ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଓ କଳା ଉତ୍ସବ - ୨୦୨୪ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁଙ୍କ ସଭାପତିତ୍ବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଆମ କଳା , ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯେଉଁ ଲୁକ୍କାୟିତ ପ୍ରତିଭା ରହିଛି , ସେହି ପ୍ରତିଭାକୁ ଅନ୍ୱେଷଣ କରିବା ଏବଂ ଲୋକ ଲୋଚନରେ ଦେଖାଇବା ଏଭଳି ସୁରଭି କାର୍ଯ୍ୟକ୍ରମ ତାର ଏକ ମାଧ୍ୟମ। ତେଣୁ ଏଭଳି ସୁଯୋଗକୁ ହାତଛଡ଼ା ନ କରି ପ୍ରତିଯୋଗିତାରେ ଭାଗନେଇ ଭଲ କରି ଜିଲ୍ଲାର ଗୌରବ ରଖିବାକୁ ଆହ୍ବାନ କରିଥିଲେ।
କାର୍ଯ୍ୟକ୍ରମରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୋନାଲିସା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭଲ ପାଠ ପଢ଼ିବା ସହିତ ଏଭଳି ପ୍ରତିଭା ଯଦି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଲା , ତେବେ ସେହି ପ୍ରତିଭା ସେମାନଙ୍କ ଭବିଷ୍ୟତ ଗଠନ ହେବା ସହ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ସାହାଯ୍ୟ କରିବ ବୋଲି କହିଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୂଟନ କରିବା ଏବଂ ତାଙ୍କ ଭିତରେ ଥିବା ସେହି ସୃଜନତାକୁ ସମାଜ ଆଗରେ ଆଣି ପ୍ରଦର୍ଶନ କରାଇ ସମାଜର ମଙ୍ଗଳ ଏବଂ ସମାଜକୁ ଏକ ସୁଦୃଢ ମୂଲ୍ୟବୋଧ ଦେବାରେ ସେହି ସୃଜନତାର ବିକାଶରେ ବ୍ରତୀ ହେବା ଆଜିର ଏହି କାର୍ଯ୍ୟକ୍ରମ ବୋଲି କହିଥିଲେ।
ଏହି ଶିଶୁ ମହୋତ୍ସବ ଅବସରରେ "ସୁରଭି" କାର୍ଯ୍ୟକ୍ରମରେ ୧୦ ଟି ପ୍ରତିଯୋଗିତା ଯଥା:- ପ୍ରବନ୍ଧ ଲିଖନ , ବିତର୍କ , ଚିତ୍ରାଙ୍କନ , କୁଇଜ , ବକ୍ତୃତା , ସୃଜନଶୀଳ ଲିଖନ , ସଙ୍ଗୀତ , ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ , ଦଳଗତ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ଏବଂ ପିଏମ ପୋଷଣ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ସେହିଭଳି "କଳା ଉତ୍ସବ" ଅବସରରେ ୬ ଟି ପ୍ରତିଯୋଗିତା ଯଥା:- ଥିଏଟର , ଭିଜୁଆଲ ଆର୍ଟ , ଟ୍ରେଡିସନ୍ ଷ୍ଟୋରୀ ଟେଲିଙ୍ଗ , ନୃତ୍ୟ , ଭୋକାଲ ମ୍ୟୁଜିକ ଏବଂ ଇନଷ୍ଟୁମେଣ୍ଟାଲ ମ୍ୟୁଜିକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଜିଲ୍ଲା ବିଜ୍ଞାନ ସୁପର ଭାଇଜର ଶ୍ରୀ ଆମ୍ପୁଲୁ ରବି କୁମାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ।
ଏହି ଅବସରରେ ଆସନ୍ତା ୧୨ , ୧୩ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଜିଲ୍ଲାରୁ ୪୩ ଜଣ କୃତି ପ୍ରତିଯୋଗୀ ମନୋନୀତ ହୋଇଛନ୍ତି।
ଏହି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାର ୭ ଗୋଟି ବ୍ଲକାଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୩୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ , ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ , ଶ୍ରୀ ଶ୍ୟାମସୁନ୍ଦର ଗନ୍ତାୟତ , ଶ୍ରୀ ଭବାନୀ ପାଟ୍ଟଯୋଷୀ , ଶ୍ରୀ ଆନନ୍ଦ ଶତପଥୀ ଏବଂ ଶ୍ରୀ ପଞ୍ଚାନନ ପଣ୍ଡା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଓ "କଳା ଉତ୍ସବ" - ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 42