ତି | ସେମିତି ଉଦାସୀନତାର କରୂଣ ଚିତ୍ର ଦେଖିବାକୁ ମିଳୁଛି ଅଧିକାରୀ ମାନଙ୍କର ଅପାରଗତା ଅକ୍ଷମତା ଓ ଆନ୍ତରିକତାର ଅଭାବ କାରଣରୁ | ସମସ୍ତ ପ୍ରକାର ସରକାରୀ ସୁବିଧାର ଆନନ୍ଦ ନେଉଥିବା ସତ୍ତ୍ୱେ ପାଇକମାଲ ବ୍ଲକରୁ ଶ୍ରମିକ ମାନଙ୍କ ପଳାୟନକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ, ଓଡିଶାରେ ରହିଥିବା କୋଡିଏ ଗୋଟି ଦାଦନ ପ୍ରବଣ ବ୍ଲକ ମଧ୍ୟରୁ ଚାରିଗୋଟି ବ୍ଲକ ରହିଛି । ଏହି ଚାରିଗୋଟି ବ୍ଲକ ମଧ୍ୟରୁ ପାଇକମାଲ ଓ ପଦ୍ମପୁର ବ୍ଲକ ରେ ମନରେଗା କାର୍ଯ୍ୟ ତଦାରଖ ପାଇ ମନରେଗା ପାଣ୍ଠିରୁ ସ୍ୱତନ୍ତ୍ର ଭାବରେ ଗାଡିର ବ୍ୟବସ୍ଥା କରାଯାଇଛି। ପଦ୍ମପୁର ବ୍ଲକରେ ମନରେଗା ଗାଡି ମନରେଗା କାର୍ଯ୍ୟରେ ସମ୍ପୂର୍ଣ ଭାବରେ ନିୟୋଜିତ ଥିବାବେଳେ ପାଇକମାଲ ବ୍ଲକରେ ଥିବା ଅତ୍ୟାଧୁନିକ ମୋସ୍କୁଲାର ଗାଡି ର ବ୍ୟବହାର ମନରେଗା କାର୍ଯ୍ୟ ବ୍ୟତିତ ପାଇକମାଲ ବିଡ଼ିଓ ପ୍ରଫୁଲ କୁମାର ଅଦୁ ଅନ୍ୟ ସବୁ କାର୍ଯ୍ୟରେ ବ୍ୟବହାର କରିଛନ୍ତି । ବିଡିଓ ଅଦୁ ମନରେଗା ଗାଡିର ହୋଇଥିବା ସମସ୍ତ ମନରେଗା ଆଇନ ର ଖୋଲା ଅବମାନନା କରି ଏହି ଗାଡି କୁ ନିଜ ବ୍ୟକ୍ତିଗତ ଗାଡି ଭାବରେ ବ୍ୟବହାର କରି ଆସୁଛନ୍ତି । ଅନ୍ୟ ପଟେ ମନରେଗା କାର୍ଯ୍ୟର ସଠିକ ତଦାରଖ ନ ହେବା ଦାଦନ ସମସ୍ୟା ପ୍ରତି ସଚେତନତା ର ଅଭାଵ କାରଣ ରୁ ଚଳିତ ବର୍ଷ ଏହି ବ୍ଲକ ରୁ ଦାଦନ ଙ୍କର ସଂଖ୍ୟା ପ୍ରଚୁର ମାତ୍ର ରେ ବୃଦ୍ଧି ପାଇବା ମନରେଗା ବ୍ଲକ ନୋଡାଲ ଅଫିସର ଦାୟିତ୍ୱରେ ଥିବା ବିଡ଼ିଓଙ୍କର କାର୍ଯ ଦକ୍ଷତା ଓ ଆନ୍ତରିକତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିବା ସହିତ ସମସ୍ତ ପ୍ରକାର ର ପ୍ରଚୁର ସୁବିଧା ସୁଯୋଗ ସତ୍ତ୍ୱେ ତାଙ୍କର ଅବହେଳା କୁ ସ୍ପଷ୍ଟ କରୁଛି ।
