ହେଡଲାଇନସ୍:

ସମ୍ ହସ୍ପିଟାଲ (ଶୀତଳାପଲ୍ଲୀ କ୍ୟାମ୍ପସ୍‌)ରେ ମଧୁମେହ ପରୀକ୍ଷା ଓ ଚିକିତ୍ସା ଶିବିର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର,୨୮/୦୫: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁଳ୍କ ମଧୁମେହ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ରହ୍ମପୁର ସମେତ ଆଖପାଖ ଅଂଚଳର ବହୁ ସଂଖ୍ୟକ ମଧୁମେହ ରୋଗୀ ଯୋଗ ଦେଇଥିଲେ ।
ଶିବିରରେ ପ୍ରତ୍ୟେକ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏହା ବ୍ୟତୀତ ରୋଗୀମାନଙ୍କ ରେଟିନୋସ୍କୋପି, ରକ୍ତଚାପ ଓ ଶରୀର ମାସ୍ ଇଣ୍ଡେକ୍ସର ମାପ କରାଯିବା ବ୍ୟତୀତ ମଧୁମେହ ରୋଗୀଙ୍କ ପାଦର ଯତ୍ନ ଭଳି ଅନେକ ଚିକିତ୍ସା କରାଯାଇଥିଲା । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ପାଇଁ ଡାକ୍ତରମାନେ ରୋଗୀଙ୍କୁ ବିଭିନ୍ନ ଖାଦ୍ୟ ଏବଂ ବ୍ୟାୟାମ ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ଦେଇଥିଲେ ।
ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ସମସ୍ତଙ୍କୁ ମଧୁମେହ ରୋଗଜନିତ ବିପଦ ତଥା ରୋଗର ଜଟିଳତା ସମ୍ବନ୍ଧରେ ବୁଝାଇ ଦିଆଯାଇଥିଲା । ମଧୁମେହ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଔଷଧ ସେବନର ଗୁରୁତ୍ୱ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା । ମଧୁମେହ ରୋଗୀ ଯତ୍ନ ଅଭାବରୁ ଅନ୍ୟ ଜଟିଳ ରୋଗର ଶିକାର ହୋଇଥାନ୍ତି । ସେସବୁ କୁ ଦୃଷ୍ଟିରେ ରଖି ସମ୍ ହସ୍ପିଟାଲରେ ମଧୁମେହ ରୋଗ ଏବଂ ମଧୁମେହ କାରଣରୁ ହେଉଥିବା ଅନ୍ୟରୋଗର ଚିକିତ୍ସା ମଧ୍ୟ କରାଯାଉଛି । ମଧୁମେହ ରୋଗୀ ସଠିକ୍ ଯତ୍ନ ଏବଂ ଡାକ୍ତର ପରାମର୍ଶ କ୍ରମେ ଜୀବନ ଅତିବାହିତ କଲେ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ନଥାନ୍ତି ।
ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଆସନ୍ତା ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଚତୁର୍ଥ ରବିବାର ଦିନ ପୂର୍ବାହ୍ନ ୯ଟା ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ମାଗଣା ମଧୁମେହ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ସୂଚନା ଦେଇଛନ୍ତି । ଏଠାରେ ହୋଇଥିବା ବିଭିନ୍ନ ପରୀକ୍ଷାରେ ରିହାତି ଦିଆଯାଉଥିବା ସେ ସୂଚନା ଦେଇଛନ୍ତି ।
ପ୍ରତ୍ୟେକ ଶିବିରରେ ଡାକ୍ତରଙ୍କ ମାଗଣା ପରାମର୍ଶ ସହ ଲୋକମାନେ ମାଗଣା ମଧୁମେହ ଯାଂଚ କରିପାରିବେ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ଏହି ଅବସରରେ ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡାକ୍ତର ଜୀବନ ପ୍ରଧାନ କହିଛନ୍ତି ଯେ ଏହି ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପରୀକ୍ଷା ଓ ଚିକିତ୍ସା ମିଳିପାରୁଛି ।
ଏହି ଶିବିରରେ ହସ୍ପିଟାଲର ଭେଷଜ ବିଶେଷଜ୍ଞ ଡାକ୍ତର ବିପିନ୍ ଚନ୍ଦ୍ର ପଣ୍ଡା, ଡାକ୍ତର ଅମର କୁମାର ଦାସ, ଡାକ୍ତର ଜୀବନ ପ୍ରଧାନ, ଡାକ୍ତର କେ. ସ୍ନିଗ୍ଧା, ଡାକ୍ତର ରଂଜିତ ପାତ୍ର, ଡାକ୍ତର ସୁବାଶିଷ ପ୍ରଧାନ, ଡାକ୍ତର ରିତିକା ସେନ୍ ପ୍ରମୁଖ ଉପସ୍ଥିତ ରହି ବହୁ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ । ଏଥି ସହିତ ରକ୍ତଚାପ, ଚକ୍ଷୁ, ସ୍ନାୟୁରୋଗ, କିଡନୀ, ୟୁରିଆ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା ।

0
0
0
s2sdefault