ଗତ ଦୁଇଦିନ ତଳେ ପାଇକମାଲ ଅଂଚଳ ର ଜଣେ ଦାଦନ ଶ୍ରମିକଙ୍କ ଶବ , ପାଇକମାଲ ମୁଖ୍ୟ ଛକ ରେ ରଖି ତାଙ୍କର ପରିବାର ବର୍ଗଙ୍କର ଦ୍ଵାରା ରାସ୍ତା ଅବରୋଧ କରାଯିବା ନିହାତି ଭାବରେ ଏକ ଅଭାବନୀୟ ଘଟଣା । ଅବଶ୍ୟ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପ୍ରଧାନ ଙ୍କ ଉପସ୍ଥିତ ବୁଦ୍ଧିବଳରେ ଏକ ଅପ୍ରୀତିକର ପରିସ୍ଥିତି କୁ ଏଡାଯାଇ ପାରିଥିଲା ହେଲେ। । ପାଇକମାଲ ବ୍ଲକ ରେ ବିଡ଼ିଓ ଙ୍କର ଦ୍ୱାରା ମନରେଗା ଗାଡିଏ ଅପବ୍ୟବହାର କୁ ନେଇ ଜିଲ୍ଲାପାଳ ନିକଟରେ ତଥ୍ୟ ଓ ବିବରଣୀ ସହିତ ଅଭିଯୋଗ ହେବା ସତ୍ତ୍ୱେ , ବି ଡି ଓ ଙ୍କ ଦ୍ୱାରା ଏହି ଗାଡି ର ଅପବ୍ୟବହାର ଥମୁ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଦାଦନ ପ୍ରବଣ ପାଇକମାଲ ବ୍ଲକ ରେ ମନରେଗା କାର୍ଯ୍ୟ ତଦାରଖ ପାଇଁ ଗାଡି ର ଆବଶ୍ୟକତା ଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ ଙ୍କୁ ମନରେଗା ପାଣ୍ଠି ରୁ ଗାଡି ନିୟୋଜିତ ଜରିବା ପାଇଁ ଅନୁମତି ଆଣିଥିଲେ । ହେଲେ ପରବର୍ତ୍ତୀ ସମୟରେ ମନରେଗା ପାଣ୍ଠି ରୁ ପଇସା ଖର୍ଚ୍ଚକରି ମନରେଗା କାର୍ଯ୍ୟ ତଦାରଖ ବ୍ୟତୀତ ଅନ୍ୟ ସବୁ କାମ ଗାଡି ରେ କରୁଛନ୍ତି।
ଇତି ମଧ୍ୟରେ ପାଇକମାଲ ଅଞ୍ଚଳରେ ବଢୁଥିବା ଦାଦନ ସମସ୍ୟା , ମନରେଗା କାର୍ଯ୍ୟ ର ଅଭାଵ ପ୍ରତି ପାଇକମାଲ ବି ଡି ଓ ସମ୍ପୂର୍ଣ୍ଣ ଭାବରେ ଉଦାସୀନ ଥିବା ଚର୍ଚ୍ଚା ହେଉଛି | ଏହା ପୂର୍ବରୁ ପ୍ରଫୁଲ କୁମାର ଅଦୁ କେସିଙ୍ଗା ବ୍ଲକ ର ବିଡ଼ିଓ ଭାବରେ କାର୍ଯ୍ୟ କରିଥିବା ସମୟରେ ମନରେଗା କାର୍ଯ୍ୟ ରେ ହୋଇଥିବା ବ୍ୟାପକ ଦୁର୍ନୀତି ର ଅଭିଯୋଗ ହେବାପରେ କଳାହାଣ୍ଡି ଜିଲ୍ଲାପାଳ ଙ୍କର ଅଦାଲତ , ପ୍ରଫୁଲ କୁମାର ଅଦୁ ଙ୍କ ଠାରୁ ୩.୧୭ ଲକ୍ଷ ଟଙ୍କାର ଅସୁଲି ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ବରଗଡ଼ ଜିଲ୍ଲାପାଳ ଙ୍କୁ ଏହି ବିଷୟରେ ମଧ୍ୟ ଗଣମାଧ୍ୟମ ରେ ପ୍ରକାଶିତ ଖବରର ପ୍ରିଣ୍ଟ ସହିତ ଅବଗତ କରାଯାଇଛି ହେଲେ ଦୁର୍ଭାଗ୍ୟ ର ବିଷୟ ଯେ ଉକ୍ତ ମନରେଗା ଗାଡ଼ି ରେ ଜିଲ୍ଲା ପ୍ରଶାସନ ଦ୍ୱାରା କେଵଳ ଜି ପି ଏସ ଲଗାଯିବା ଛଡ଼ା ଅନ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୃହତ ସ୍ଵାର୍ଥ ଦୃଷ୍ଟି ରୁ ଜ଼ୀଲ୍ଲାପାଳ ଏହା ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

0
0
0
s2sdefault